ପୃଷ୍ଠା:Bikalpa Biswa.pdf/୧୯୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଉ ଜଣେ ଉଠି କହିଲେ, ରାମ ତ ଇଣ୍ଡୋନେସିଆରେ ଜନ୍ମ ହୋଇଥିଲେ ଆଉ ବାବର ଜନ୍ମ ହୋଇଥିଲେ ମଧ୍ୟ ଏସିଆରେ, ଏଥିପାଇଁ ଭାରତରେ କାହିଁକି ଏତେ ବିବାଦ ? ଏହି ପ୍ରଶ୍ନରେ ମୁଁ ଆଶ୍ଚର୍ଯ୍ୟ ଓ ଅପ୍ରତିଭ ହୋଇ ଯାଇଥିବା ଦେଖି କୁଳପତି କଥାଟିକୁ ଟିକେ ପରିଷ୍କାର କରି କହିଲେ, ଆପଣ ଖରାପ ଭାବିବେ ନାହିଁ, ଆମ ଦେଶରେ ଅଧିକାଂଶ ଲୋକଙ୍କର ବିଶ୍ୱାସ ଯେ ଶ୍ରୀରାମ ଇଣ୍ଡୋନେସିଆରେ ଜନ୍ମ ହୋଇଥିଲେ ଏବଂ ଅଯୋଧ୍ୟା ହେଉଛି ଯୋଗଜାକର୍ତା ନଗରୀର ପୂରାତନ ନାମ । ଆଗେ ଏହାର ନାମ ଥିଲା ଅଯୋଧ୍ୟା, ପରେ ଅପଭ୍ରଂଶ ହୋଇ କୁହାଗଲା ‘ଅଯୋଗ୍ୟା’ ଏବଂ ଆଧୁନିକ ଯୁଗରେ ନାଁ ପୂର୍ବରୁ ‘ଅ’ କାଟି ଦେଇ ନାଁ ପରେ ଜାକର୍ତା ଯୋଡି ଦେଇ କୁହାଗଲା ‘ଯୋଗଜାକର୍ତା’ । ଆମ ରାଜଧାନୀ ଜାକର୍ତା ଏଠାରୁ ମାତ୍ର ଛ’ଶହ କିଲୋମିଟର ।

ରାତ୍ରି ଭୋଜନ ପରେ ଆରମ୍ଭ ହେଲା ‘ଫେୱାରୱେଲ୍ ସ୍ପିଚ୍’ ବା ବିଦାୟୀ ଭାଷଣ । ଶେଷ ବକ୍ତା ଥିଲେ ‘ଥିଓଲଜି’ (ତାଙ୍କ ଭାଷାରେ ‘ଆଗମ’ ବିଭାଗ) ବିଭାଗର ଅଧ୍ୟକ୍ଷ । ସେ କହିଲେ ଆମେ ୪ଟି ବିଷୟରେ ଭାରତ ପ୍ରତି କୃତଜ୍ଞ । ପ୍ରଥମଟି ହେଲା - ଭାରତ ଆମକୁ ଦେଇଛି ହିନ୍ଦୁ ଧର୍ମ ଓ ସଭ୍ୟତା, ଦ୍ୱିତୀୟରେ ଭାରତରୁ ଏଠାକୁ ଆସିଛି ବୌଦ୍ଧଧର୍ମ ଏବଂ ତୃତୀୟରେ ଭାରତ ବି ଆମକୁ ଦେଇଛି ଇସଲାମ । ଚତୁର୍ଥରେ ଆମ ଭାଷା (ଇଣ୍ଡୋନେସିଆରେ କହନ୍ତି ‘ବାହାଷା’)ର ଜନନୀ ହେଉଛି ଆପଣଙ୍କ ଦେଶର ସର୍ବ ପୁରାତନ ଭାଷା ସଂସ୍କୃତ । ଭାଷଣ ସରିଲା ପରେ ତାଙ୍କ ପାଖକୁ ଯାଇ ପଚାରିଲି ‘ଇସଲାମ୍ କେମିତି ଏଠାକୁ ଆସିଲା ଭାରତରୁ ? ଅଳ୍ପ ହସି କହିଲେ, ଆପଣ ବୋଧେ ଜାଣି ନାହାନ୍ତି - ଗୁଜୁରାଟର ମୁସଲିମ୍ ଟ୍ରେଡ଼ର୍ ବା ବ୍ୟବସାୟୀମାନେ ପ୍ରଥମେ ଏଠାରେ ଇସଲାମ୍ ଧର୍ମ ପ୍ରବର୍ତ୍ତନ କରିଥିଲେ । ପୁଣି କହିଲେ “ହଁ, ଶୁଣନ୍ତୁ, ଆମ ରାମ ଆମ ଅଯୋଧ୍ୟା (ଯୋଗ ଜାକର୍ତା) ରେ ସିନା ଜନ୍ମ ହୋଇଥିଲେ କିନ୍ତୁ ଆମେ ଅଯୋଧ୍ୟାକୁ ଏତେ ଗୁରୁତ୍ୱ ଦେଉନୁ କାରଣ ଅଯୋଧ୍ୟା ଛାଡ଼ିଲା ପରେ ହିଁ ଶ୍ରୀ ରାମଙ୍କ ଚରିତ୍ରର ପ୍ରକୃତ ବିକାଶ ଘଟିଥିଲା ।” ମୁଁ ଉତ୍ତର ଦେଇ କହିଲି ଭାରତ ଫେରିଲେ ଏକଥା ସମସ୍ତଙ୍କୁ କହିବି । ମନ ଭିତରେ ଭାବୁଥିଲି, ଏଠାରେ ଅଯୋଧ୍ୟା ଏକ କଳା, ସଂସ୍କୃତି ଓ ପ୍ରଗତିର ମହାନଗରୀ ହେଲାଣି, ଆମ ଅଯୋଧ୍ୟାରେ ନିଆଁ ଲାଗିଛି । ୫୦ ବର୍ଷ ଧରି ଜାତି, ଧର୍ମ ଓ ସାମ୍ପ୍ରଦାୟିକ ରାଜନୀତି ଓ କଳହ ପ୍ରଭାବରେ ଦେଶ କ୍ଲାନ୍ତ-ଶ୍ରାନ୍ତ ହୋଇଗଲାଣି ।

ରାମସେତୁ ନେଇ ଏବେ ପୁରାଣ ଓ ଇତିହାସ ମଧ୍ୟରେ କନ୍ଦଳ ହେଲାଣି, ବାବ୍ରୀ ଢାଞ୍ଚା ତଳୁ ରାମ ମନ୍ଦିରର ଧ୍ୱଂସାବଶେଷ ଖୋଜା ଚାଲିଛି । ମନ୍ତ୍ରୀ ଆଜି କହୁଛନ୍ତି ସେତୁ