ପୃଷ୍ଠା:Bikalpa Biswa.pdf/୧୭୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ହିଂସା, ବିଦ୍ୱେଷର ରକ୍ତରଞ୍ଜିତ ଇତିହାସ

ସିନେଟ୍ ଅଧିବେଶନକୁ ହିନ୍ଦୁ ପଣ୍ଡିତଙ୍କ ବୈିଦିକ ପ୍ରାର୍ଥନାଦ୍ୱାରା ଉଦ୍‌ଘାଟନ କରିବା ଆମେରିକାରେ ଏକ ନୂଆ ପରମ୍ପରା ଥିଲା - ତେଣୁ ଏହାର ବିରୋଧ ଅସ୍ୱାଭାବିକ ନୁହେଁ । ଭାରତରେ ମହାତ୍ମା ଗାନ୍ଧି ସର୍ବଧର୍ମ ପ୍ରାର୍ଥନାର ପରମ୍ପରା ସୃଷ୍ଟି କରି ବିଭିନ୍ନ ଧର୍ମାବଲମ୍ବୀଙ୍କୁୁ ଏକାଠି ଶାନ୍ତିରେ ରହିବାପାଇଁ କ୍ରମାଗତ ଭାବେ ପ୍ରେରଣା ଦେଉଥିଲେ; ଜାତିବାଦ ଓ ଅସ୍ପୃଶ୍ୟତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଗାନ୍ଧି ଓ ବିନୋବାଙ୍କ ସମୂହ ପ୍ରାର୍ଥନାକୁ ଭାରତରେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଉଭୟେ ଅସ୍ପୃଶ୍ୟତା ଓ ରକ୍ଷଣଶୀଳତାର ବିରୋଧ କରି ସିଂହଦ୍ୱାରରୁ ଫେରି ଯାଇଥିଲେ । ମନ୍ଦିର ଈଶ୍ୱର ଓ ଇନ୍‌ସାନ୍‌ଙ୍କ ମିଳନର ପବିତ୍ର ସ୍ଥଳ - ପ୍ରାଚୀର ନୁହେଁ ।

ବିନୋବା ଯେତେବେଳେ ସହଯୋଗୀମାନଙ୍କୁ ମନ୍ଦିର ପ୍ରବେଶର ଅନୁମତି ନ ମିଳିବାରୁ ପ୍ରତିବାଦ କରି ସିଂହଦ୍ୱାରଠାରୁ ଫେରି ଯାଉଥିଲେ, ଜଣେ ପଣ୍ଡିତ ବଡ଼ ପାଟିରେ ତାଙ୍କୁ ସଂସ୍କୃତରେ ପଚାରିଲେ “ସର୍ବଧର୍ମ ସମୂହ ପ୍ରାର୍ଥନା ପରମ୍ପରା ସୃଷ୍ଟି କରି ଆପଣ ହିନ୍ଦୁ ଧର୍ମର ଅବମାନନା କରୁଛନ୍ତି, ଏହା ଅଶାସ୍ତ୍ରୀୟ” । ଏକଥା ଯେମିତି ତାଙ୍କ କାନରେ ବାଜିଲା, ସେ ତତ୍‌କ୍ଷଣାତ୍ ବୁଲପଡ଼ି ଋଗ୍‌ବେଦର ଗାୟତ୍ରୀ ମନ୍ତ୍ରର ଚାରିଧାଡ଼ି ଯାକ ଶୁଣାଇ ଦେଇ କହିଲେ “ଧୀମହି, ଧୀମହି, ଧୀମହି ।” ଗାୟତ୍ରୀ ଏକ ସମୂହ ପ୍ରାର୍ଥନା ଏବଂ ସଂକ୍ଷିପ୍ତରେ ଏହାର ଅର୍ଥ ହେଲା “ହେ ପାପନାଶନ, ପତିତପାବନ, ଜ୍ୟୋତିଷ୍ମାନ୍ ଈଶ୍ୱର, “ଆମେ” ଆପଣଙ୍କୁ ଧ୍ୟାନ କରୁଛୁ, ଆପଣ ଆମ ବୁଦ୍ଧି ବିବେକ ଉଜ୍ଜ୍ୱଳ କରନ୍ତୁ; ଜ୍ଞାନ, ସଦ୍‌ଭାବନା ଓ ପ୍ରେରଣା ଦିଅନ୍ତୁ ।” ଏହା ଶୁଣି ପଣ୍ଡିତ ମହାଶୟ ଚୁପ୍ ହୋଇଯାଇଥିଲେ । ଆଚାର୍ଯ୍ୟ ବିନୋବା କେବଳ ଗାନ୍ଧିବାଦୀ ବା ସର୍ବୋଦୟ ଭୂଦାନ ଆନ୍ଦୋଳନର ଜନକ ନଥିଲେ, ସେ ଭାରତୀୟ ଶାସ୍ତ୍ରୀୟ ପରମ୍ପରାକୁ ଗଭୀର ଭାବରେ ଅଧ୍ୟୟନ କରିଥିଲେ ।

ଲକ୍ଷ ଲକ୍ଷ ଲୋକ ପୃଥିବୀରେ ଧର୍ମ, ସମ୍ପ୍ରଦାୟ, ଜାତି, ଗୋଷ୍ଠୀ, କଳହ ଓ

୧୭୪ ବିକଳ୍ପ ବିଶ୍ୱ