ପୃଷ୍ଠା:Bikalpa Biswa.pdf/୧୭୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହସି କହିଲା, କୂଅ ଭିତରେ ରହି ପୃଥିବୀର ତିନି ଭାଗ ବ୍ୟାପିଥିବା ସମୁଦ୍ରର ବିଶାଳତା କଳନା କରିହେବ ନାହିଁ । ଏ କଥା ଶୁଣି କୂପ ମଣ୍ଡୁକ ରାଗି ଯାଇ କହିଲା “ତାହେଲେ ତୁ ମିଛ କହୁଛୁ, ସମୁଦ୍ର ମିଥ୍ୟା, ପୃଥିବୀ ମିଥ୍ୟା, ଏଇ କୂଅ ହେଲା ସତ, ଏଇଟା ହିଁ ପୃଥିବୀ ଓ ଏହାର ଜଳ ହେଲା ପ୍ରକୃତ ସମୁଦ୍ର, ଯା ପଳା ।”

ବ୍ୟକ୍ତିଗତ କଳହ ହେଉ, ଗ୍ରାମ୍ୟ କଳହ ହେଉ, ଆନ୍ତଃ ରାଜ୍ୟ ବା ଅନ୍ତର୍ଦେଶୀୟ ବିବାଦ ହେଉ, ସବୁରି ପଛରେ ଏଇ ମାନସିକତା କାମ କରୁଛି । ମୋ ମତ, ମୋ ପଥ, ମୋ ସମ୍ପ୍ରଦାୟ, ମୋ ଜାତି, ମୋ ପରିବାର ହିଁ ପୃଥବୀ । ସ୍ୱାମୀଜୀଙ୍କ ସ୍ୱଳ୍ପ ଜୀବନ କାଳ ଏହିଭଳି ବିଚାରଧାରା ବଳାଇବାରେ କଟି ଯାଇଥିଲା । ଏବେ ସମାଜତତ୍ତ୍ୱବିତ୍‌ମାନେ କହିଲେଣି, ଯେଉଁ ଦେଶରେ ବିଭିନ୍ନ ଭାଷାଭାଷୀ, ବିଭିନ୍ନ ଜାତି, ସମ୍ପ୍ରଦାୟ ଓ ଧର୍ମର ଲୋକେ ଏକାଠି ରହିବାର ସୁସ୍ଥ ପରିବେଶ ଅଛି, ସେ ଦେଶ ହିଁ ଶକ୍ତିଶାଳୀ ଦେଶ ।

ନେଲ୍‌ସନ୍ ମାଣ୍ଡେଲା ତାଙ୍କର ଆତ୍ମଜୀବନୀ “ଲଙ୍ଗ୍ ୱାକ୍ ଟୁ ଫ୍ରିଡମ୍”ରେ ବାଲ୍ୟ ଜୀବନରେ ଗ୍ରାମ୍ୟ ସଭାଗୁଡ଼ିକରୁ ସେ କିପରି ପରସ୍ପର ମତକୁ ସମ୍ମାନ ଦେବା ମୂଲ୍ୟବୋଧ ଶିଖିଥିଲେ, ସେ କଥା ବର୍ଣ୍ଣନା କରିଛନ୍ତି । ଦ୍ୱିତୀୟ ବିଶ୍ୱ ମହାଯୁଦ୍ଧରେ ପରାସ୍ତ ହେବା ପରେ ଜାପାନୀମାନେ ଗଭୀର ଆତ୍ମ ସମୀକ୍ଷା କରି ଏକ ନୂଆ ଜାପାନ ଗଢ଼ିବାପାଇଁ ନିଷ୍ପତ୍ତି ନେଇଥିଲେ - ସେମାନଙ୍କର ସ୍ଲୋଗାନ୍ ଥିଲା - ଚାଲ ଆମେ ସମସ୍ତଙ୍କ ମତକୁ ସମ୍ମାନ ଦେବା, ସମସ୍ତଙ୍କଠାରୁ ଶିଖିବା ।, ପୁଣି ଏକ ନୂଆ ଜାପାନ୍ ଗଢ଼ିବା । ଭାରତରେ ୧୭୦୦ ଭାଷା, ବୋଲି କହୁଥିବା ବିଭିନ୍ନ ଜାତି, ସମ୍ପ୍ରଦାୟ ଲୋକେ ସଂସଦୀୟ ଗଣତନ୍ତ୍ର ଓ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଷାଠିଏ ବର୍ଷରୁ ଅଧିକ କାଳ ଏକାଠି ରହିଲେଣି । ଏହାକୁ ଆହୁରି ମଜଭୁତ କରିବାକୁ ହେଲେ କୂପ ମଣ୍ଡୁକଙ୍କ ସଂଖ୍ୟା କମାଇ ସମୁଦ୍ର ବେଙ୍ଗଙ୍କ ସଂଖ୍ୟା ବଢ଼ାଇବାକୁ ହେବ । ଅର୍ଥାତ୍ ସଂକୀର୍ଣ୍ଣତାରୁ ଉଦ୍ଧ୍ୱର୍କୁ ଉଠିବାକୁ ପଡ଼ିବ ।

୧୦ ଅଗଷ୍ଟ, ୨୦୦୭



ବିକଳ୍ପ ବିଶ୍ୱ ୧୭୩