ପୃଷ୍ଠା:Bikalpa Biswa.pdf/୧୯୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
'ନାସିପୁତି, ସାୟୁର୍ ଆପାସାଜା’

ଜାକର୍ତାରେ ଶୀଘ୍ର ସୂର୍ଯ୍ୟୋଦୟ ହୁଏ । ଆମ ଦେଶଠାରୁ ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ । ମୋ ନିଦ ଭାଙ୍ଗିଲାବେଳକୁ ଚାରିଆଡ଼େ ଖରା ମାଡ଼ିଗଲାଣି । କିଛି ସମୟ ପରେ ଦୁଆର ବେଲ୍ ବାଜିଲା । କବାଟ ଖୋଲିଲା ବେଳକୁ ଅହମଦ ସାମ୍ନାରେ ଠିଆ ହୋଇଛନ୍ତି । କହିଲେ ‘ସଲାମତ୍ ପାଗି’ - ମାନେ ସୁପ୍ରଭାତ, ସ୍ୱାଗତମ୍ । ଆମେ ଏଥର ବାହାରିବା, ସମୟ ହୋଇଗଲାଣି । ତରବରରେ ନିତ୍ୟକର୍ମ ସାରି ବାହାରି ପଡ଼ିଲି । ଶିକ୍ଷା ମନ୍ତ୍ରଣାଳୟରେ ପହଞ୍ଚିଲୁ ଅଧଘଣ୍ଟା ଭିତରେ । ସେତେବେଳେ ଡାଇରେକ୍ଟର ଜେନେରାଲ ଥାନ୍ତି ଡକ୍ଟର ସୁହାର୍ତୋ । ଖୁବ୍ ଖୁସିବାସିଆ ଲୋକ । ମୋତେ ପାଛୋଟି ନେଇ ଗୋଟି ଗୋଟି କରି ସବୁ ଅଫିସରଙ୍କ ସହ ପରିଚିତ କରାଇ ଦେଲେ ଓ ଶେଷରେ ତାଙ୍କ ଅଫିସ୍ ପାଖରେ ଏକ କମରା ଭିତରକୁ ନେଇ କହିଲେ ଏହି ରୁମ୍‌ଟି ଆପଣଙ୍କର ଅଫିସ୍ । ଟେଲିଫୋନ୍, କମ୍ପୁଯୁଟର ଓ ଫାକ୍ସ ତଥା କପିଅର୍ ଅଛି । ଆଉ ଯାହା ଦରକାର କହିବେ । ଅହମଦଙ୍କୁ ଚୁପ୍ କରି ପଚାରିଲି ଏଠାରେ ସିନିଅର ଓ ସମ୍ମାନାସ୍ପଦ ଲୋକଙ୍କୁ କିପରି ସମ୍ବୋଧନ କରାଯାଏ । କହିଲେ ନାଁ ପୂର୍ବରୁ ‘ପା’ ଲଗାଇ ଦେଲେ ଚଳିବ । ପଚାରିଲାରୁ କହିଲେ ଡକ୍ଟର ସୁହାର୍ତୋଙ୍କୁ ପାହାର୍ତୋ ବୋଲି ଡାକିବେ ।

ଭାରତରେ ଇଂରାଜୀ ଭାଷା ଭଳି ଇଣ୍ଡୋନେସିଆରେ ଡଚ୍ ଭାଷା ବହୁ ଲୋକ କହନ୍ତି ଓ ବୁଝନ୍ତି । ଖୁବ୍ କମ୍ ଲୋକ ଇଂରାଜୀ ବୁଝନ୍ତି । ମୋତେ ତାଙ୍କ ଦେଶ ଭାଷା ‘ବାହାଷା’ ବା ଡଚ୍ ଜଣା ନଥିବାରୁ ପ୍ରଥମେ ନିଜକୁ ନିରକ୍ଷର ବୋଲି ଭାବୁଥିଲି । ତେଣୁ ପ୍ରଥମ ଦୁଇ ସପ୍ତାହ ଚାଲୁ ‘ବାହାଷା’ ଶିଖିବାରେ କଟି ଯାଇଥିଲା । ସୌଭାଗ୍ୟକ୍ରମେ ଅହମଦ ଓ ସୁହାର୍ତୋ ଇଂରାଜୀ କହି ବୋଲି ପାରୁଥିଲେ । ସେତେବେଳେ ଇଣ୍ଡୋନେସିଆରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶାଖାର ମୁଖ୍ୟ ଥିଲେ ରବର୍ଟ କିମ୍ ଫାର୍ଲେ । ସେ ମୋଠାରୁ ଭଲ ‘ବାହାଷା’ କହି ପାରୁଥିଲେ । ସେଦିନ ରବର୍ଟ, ଡ. ସୁହାର୍ତୋ ଓ ମୁଁ ବସି ଆସନ୍ତା ତିନି ମାସପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ମୋ କାର୍ଯ୍ୟକ୍ରମ


ବିକଳ୍ପ ବିଶ୍ୱ୧୯୪