ମୁଁ ସବୁଠୁ ବଡ଼, ମୋ ଧର୍ମ ଏକମାତ୍ର ଧର୍ମ, ମୋ ଜାତି ସବୁଠୁ ଉଚ୍ଚରେ - ଆଉ ସମସ୍ତେ ପତିତ, ବର୍ବର, ମ୍ଳେଚ୍ଛ, ଅସ୍ପୃଶ୍ୟ - ଯେଉଁ ଦେଶରେ ଏପରି ମାନସିକତା ଥିବା ଲୋକଙ୍କ ସଂଖ୍ୟା ଅଧିକ, ସେ ଦେଶ ଏକ ଦୁର୍ବଳ, ରୁଗ୍ଣ ଦେଶ; ବିଶ୍ୱ ଶାନ୍ତି ଓ ମୈତ୍ରୀପାଇଁ ବିପଦ । ନିଜ ଦେଶ, ଭାଷା, ସଂସ୍କୃତି ଓ ଧର୍ମକୁ ଭଲ ପାଇବା ମାନସିକ ରୁଗ୍ଣତା ନୁହେଁ - ନିଜକୁ ବଡ଼ ଓ ଅନ୍ୟକୁ ଛୋଟ ବୋଲି ଭାବିବା ଓ ସେହିପରି ବ୍ୟବହାର କରିବା ସଂକୀର୍ଣ୍ଣତା ଓ ଅସହିଷ୍ଣୁତାର ଲକ୍ଷଣ । ଯେତେବେଳେ ଇଂରେଜମାନେ ଭାରତ ଶାସନ କରୁଥିଲେ, ବିଶ୍ୱବାସୀଙ୍କୁ ବୁଝାଇ କହୁଥିଲେ - ଆମେ ପତିତ ଭାରତୀୟମାନଙ୍କୁ ଉଦ୍ଧାର କରିବାକୁ ଆସିଛୁ, ସେମାନେ ଶ୍ୱେତକାୟ ସଂସ୍କୃତି, ସଭ୍ୟତା ଉପରେ ବୋଝ - “ହ୍ୱାଇଟ୍ ମ୍ୟାନ୍ସ ବର୍ଡନ୍ ।” ପୂର୍ବତନ ପୋପ୍ ଜନ୍ ପଲ୍ - ଦ୍ୱିତୀୟ ତାଙ୍କର ଶେଷ ଭାରତ ଯାତ୍ରା ବେଳେ ବମ୍ବେରେ ପହଞ୍ଚି ଯେତେବେଳେ ସାମ୍ବାଦିକମାନଙ୍କୁ କହିଲେ ଯେ ଆମେ ଏଠାରେ ତଳେ ପଡ଼ିଥିବା ପତିତମାନଙ୍କୁ ଉଦ୍ଧାର ପାଇଁ ଆସିଛୁ, ସାରା ଭାରତରେ ପ୍ରତିବାଦର ସ୍ୱର ଉଠିଥିଲା । ଦ୍ୱିତୀୟ ବିଶ୍ୱ ମହାଯୁଦ୍ଧର ଏକ ପ୍ରଧାନ କାରଣ ଥିଲା ହିଟ୍ଲର୍ଙ୍କ ରୁଗ୍ଣ ମାନସିକତା । ସେ ଭାବୁଥିଲେ ଜର୍ମାନ୍ମାନେ ବିଶ୍ୱର ସର୍ବଶ୍ରେଷ୍ଠ ଜାତି ଓ ସାରା ପୃଥିବୀର ଅଧୀଶ୍ୱର ହେବାପାଇଁ ଯୋଗ୍ୟ ।
ସେହିପରି ଚୀନ୍ ଦେଶର ପୁରାତନ ସମ୍ରାଟ୍ମାନେ ଭାବୁଥିଲେ ଚୀନ୍ ଛଡ଼ା ଆଉ ଦେଶ ନାହିଁ; ସଭ୍ୟତା ନାହିଁ । ଏପରିକି ଆତଙ୍କବାଦୀମାନେ ୨୦୦୧ ମସିହାରେ ବିଶ୍ୱ ବାଣିଜ୍ୟ କେନ୍ଦ୍ରକୁ ଧ୍ୱଂସ କରିବା ପୂର୍ବରୁ ଅଧିକାଂଶ ଆମେରିକାବାସୀଙ୍କ ଧାରଣା ଥିଲା ଆମେରିକା ହିଁ ପୃଥିବୀ । ତେଣୁ ଅନ୍ୟ ଧର୍ମ, ଭାଷା, ସଂସ୍କୃତିକୁ ଜାଣିବା ବୁଝିବାପାଇଁ ସେମାନଙ୍କର ବିଶେଷ ଆଗ୍ରହ ନଥିଲା । ଏହି ଘଟଣା ପରେ ଆମେରିକା ଲୋକେ କୋରାନ୍ ଓ ଇସ୍ଲାମ ସମ୍ପର୍କରେ ଅଧିକ ଜାଣିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି
ବିକଳ୍ପ ବିଶ୍ୱ ୧୭୧