ପୃଷ୍ଠା:Bikalpa Biswa.pdf/୧୮୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇଣ୍ଡୋନେସିଆରେ ପରାମର୍ଶଦାତା ଭାବରେ କାମ କରିବାକୁ ଅଫର୍ ଲେଟର ପଠାଇଲେ ।

୧୯୯୫ ମସିହା ମେ ମାସରେ ମୁଁ ଏୟାର ଇଣ୍ଡିଆର ଏକ ବିମାନରେ ଯାଇ ଜାକର୍ତାର ସୁବର୍ଣ୍ଣପୁର ହାଟ୍ଟା ଆନ୍ତର୍ଜାତିକ ବିମାନ ବନ୍ଦରରେ ଓହ୍ଲାଇଲି । ଏୟାରପୋର୍ଟରୁ ମତେ ନେବାପାଇଁ ସେଠାକାର ଶିକ୍ଷା ମନ୍ତ୍ରାଳୟ ଜଣେ ପଦସ୍ଥ କର୍ମଚାରୀ ଓ ଗାଡ଼ି ପଠାଇଥିଲେ । ଗାଡିରେ ବସିଲା ପରେ ଡ୍ରାଇଭରଙ୍କୁ ପଚାରିଲି ‘ତମ ନାଁ କ’ଣ ?’ କହିଲେ ‘ରାମ ଅହମ୍ମଦ’ । ଇଣ୍ଡୋନେସିଆରେ ଏହା ଏକ ପୁରାତନ ପରମ୍ପରା । ଏଠାରେ ଶତକଡା ୮୫ ଭାଗ ଲୋକ ମୁସଲମାନ, କିନ୍ତୁ ଧର୍ମ ପରିବର୍ତ୍ତନ ପରେ ବି ନାମ ପରିବର୍ତ୍ତନ କରିନାହାନ୍ତି । ତେଣୁ ଅନେକ ନାମ ହିନ୍ଦୁ ଓ ଭାରତୀୟ ନାଁ ଭଳି ଶୁଭେ । ପ୍ରାୟ ହଜାରେ ବର୍ଷ କାଳ ସାମୁଦ୍ରିକ ବାଣିଜ୍ୟରେ ସମ୍ପୃକ୍ତ ଥିବାରୁ ଇଣ୍ଡୋନେସିଆର ଲୋକେ ବିଭିନ୍ନ ଦେଶ, ଭାଷା ଓ ସଂସ୍କୃତିଦ୍ୱାରା ପ୍ରଭାବିତ । ଡଚ୍, ଇଷ୍ଟଇଣ୍ଡିଆ କମ୍ପାନୀ, ୧୫୯୫ରେ ଓ ତା’ପରେ ୟୁରୋପୀୟମାନେ ଏ ଦେଶର ବାଣିଜ୍ୟ ବ୍ୟବସାୟକୁ କବ୍‌ଜା କଲେ । ଏହା ପୂର୍ବରୁ ତ୍ରୟୋଦଶ ଶତାବ୍ଦୀରେ ଇଣ୍ଡୋନେସିଆ ଇସ୍‌ଲାମ ପ୍ରଭାବାଧୀନ ହେଲା । ଏବଂ ତତ୍‌ପୂର୍ବରୁ ଏ ଦେଶର ଅଧିକାଂଶ ଲୋକ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଥିଲେ ।

ଅଷ୍ଟମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାୟ ୫୦୦ ବର୍ଷ କାଳ ଏଠାରେ ‘ଶ୍ରୀବିଜୟ’ ଓ ‘ମହାପାହିତ’ ନାମକ ଦୁଇଟି ସାମ୍ରାଜ୍ୟର ଶାସନ ଥିଲା । ପ୍ରଥମଟି ହିନ୍ଦୁ ଓ ଦ୍ୱିତୀୟଟି ବୌଦ୍ଧ । ତେଣୁ ହିନ୍ଦୁ ଓ ବୌଦ୍ଧ ସଂସ୍କୃତିର ଅନେକ ଚିହ୍ନ ଏ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି । ଏୟାରପୋର୍ଟରୁ ହୋଟେଲ୍ ଯିବା ରାସ୍ତାରେ ଏକ ବଡ଼ ଛକ ଉପରେ ନଜର ପଡିଲା ମାତ୍ରେ ରାମ ଅହମ୍ମକୁ ଗାଡ଼ି ରଖିବାକୁ କହିଲି । ଛକଟିର ନାଁ ହେଲା ‘ଅର୍ଜୁନ-ବିଷାଦ ଯୋଗ ଛକ’ ଏବଂ ଏହି ଗୋଲେଇ ଭିତରେ ଏକ ବିରାଟ ରଥ ପାଖରେ ପାଞ୍ଚଜନ୍ୟ ଶଙ୍ଖ ହାତରେ ଧରି ଶ୍ରୀକୃଷ୍ଣ ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧ କ୍ଷେତ୍ରରେ ଗୀତା ଉପଦେଶ ଦେଉଥିବାର ସୁନ୍ଦର ପ୍ରସ୍ତର ମୂର୍ତ୍ତି । ଭାରତର ଛୋଟ ବଡ଼ ପାଞ୍ଚ ହଜାର ସହରର କୌଣସି ଛକରେ ଏପରି ଦୃଶ୍ୟ ଦେଖିବାକୁ ମିଳିବ ନାହିଁ । କାର୍ ଭିତରେ ମୋ ପାଖରେ ବସିଥିବା ମହିଳା ଶ୍ରୀମତୀ ‘ବୁପୁର୍’ଙ୍କୁ ପଚାରିବାରୁ କହିଲେ “ଆମ ଦେଶରେ ରାମାୟଣ, ମହାଭାରତ ଓ ଏହାର ନାୟକ ଶ୍ରୀରାମ ଓ ଶ୍ରୀକୃଷ୍ଣ ଅତ୍ୟନ୍ତ ଲୋକପ୍ରିୟ । ଦେଶର ଅନେକ ଅଞ୍ଚଳରେ ରାମଲୀଳା ଓ କୃଷ୍ଣଲୀଳା ଲୋକେ ସାରା ରାତି ଉଜାଗର ରହି ଦେଖନ୍ତି । ଆମେ ରାମାୟଣ ଓ ମହାଭାରତକୁ ଆମ ଦେଶ ଓ ସଂସ୍କୃତିର