ପୃଷ୍ଠା:Bikalpa Biswa.pdf/୧୯୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବନ୍ଧ ମିଛ, ରାମ ମିଛ, ପୁଣି କାଲି କହୁଛନ୍ତି ରାମ ଓ ରାମାୟଣ ଆମ ଐତିହ୍ୟର ଅଙ୍ଗା ଇତିହାସ, ଆର୍କେଲୋଜି ବା ପ୍ରତ୍ନ‌ତତ୍ତ୍ୱ କହୁଛି ଆମ ଗୋସେଇଁ ବାପାଙ୍କ ପୂର୍ବରୁ ଆଉ ସବୁ ପୁରାଣ, ତଥ୍ୟହୀନ । ଅଳ୍ପଦିନ ପରେ ଏମାନେ ପୁଣି କହିପାରନ୍ତି ରାମାୟଣର ରଚୟିତା ବାଲ୍ମିକୀ ଓ ମହାଭାରତର ଲେଖକ ବ୍ୟାସ ମଧ୍ୟ ମିଛ । କାରଣ ମ୍ୟୁନିସିପାଲିଟି ବା ପଞ୍ଚାୟତ ଜନ୍ମ ରେକର୍ଡରେ ଏମାନଙ୍କର ନାଁ ନାହିଁ । ତାଳପତ୍ର ପୋଥି ବିଶ୍ୱାସ ଯୋଗ୍ୟ ନୁହେଁ । ବେଦ, ଉପନିଷର ବାପା ମା ନାହାନ୍ତି କାରଣ ବୈିଦିକ ଯୁଗରେ ଇତିହାସ ଲେଖା ହେଉନଥିଲା । ଶାସ୍ତ୍ରାର୍ଥ, ଜ୍ଞାନ, ଭକ୍ତି, କର୍ମ, ସମାଧି ଓ ନିର୍ବାଣର ଚର୍ଚ୍ଚା ହେଉଥିଲା । ପ୍ରସିଦ୍ଧ ପ୍ରତ୍ନତତ୍ତ୍ୱ ଓ ନୃତତ୍ତ୍ୱବିତ୍ ଏ.ଏଲ୍.ବାଶାମ୍ କହନ୍ତି, ପୁରାଣ ଭିତରେ ଇତିହାସ ଓ ଇତିହାସ ଭିତରେ ପୁରାଣ ଭର୍ତ୍ତି ହୋଇ ରହିଛି ।

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଯେଉଁ ଅଯୋଧ୍ୟାକୁ ପରିତ୍ୟାଗ କରିଥିଲେ ଓ ରାଜପଦକୁ ଗୋଡ଼ରେ ଆଡେ଼ଇ ଦେଇଥିଲେ, ସେହି ରାମଙ୍କ ପବିତ୍ର ନାମକୁ ଏବେ ପଦପଦବୀ ପ୍ରାପ୍ତିପାଇଁ ବ୍ୟବହାର କରାଯାଉଛି । ଶ୍ରୀରାମ ଓ ମା’ ସୀତାଙ୍କ ପ୍ରତିମାକୁ ଏବେ ‘ଟେମ୍ପରାରି ସେଡ୍’ରେ ରଖାଯାଇଛି ଓ ଚାରିପଟେ ‘ବଙ୍କର’ ଓ ସହସ୍ରାଧିକ ପୁଲିସି ଘେରି ରହିଥିବା ମୁଁ ସ୍ୱଚକ୍ଷୁରେ ଦେଖି ଆସିଛି । ଏ ଅବସ୍ଥା ପ୍ରତ୍ୟେକ ରାମପ୍ରେମୀଙ୍କୁ ବ୍ୟଥିତ କରିବ । କିନ୍ତୁ ଏହିଭଳି ଅବସ୍ଥା ଜାରି ରହିବା ହିଁ ସାମ୍ପ୍ରଦାୟିକ ରାଜନୀତିପାଇଁ ଅନୁକୂଳ । ସମାଧାନ ହୋଇଗଲେ ଭୋଟ ବଜାରରେ ଉଭୟ ହିନ୍ଦୁ ଓ ମୁସଲମାନ ନେତାଙ୍କ ଭାଉ କମିଯିବ । ତଥାକଥିତ ଧର୍ମ ନିରପେକ୍ଷବାଦୀମାନେ ବି ଅଡ଼ୁଆରେ ପଡ଼ିବେ । କାରଣ ଏପରି ହେଲେ ଲୋକେ ଆଗେ ଭୋଟର ନ ହୋଇ ମଣିଷ ଭାବରେ ଗଣା ହେବେ ।

ସେତୁବନ୍ଧ ରାମେଶ୍ୱରରେ ମଧ୍ୟ ବିବାଦର ଚରିତ୍ର ଏକା । ଯେଉଁ ସମସ୍ୟାକୁ ସମୁଦ୍ର ବିଜ୍ଞାନୀ ଓ ପରିବେଶବିତ୍‌ମାନେ ବିଚାର କରି ସିଦ୍ଧାନ୍ତ ନେବା କଥା, ସେଥିରେ ବିରୋଧୀ ଦଳଙ୍କ ବିରୋଧ ବା ସରକାରଙ୍କ ସଫେଇ ଦେବାର ଆବଶ୍ୟକତା ନାହିଁ । ୫ ହଜାର ବର୍ଷ ପୁରୁଣା ରାମ ଓ ରାମାୟଣକୁ ଏ ବିବାଦ ଭିତରକୁ ଘୋଷାଡ଼ିବା ଦରକାର ନାହିଁ । ସୁଏଜ୍ କେନାଲ୍‌ଦ୍ୱାରା ଯେପରି ଏସିଆ ଓ ୟୁରୋପ ମଧ୍ୟରେ ଦୂରତ୍ୱ କମିଗଲା, ବାଣିଜ୍ୟ ବଢ଼ିଲା, ରାମସେତୁ ଦେଇ ଜଳ ଜାହାଜ ଯିବା ଆସିବା କଲେ ବଙ୍ଗୋପସାଗର ଓ ଆରବ ସାଗର ମଧ୍ୟରେ ଦୂରତା କମିଯିବ ୪୫୦ ମିଲୋମିଟର ଓ ଯାତ୍ରା ସମୟ କମିବ ଛତିଶ ଘଣ୍ଟା । ଆଉ ଶ୍ରୀଲଙ୍କା ପାରି ହୋଇଯିବାକୁ ପଡ଼ିବ ନାହିଁ । କେତେକ ପରିବେଶ ବିଜ୍ଞାନୀଙ୍କ ମତରେ ଏହାଦ୍ୱାରା ସୁନାମି ଆଶଙ୍କା ବଢ଼ିବ,

୧୯୨ ବିକଳ୍ପ ବିଶ୍ୱ