ପୃଷ୍ଠା:Bikalpa Biswa.pdf/୧୯୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଝଡ଼ବାତ୍ୟା ବିରୋଧରେ ଥିବା ଏକ ଲକ୍ଷ ବର୍ଷ ପୁରୁଣା ପ୍ରାକୃତିକ ପ୍ରାଚୀର ଲୋପ ପାଇବ । ସାମରିକ ଦୃଷ୍ଟିରୁ ଏଲ୍‌ଟିଟି ଆତଙ୍କବାଦୀଙ୍କ ପ୍ରଭାବ ବଢ଼ିବ । ତେଣୁ ଏହା ରାମ ବା ରାମାୟଣ ସମସ୍ୟା ନୁହେଁ । ଆବେଗ, ଉତ୍ତାପ, ଆନ୍ଦୋଳନ‌ଦ୍ୱାରା ବା ନିଜ ପକ୍ଷ ସମର୍ଥନ କରି ଆଫିଡେଭିଟ୍ ବା ସତ୍ୟପାଠଦ୍ୱାରା ଏ ସମସ୍ୟାର ସମାଧାନ ହୋଇ ପାରିବ ନାହିଁ । ତେଣୁ ଏ ସମ୍ପର୍କରେ ଅଧିକ ବିତର୍କ, ବା ବିବାଦ, ଧାରଣା, ଧର୍ମଘଟ ଛାଡ଼ି ଦେଶର ସମୂହ ସ୍ୱାର୍ଥ ଦୃଷ୍ଟିରୁ ଯେଉଁ ନିଷ୍ପତ୍ତି ଅନୁକୂଳ, ସେପରି ନିଷ୍ପତ୍ତି ନେବା ଦାୟିତ୍ୱ ବିଶେଷଜ୍ଞଙ୍କ ଉପରେ ଛାଡ଼ି ଦିଆଯାଉ । ଶ୍ରୀରାମ ସାରା ମାନବଜାତିପାଇଁ ଏକ ଆଦର୍ଶ ପୁରୁଷ, ରୋଲ୍ ମଡେଲ୍ । କବି ବାଲ୍ମିକୀ ତାଙ୍କୁ ଈଶ୍ୱରଙ୍କ ଅବତାର ଭାବେ ବର୍ଣ୍ଣନା ନ କରି ଏକ ଅସାଧାରଣ ମଣିଷ ଭାବରେ ଚିତ୍ରଣ କରିଛନ୍ତି । ସେ ଐତିହାସିକ ନୁହଁନ୍ତି ବା ପୌରାଣିକ ନୁହଁନ୍ତି, ହିନ୍ଦୁ ବା ଅଣହିନ୍ଦୁ ନୁହଁନ୍ତି । ସେ ଏକ ବିଶ୍ୱ ପ୍ରସିଦ୍ଧ ମହାକାବ୍ୟର ମହାନାୟକ, ୫ ହଜାର ବର୍ଷ ପୂର୍ବ ମାନବ ସଭ୍ୟତା ଓ ମୂଲ୍ୟବୋଧର ସର୍ବଶ୍ରେଷ୍ଠ ପ୍ରତୀକ । ତେଣୁ ସୁଦୂର ଇସଲାମିକ୍ ଇଣ୍ଡୋନେସିଆରେ ବି ସେ ଆଜି ପରମ ଆଦରଣୀୟ । ତାଙ୍କୁ ଭୋଟ ରାଜନୀତି ଭିତରକୁ ଟାଣିବା ଏକ ଅକ୍ଷମଣୀୟ ଅପରାଧ ହେବ ।

୩୦ ଅକ୍ଟୋବର, ୨୦୦୭