ପୃଷ୍ଠା:Bikalpa Biswa.pdf/୧୮୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଠା ଲୋକଙ୍କ ସଂସ୍କୃତି ଓ ସ୍ପର୍ଶକାତରତାକୁ ସମ୍ମାନ ଦିଅ, ଯେପରି ଚଳିଲେ ସେମାନେ କ୍ଷୁବ୍ଧ ହେବେ ନାହିଁ, ସେପରି ଚଳ ଓ ସତର୍କ ରୁହ ।” ହିବୁଙ୍କ ପରାମର୍ଶ ବହୁ ଝିଅଙ୍କୁ ଭଲ ଲାଗିଲା ନାହିଁ । ଏବେ ସେମାନେ ହିବୁଙ୍କୁ ସମାଲୋଚନା କରି କହୁଛନ୍ତି ଆମେ କ’ଣ ପିନ୍ଧବୁ, କ’ଣ ଖାଇବୁ, କେଉଁଠିକି କେଉଁ ବାଟରେ ଯିବୁ ନ ଯିବୁ ସେ ବିଷୟରେ ପରାମର୍ଶ ଦେବା ହିବୁଙ୍କର ଅଧିକାର ବହିର୍ଭୂତ ବିଷୟ । ତେଣୁ କମ୍ କପଡ଼ା ଓ ବେଶି ଚମଡ଼ା ସଶକ୍ତୀକରଣର ଆଉ ଏକ ଚିହ୍ନ ଓ ଚେହେରା ହେଲାଣି ।

ଶାଢ଼ି, ସାଲୱାର କାମିଜ ବଜାରରୁ ଅଳ୍ପ ଦିନରେ ବିଦାୟ ନେବେ । ଓଢ଼ଣୀ ବା ଦୁପଟ୍ଟାକୁ ମହାନଗରୀର ମହିଳାମାନେ କେବେଠୁ ଫିଙ୍ଗି ଦେଲେଣି । ଏବେ ସେଗୁଡ଼ିକ ଛୋଟ ସହର ଓ ଗ୍ରାମାଞ୍ଚଳରେ ବଞ୍ଚି ରହିଛନ୍ତି । ଚୀନ୍, ଭିଏତ୍‌ନାମ ଭଳି ସାମ୍ୟବାଦୀ ଓ ଶୃଙ୍ଖଳିତ ଦେଶମାନଙ୍କରେ ମଧ୍ୟ ଏହିଭଳି ଅବସ୍ଥା । ବେଜିଂ ଓ ହୋ ଚି ମିନ୍ ସିଟିରେ ପୁଅ ଝିଅଙ୍କ ନଗ୍ନ ଆଚରଣ ରୋକିବାପାଇଁ କ୍ଲୋଜ୍ ସର୍କିଟ୍ ଟିଭି କ୍ୟାମେରା ଲଗାଗଲାଣି । ଯିଏ ନିଜେ ଲଙ୍ଗଳା ହୋଇ ନାଚିବାକୁ ଚାହିଁବେ, ତାଙ୍କୁ କିଏ ଲୁଗା ପିନ୍ଧାଇବ ?

ଯୌନ ଉଦ୍ଦୀପକ ବେଶ ପୋଷାକ, ଟିଭି, ମୁଭି ଓ ସଙ୍ଗୀତ, କାନ୍ଥ ବାଡ଼ରେ ଲଙ୍ଗଳା ପୋଷ୍ଟର ବନ୍ଦ କରିବାପାଇଁ ଉଦ୍ୟମ ମିଡ଼ିଆ ଅସହଯୋଗରୁ ସଫଳ ହୋଇପାରୁ ନାହିଁ । ଫିଲ୍ମ ସେନ୍‌ସର ବୋର୍ଡ ମଧ୍ୟ ଏ ବିଷୟରେ ଏକମତ ହୋଇପାରୁ ନାହାନ୍ତି । ବିଭିନ୍ନ ମୁନିଙ୍କର ଭିନ୍ନ ଭିନ୍ନ ମତ । ଏବେ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଏକ ଉଦ୍ୟମ ଓ ତତ୍ ସମ୍ପର୍କିତ ବିଲ୍ ସହମତି ଅଭାବରୁ ପଡ଼ିରହିଛି । ମହିଳା ସଂଗଠନମାନେ ଶରୀର ବ୍ୟବସାୟୀକରଣକୁ ବିରୋଧ କରୁଥିବା ବେଳେ, କମ୍ କପଡ଼ା ପିନ୍ଧି ଅଧିକ ଚମଡ଼ା ପ୍ରଦର୍ଶନ କରୁଥିବା ଆଚରଣର ଏ ପର୍ଯ୍ୟନ୍ତ ନିନ୍ଦା ବା ପ୍ରତିବାଦ କରିନାହାନ୍ତି ।

ଆଗେ ଆଡଭର୍ଟାଇଜିଂ କମ୍ପାନିମାନେ ଗୃହିଣୀମାନଙ୍କୁ ଟାର୍ଗେଟ୍ କରୁଥିଲେ, ଏବେ ଏମାନେ କିଶୋରୀମାନଙ୍କ ଶରୀର ଓ ଚମଡ଼ାକୁ ଟାର୍ଗେଟ୍ କଲେଣି । ତ୍ୱଚ୍ଚାକୁ ସୁନ୍ଦର, କୋମଳ ଓ ଆକର୍ଷଣୀୟ କରିବାପାଇଁ ବିଭିନ୍ନ ଲୋସନ୍ ଓ ମଲମର ବାର୍ଷିକ ମାର୍କେଟ୍ ମୂଲ୍ୟ ଆଠଶହ କୋଟି ଟଙ୍କା । ଆଡଭର୍ଟାଇଜର୍ମାନେ ଆଉ ଭାରତୀୟ ମହିଳାଙ୍କ ସ୍ୱଭାବ ସୁଲଭ ଗୁଣ ଉପରେ ଗୁରୁତ୍ୱ ନ ଦେଇ ସେମାନଙ୍କୁ କେବଳ ଏକ ଶାରୀରିକ ପ୍ରାଣୀ ଭାବରେ ଦେଖାଉଛନ୍ତି । ଅନେକ ଝିଅ ଏହାକୁ ସତ ଭାବି ସେଇ ମାନସିକତାରେ ନିଜକୁ ବନ୍ଦୀ କରିେଲେଣି । ପ୍ରଚାରଦ୍ୱାରା ସେମାନଙ୍କୁ ଆଗେ ନିଜ ଶରୀରକୁ ଘୃଣା କରିବାକୁ ଶିଖା ଯାଉଛି ଏବଂ କେବଳ କସ୍ମେଟିକ୍‌ସ ମାଧ୍ୟମରେ ପୁଣି ସେହି ଶରୀରକୁ ଭଲ ପାଇବାକୁ କୁହାଯାଉଛି ।