ପୃଷ୍ଠା:Bikalpa Biswa.pdf/୧୯୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ରାମଙ୍କ ନାମ ବଦନାମ ନ କର

ଇଣ୍ଡୋନେସିଆରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ କାମ କରୁଥିଲା ବେଳେ ପ୍ରାୟ ୫୦ରୁ ଅଧିକ ବିଶ୍ୱ ବିଦ୍ୟାଳୟ ଓ କୁଳପତିମାନଙ୍କ ସମ୍ପର୍କରେ ଆସିଥିଲି । ମୋର ମୁଖ୍ୟ ଦାୟିତ୍ୱ ଥିଲା, ସେ ଦେଶର ଯୁବବର୍ଗଙ୍କ କଲ୍ୟାଣପାଇଁ ଏକ ରାଷ୍ଟ୍ରୀୟ ଯୋଜନାର ରୂପରେଖ ପ୍ରସ୍ତୁତ କରିବା, ଏକ ଯୁବ ସ୍ୱାସ୍ଥ୍ୟ ନୀତିର ଡ୍ରାଫ୍ଟ ତିଆରି କରିବା । ସେହି ଅବସରରେ ଯାଇଥିଲି ଯୋଗଜାକର୍ତା - ଦେଶର ଦ୍ୱିତୀୟ ବୃହତ୍ତମ ନଗରୀ । ମଧ୍ୟ ଜାଭା ଏବଂ ସାରା ଦେଶର ସାଂସ୍କୃତିକ ପ୍ରାଣକେନ୍ଦ୍ର, ଦେଶର ଆତ୍ମା - ନଗରୀ ବା ‘ସୋଲ୍ ସିଟି’ । ଦକ୍ଷିଣ ପଟେ ଭାରତୀୟ ମହାସାଗର ଓ ଉତ୍ତର ପଟେ ଆଗ୍ନେୟ ଗିରିମାଳା, ମଝିରେ ପାହାଡ଼, ଜଙ୍ଗଲ, ଧାନ ଜମି ଓ ଶହ ଶହ ପୁରାତନ ହିନ୍ଦୁ ଓ ବୌଦ୍ଧ ମନ୍ଦିର ଏବଂ ସ୍ତୂପ । ସବୁଠାରୁ ବଡ଼ ମନ୍ଦିର ହେଲା ପ୍ରମ୍ବାନନ୍ । ଉଚ୍ଚତା ୧୬୫ ଫୁଟ ଏବଂ ଅଷ୍ଟମ ଶତାବ୍ଦୀରେ ନିମର୍ତି ଏହି ମନ୍ଦିରକୁ ପୃଥବୀର ସବୁଠାରୁ ବଡ଼ ଓ ସୁନ୍ଦର ହିନ୍ଦୁ ମନ୍ଦିର ବୋଲି କୁହାଯାଏ । ସେହିପରି ନିକଟସ୍ଥ ବୋରୋବୁୁର (ବଡ଼ ବୁଦ୍ଧ) କେବଳ ଇଣ୍ଡୋନେସିଆରେ ନୁହେଁ, ସାରା ବିଶ୍ୱର ସବୁଠାରୁ ବଡ଼ ସ୍ତୂପ । ଏହି ସ୍ତୂପ ଉପରୁ ସୂର୍ଯ୍ୟୋଦୟ ଦେଖିବାପାଇଁ ଅନେକ ଟୁରିଷ୍ଟ ଆସନ୍ତି । ଏହାଛଡ଼ା, ଇଣ୍ଡୋନେସିଆର ପୁରାତତ୍ତ୍ୱ ବିଭାଗ ୨୧ ବର୍ଷ ଧରି ଖୋଦନ ପରେ, ଶାମ୍ବଶିରୀ ନାମକ ଏକ ବିରାଟ ହିନ୍ଦୁ ମନ୍ଦିର ଆବିଷ୍କାର କରିଛନ୍ତି । ଏହା ପ୍ରାୟ ୫୦୦ ବର୍ଷ ହେଲା ମାଟି ତଳେ ପୋତି ହୋଇଯାଇଥିଲା । ଓଡ଼ିଶାର କୋଣାର୍କ ଭଳି । ଏକ ମୁସଲମାନ ବହୁଳ ଦେଶରେ ହିନ୍ଦୁ ମନ୍ଦିର ଓ ବୌଦ୍ଧ ସ୍ତୂପମାନଙ୍କର ସୁରକ୍ଷା ବ୍ୟବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି ।

ଯୋଗଜାକର୍ତା ଛାଡ଼ିବା ପୂର୍ବଦିନ ବିଶ୍ୱ ବିଦ୍ୟାଳୟର ଉପକୁଳପତି ବିଭିନ୍ନ ବିଭାଗ ଅଧ୍ୟକ୍ଷମାନଙ୍କ ସହ ରାତ୍ରି ଭୋଜନ ପରେ ତାଙ୍କ ଭିତରୁ ଜଣେ ପଚାରିଲେ, ଆପଣଙ୍କ ଭାରତରେ ବାବ୍ରୀ ମସଜିଦ ଓ ରାମ ଜନ୍ମଭୂମିପାଇଁ କାହିଁକି ଏତେ କଳି, ତକରାଳ ?