ପୃଷ୍ଠା:Bikalpa Biswa.pdf/୧୭୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଇବେଲ୍ ଓ ‘ଟେନ୍ କମାଣ୍ଡମେଣ୍ଟ’କୁ ଆଧାର କରି ନୂଆ ସରକାର ଗଢ଼ିବାପାଇଁ ଆନ୍ଦୋଳନ ଆରମ୍ଭ କରିଦେଇଛି । ନିକଟରେ ପାକିସ୍ଥାନ ଲାଲ୍ ମସଜିଦରେ ଆତ୍ମଗୋପନକାରୀ ଆତଙ୍କବାଦୀମାନେ ଦେଶରେ ଇସ୍ଲାମିକ୍ ସାରିଆତ୍ ପଦ୍ଧତି ପ୍ରବର୍ତ୍ତନପାଇଁ ହିଂସାକାଣ୍ଡ ଘଟାଇଥିଲେ । ଅଶୀ ଦଶକରେ ପଞ୍ଜାବକୁ ସାମ୍ପ୍ରଦାୟିକ ଭାବରେ ବିଭକ୍ତ କରି ଖାଲ୍‌ସା ରାଜ ଓ ଶିଖ୍‌ଧର୍ମୀୟ ଶାସନପାଇଁ ଭିନ୍ଦ୍ରାନ୍‌ୱାଲେ ସ୍ୱର୍ଣ୍ଣ ମନ୍ଦିରରେ ଅସ୍ତ୍ରଶସ୍ତ୍ର ଏକାଠି କରି ବିଦ୍ରୋହ କରିଥିଲେ ।

ଏହିପରି ନିଜ ଧର୍ମ ଓ ସଂସ୍କୃତିକୁ କଦର୍ଥ କରି ନିଜ ଆଦର୍ଶକୁ ଦେଶ ଉପରେ ଲଦି ଦେବାପାଇଁ ପୃଥିବୀର ବିଭିନ୍ନ ଅଞ୍ଚଳରେ ଘୃଣା, ଅସହିଷ୍ଣୁତା ଓ ହିଂସାର ପ୍ରଚାର ଚାଲିଛି । ଆମର ଏପରି ଆଚରଣକୁ ଅଧ୍ୟୟନ କରି କେତେକ ନୃତତ୍ତ୍ୱବିତ୍ କହନ୍ତି ଯେ ପୃଥିବୀରେ ସିଂହ, ବାଘ, ଭାଲୁ ଭଳି ଜନ୍ତୁଙ୍କଠାରୁ ମଣିଷ ଅଧିକ ହିଂସାପରାୟଣ । କାରଣ ଏ ପର୍ଯ୍ୟନ୍ତ ମଣିଷ ଯେତେ ମଣିଷଙ୍କୁ ମାରି ସାରିଲେଣି, ଅନ୍ୟ କୌଣସି ଜନ୍ତୁ ସ୍ୱଜାତୀୟଙ୍କୁ ଏପରି ମାରି ନାହିଁ । ଏପର୍ଯ୍ୟନ୍ତ କୁହାଯାଉଥିଲା ଯେ ଆହାର, ନିଦ୍ରା, ଭୟ ଓ ମୈଥୁନ; ଏଇ ୪ ପ୍ରବୃତ୍ତିରେ ମଣିଷ ଓ ପଶୁଙ୍କ ଭିତରେ କୌଣସି ଫରକ୍ ନାହିଁ, କେବଳ ଉଚିତ୍ ଅନୁଚିତ୍, ଭଲ ମନ୍ଦ ଜ୍ଞାନ ଓ ବିବେକଯୋଗୁଁ ମଣିଷ ପଶୁଙ୍କଠାରୁ ଉଚ୍ଚରେ । ଆଜିର ହିଂସ୍ର ଅସହିଷ୍ଣୁ ବ୍ୟକ୍ତି ଓ ସଂଗଠନମାନଙ୍କର କାର୍ଯ୍ୟକଳାପକୁ ଲକ୍ଷ୍ୟ କଲେ ଏପରି ଧାରଣା ହୁଏ ନାହିଁ । ତେଣୁ ହେ ପ୍ରଭୁ, ଆମକୁ କ୍ଷମା କର !

ଏହା ସତ୍ତ୍ୱେ ପୃଥିବୀ ପୃଷ୍ଠରେ ମାନବିକତା ବଞ୍ଚି ରହିଛି, ଶାନ୍ତି ଓ ସୌହାର୍ଦ୍ୟ ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ଶାନ୍ତିପାଇଁ ନୋବେଲ୍ ପୁରସ୍କାର ବିଜୟୀ ତିବ୍ଦତୀୟ ଧର୍ମଗୁରୁ ନିଜ ରାଜ୍ୟର ସ୍ୱାଧୀନତାପାଇଁ ଏ ପର୍ଯ୍ୟନ୍ତ ହିଂସାର ଆଶ୍ରୟ ନେଇନାହାନ୍ତି । ବର୍ମାରେ ନୋବେଲ୍ ଶାନ୍ତି ପୁରସ୍କାର ବିଜେତା “ସୁ କି” ଏପର୍ଯ୍ୟନ୍ତ ଅହିଂସାକୁ ଆଶ୍ରୟ କରି ସଂଗ୍ରାମ ଜାରି ରଖିଛନ୍ତି । ଲୋକପ୍ରିୟ ଲେଖକ ଡାନ୍ ବ୍ରାଉନ୍‌ଙ୍କ ପୁସ୍ତକ “ଦି ଦା ଭିନ୍ସି କୋଡ୍” ଖ୍ରୀଷ୍ଟଧର୍ମର ମୂଳଦୁଆ ହଲାଇବା ସତ୍ତ୍ୱେ ଖ୍ରୀଷ୍ଟୟାନ୍‌ମାନେ ଶାନ୍ତ ଓ ସଂଯତ ରହିଛନ୍ତି । ଭେଲୋର ମେଡ଼ିକାଲ କଲେଜରେ ପ୍ରଫେସର ଥିବା ମୋର ଜଣେ ଅନ୍ତରଙ୍ଗ ଖ୍ରୀଷ୍ଟୟାନ୍ ବନ୍ଧୁଙ୍କୁ ଯେତେବେଳେ ଏ ପୁସ୍ତକ ବିଷୟରେ ପଚାରିଲି, ଉତ୍ତରରେ କହିଲେ ଏହା ଡାନ୍ ବ୍ରାଉନ୍‌ଙ୍କ ବ୍ୟକ୍ତିଗତ ବିଚାର, ଏଥିପାଇଁ ଆମେ କାହିଁକି ଏତେ ବ୍ୟସ୍ତ, ବିବ୍ରତ ବା ଉତ୍ତେଜିତ ହେବୁ ? ଓଡ଼ିଶାରେ ଭକ୍ତମାନେ ଜଗନ୍ନାଥଙ୍କୁ ଗାଳି ଦେବା ଅପରାଧ ବୋଲି ଧରାଯାଏ ନାହିଁ । ଧର୍ମରେ ବିଭିନ୍ନ ବିଚାରଧାରାପାଇଁ ସ୍ଥାନ ନ ରହିଲେ ଧର୍ମ ଦୁର୍ବଳ ହୋଇଯାଏ । ଇରାକ୍‌ରେ ସିଆ ଓ କୁର୍ଦ ଦୁଇଟି ଗୋଷ୍ଠୀ - ଧର୍ମ ଗୋଟିଏ । ଏ ଦେଶର

୧୭୬

ବିକଳ୍ପ ବିଶ୍ୱ