ପୃଷ୍ଠା:Bikalpa Biswa.pdf/୧୮୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିବାର, ସମାଜ, ଦେଶର କଲ୍ୟାଣପାଇଁ ଏଭଳି ପରାମର୍ଶକୁ ଧ୍ୟାନର ସହ ଶୁଣିବେ । ଆଗାମୀ ଦିନରେ ମଡେଲ୍‌ମାନଙ୍କୁ ନୂଆ ବାଟ ଦେଖାଇବେ । ଏ ମାସରେ ମହିଳାମାନଙ୍କର ବକ୍ଷବସ୍ତ୍ର ଓ ଅଧୋବସ୍ତ୍ର ତିଆରି କରୁଥିବା ବ୍ୟବସାୟୀମାନେ ନ୍ୟୁୟର୍କ ସହରରେ ଏକ ଆନ୍ତର୍ଜାତିକ ଫେଶନ ମେଳା ଆୟୋଜନ କରି ମଡେ଼ଲ୍‌ମାନଙ୍କୁ କ୍ଷୁଦ୍ରରୁ କ୍ଷୁଦ୍ର, ସ୍ୱଚ୍ଛ ବ୍ରାସିଅର୍ ଓ ଅଣ୍ଡରଓୟାର୍ ପିନ୍ଧାଇ ଦର୍ଶକଙ୍କ ଆଗରେ ପ୍ୟାରେଡ୍ କରାଇଥିଲେ । ଛୋଟ ଓ ଟାଇଟ୍ ଜିନ୍ ପୋଷାକ ପିନ୍ଧୁଥିବା ବ୍ୟକ୍ତିଙ୍କ ଉପରେ ଗବେଷଣା କରି ଚିକିତ୍ସା ଓ ଯୌନ ବିଜ୍ଞାନୀମାନେ ଏବେ କହିଲେଣି ଯେ ଏହା ସ୍ତ୍ରୀଙ୍କର ବନ୍ଧ୍ୟାତ୍ୱ ଓ ପୁରୁଷଙ୍କର ନପୁଂସକତା ବଢ଼ାଇବାରେ ସାହାଯ୍ୟ କରେ ।

କପଡ଼ା କମ୍ କରି ଚମଡ଼ାକୁ ଅଧିକ ଦେଖାଇବାପାଇଁ ଏବେ ଏକ ପ୍ରକାର ପ୍ରତିଯୋଗିତା ଚାଲିଲାଣି । ଏହି କାରଣରୁ ମହାରାଷ୍ଟ୍ର ସରକାର ହୋଟେଲ, କ୍ଲବ୍ ଓ ବିଉଟି ପାର୍ଲରରେ ବାର୍ ଗାର୍ଲମାନଙ୍କ ଅର୍ଦ୍ଧନଗ୍ନ ନୃତ୍ୟକୁ ବେଆଇନ୍ ଘୋଷଣା କରିଛନ୍ତି । ନାରୀର ଲଜ୍ଜା ନିବାରଣପାଇଁ କେତେ ବସ୍ତ୍ର ଆବଶ୍ୟକ ସେ ବିଷୟକୁ ନେଇ ପୃଥିବୀ ଏବେ ଦୁଇ ଭାଗରେ ବିଭକ୍ତ ହେଲାଣି । ଏକ ଦିଗରେ ବୁର୍ଖା ପିନ୍ଧାଇ ନାରୀର ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିବାପାଇଁ ଉଦ୍ୟମ ଚାଲିଥିଲା ବେଳେ ଅନ୍ୟ ଦିଗରେ ଉଲଗ୍ନତାକୁ ଆଧୁନିକତାର ନାମ ଦେଇ ଉତ୍ସାହିତ କରାଯାଉଛି । ଯେଉଁ ବସ୍ତ୍ର ମଣିଷ ଓ ପଶୁ ମଧ୍ୟରେ ଥିବା ପାର୍ଥକ୍ୟର ଚିହ୍ନ ଥିଲା, ଏବେ ତାକୁ ଶରୀରରୁ ହଟାଇ ପଶୁତ୍ୱ ଆଡ଼କୁ ପୁଣି ଥରେ ଫେରିଯିବାପାଇଁ ପ୍ରଚେଷ୍ଟା ଜାରି ରହିଛି । ଚମଡ଼ା ଓ କପଡ଼ା ମଧ୍ୟରେ ଲାଗିଥିବା ଲଢେଇରେ, ମାନବ ସଭ୍ୟତା ଏବେ କ୍ଷତ ବିକ୍ଷତ ଓ ଉଲଗ୍ନ ହେଲାଣି । ଏହାର କୁପରିଣାମ ବିଷୟରେ ଆଜିଠାରୁ ବିଚାର ନ କଲେ, ବହୁତ ବିଳମ୍ବ ହୋଇଯିବ ଓ ଲେଡ଼ିଗୁଡ଼ କହୁଣୀକୁ ବହିଯିବ । ୨୦ ସେପ୍ଟେମ୍ବର, ୨୦୦୭

ବିକଳ୍ପ ବିଶ୍ୱ ୧୮୧