ପୃଷ୍ଠା:Bikalpa Biswa.pdf/୧୯୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖସଡ଼ା ଚୂଡାନ୍ତ କଲୁ । ଲଞ୍ଚ୍ ବା ମଧ୍ୟାହ୍ନ ଭୋଜନ ପୂର୍ବରୁ ରବର୍ଟ ନିଜ ଅଫିସକୁ ଫେରିଗଲେ ।

ଲଞ୍ଚ୍ ଟାଇମ୍ ହେଲାରୁ ଅହମଦଙ୍କୁ ପଚାରିଲି, ଏଠି କୋଉଠି ଖାଇବାକୁ ମିଳିବ । କହିଲେ ଆପଣଙ୍କୁ ଏଇଠି ଲଞ୍ଚ ମିଳିବ । ଆମ ଦେଶର ସବୁ ଅଫିସରେ ଚା ଓ ୱାର୍କିଂ ଲଞ୍ଚ୍ ଫ୍ରି ମିଳେ । ଏହାଦ୍ୱାରା କର୍ମଚାରୀଙ୍କ ସମୟ ବଞ୍ଚେ ଓ ଅଧିକ କାମ ହୁଏ । ଅଫିସ୍ କରିଡରରେ ଫୁଟନ୍ତା ପାଣି, ଚା, ଚିନି ଓ କ୍ରିମ୍ ରଖାଯାଇଥାଏ । ସପ୍ତାହରେ ୫ ଦିନ ଅଫିସ୍ ଚାଲେ । ଅଫିସରଙ୍କଠାରୁ ପିଅନ ପର୍ଯ୍ୟନ୍ତ ସମସ୍ତଙ୍କପାଇଁ ଏକ ଘଣ୍ଟା ଡ୍ରିଲ ବାଧ୍ୟତାମୂଳକ । ସରକାର ଅଫିସରେ ମୋଟା, ପେଟୁଆ କର୍ମଚାରୀ ଚାହାନ୍ତି ନାହିଁ । ଡ୍ରିଲ୍ ପରେ ପ୍ରାର୍ଥନା ଓ ତାପରେ ଖାନା । ମହିଳାଙ୍କପାଇଁ ସ୍ୱତନ୍ତ୍ର ପ୍ରାର୍ଥନା ଗୃହ ଥାଏ । ମସଜିଦ୍ ଯିବା ଆବଶ୍ୟକ ପଡେ ନାହିଁ । ଇଣ୍ଡୋନେସିଆରେ ଧର୍ମପତ୍ନୀଙ୍କୁ କୁହାଯାଏ ଧର୍ମ ବନିତା ଏବଂ ଏମାନେ ‘ଧର୍ମ-ବନିତା’ ନାମକ ସ୍ୱେଚ୍ଛାସେବୀ ସଂସ୍ଥା ଗଢ଼ି ସାରା ଦେଶର ବିଭିନ୍ନ ଗଠନମୂଳକ କାମ କରିଥାନ୍ତି । ପ୍ରତି ସହରରେ ଏମାନଙ୍କ କାର୍ଯ୍ୟାଳୟ ଅଛି ।

ଏହିପରି କଥା ହେଉ ହେଉ ଲଞ୍ଚ୍ ଆସି ପହଞ୍ଚିଗଲା । ପ୍ଲାଷ୍ଟିକ୍ ପ୍ଲେଟ୍‌ରେ ଭାତ, ଦୁଇଖଣ୍ଡ ମାଂସ ଓ ସାଲାଡ୍ । କହିଲି ମୁଁ ତ ମାଂସ ଖାଏ ନାହିଁ । କହିଲେ ଏଇଟା ହେଉଛି ଖାଣ୍ଟି ଗୋ ମାଂସ, ଚାଖନ୍ତୁ, ଭାରି ଭଲ ଲାଗେ । ଉତ୍ତର ଦେଇ କହିଲି, ମୁଁ ଭାରତୀୟ ଓ ହିନ୍ଦୁ, ଆମେ ଗୋ ମାଂସ ଭକ୍ଷଣ କରୁନାହୁଁ । ଏହା ଶୁଣି ଖାନସାମା ପ୍ଲେଟଟି ଉଠାଇ ନେଲେ, ସେଥିରୁ କସା ଗୋମାଂସ ତକ ଚାମଚରେ କାଢ଼ି ନେଇ ପୁଣି ସେଇ ପ୍ଲେଟ୍‌କୁ ଆଣି ଥୋଇ ଦେଇ କହିଲେ ସାର୍ ଏଥର ଖାଆନ୍ତୁ । ମୁଁ କହିଲି ପ୍ଲେଟ୍‌ରେ ସବୁ ଲାଗିଛି, ବଳାଇ ଦିଅନ୍ତୁ । ମୁଁ କାହିଁକି ଏ କଥା କହୁଛି ସେ ବୁଝି ପାରିଲେ ନାହିଁ, କିନ୍ତୁ ପ୍ଲେଟ୍ ବଳାଇ ଭାତ ଓ ସାଲାଡ୍ ଦେଇଗଲେ । ସେଦିନ ଭାତ-ସାଲାଡ୍ ଲଞ୍ଚ୍ ଖାଇ କ୍ଷୁଧା ଶାନ୍ତ କଲି । ତା’ଆର ଦିନ ଲଞ୍ଚ୍ ବେଳକୁ ଆଣି ଥୋଇଲେ ଚିକେନ୍ ବିରିଆନି । କହିଲେ ଏଇଟା ଇଣ୍ଡିଆନ୍ ଖାନା । ତାଙ୍କୁ ପୁଣି ବୁଝାଇ କହିଲି, ଦେଖ ମୁଁ ଚିକେନ୍ ଖାଏ ନାହିଁ । ସରି, ସରି କହି ଚାମଚରେ ଚିକେନ୍ ଟୁକୁଡା ସବୁ ବାଛି ନେଲେ ଏବଂ କହିଲେ, ସାର୍ ଏଥର ଖା’ନ୍ତୁ । ମୁଁ କହିଲି, ନାଇଁ, ନାଇଁ, ଏମିତି ନୁହଁ, ମୋତେ ସାଦା ଭାତ ଓ ଆଉ ଯାହା ଭେଜିଟେବଲ୍ (ପରିବା) ଅଛି ଦିଅ । ସେ ଦଶ ମିନିଟ୍ ପରେ ଭାତ ଓ କଞ୍ଚାକୋବି ପତ୍ର ଦେଇଗଲେ ।

ଇଣ୍ଡୋନେସିଆ ଲୋକେ ଭାରି ଚିକେନ୍ ପ୍ରିୟ । ତାଙ୍କ ଭାଷାରେ ଚିକେନ୍‌କୁ କହନ୍ତି ‘ଅୟାମ୍’ । ଏହାକୁ ବିଭିନ୍ନ ଭାବରେ ରନ୍ଧାଯାଏ । ରାସ୍ତାକଡ଼ ରେସ୍ତୋରାଁ ମାନଙ୍କରେ

ବିକଳ୍ପ ବିଶ୍ୱ

୧୯୫