ପୃଷ୍ଠା:Bikalpa Biswa.pdf/୧୯୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
‘ଦେବାନାମ୍ ଦେବା’

ଦ୍ୱୀପମାଳିନୀ ଇଣ୍ଡୋନେସିଆର ୩୨ଟି ପ୍ରଦେଶରୁ ସବୁଠାରୁ ବଡ଼ ‘ଜାଭା’ । ଆମ ଓଡ଼ିଆ ସାଧବ ପୁଅମାନେ ବାଣିଜ୍ୟପାଇଁ ଏଇ ଅଞ୍ଚଳକୁ ଯିବା ଆସିବା କରୁଥିଲେ । ଦେଶର ଅଧାରୁ ଅଧିକ ଲୋକ ଏଠି ରହନ୍ତି । ନବେ ଭାଗ ମୁସଲିମ୍ । ହଜାରେ କିଲୋମିଟର ଲମ୍ବା ଓ ଶହେଅଶୀ କିଲୋମିଟର ଚୌଡ଼ା ମହାଦ୍ୱୀପ । ଯୋଗଜାକର୍ତା ଗସ୍ତ ସମୟରେ ମୋ ସାଙ୍ଗରେ ଥାନ୍ତି ଇଣ୍ଡୋନେସିଆ ଶିକ୍ଷା ମନ୍ତ୍ରାଳୟର ଜଣେ ପଦସ୍ଥ କର୍ମଚାରୀ ଶ୍ରୀ ଅହମ୍ମଦ । ଫେଆରୱେଲ୍ ମିଟିଂ ପରେ ଆମେ ଏକାଠି ହୋଟେଲ୍କୁ ଫେରୁଥିଲୁ । କହିଲେ “ଆପଣଙ୍କ ସାଙ୍ଗରେ ବୁଲିବାରୁ ମୁଁ ଏବେ ମୋ ଦେଶ ଓ ଆପଣଙ୍କ ଦେଶ ବିଷୟରେ ଅଧିକ ଜାଣିବାକୁ ପାଉଛି । ସତରେ, ଏପର୍ଯ୍ୟନ୍ତ ମୋର ଧାରଣା ଥିଲା, ରାମଙ୍କର ଜନ୍ମସ୍ଥାନ ଅଯୋଧ୍ୟା ହେଉଛି ଆମ ଯୋଗଜାକର୍ତା (ପୁରୁଣା ନାମ ‘ଅୟୋଗ୍ୟା’) । ଆଜି ଶୁଣିଲି ଭାରତରେ ବି ଗୋଟେ ‘ଅୟୋଗ୍ୟା’ ଅଛି । ରାମ କ’ଣ ସତରେ ଭାରତୀୟ ? କହିଲି ‘ତମେ ଯେମିତି ଭାବୁଛ ରାମ ତମ ଦେଶରେ ଜନ୍ମ ହୋଇଥିଲେ, ଆମେ ଜାଣୁ ସେ ଆମ ଦେଶର ଅଯୋଧ୍ୟା ନଗରୀରେ ଜନ୍ମ ହୋଇଥିଲେ । ପ୍ରକୃତରେ ରାମଙ୍କ ଜନ୍ମସ୍ଥାନ ବା ନାସନାଲିଟି ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାଙ୍କ କର୍ମ, ଆଚରଣ, ଚରିତ୍ର, ବିଚାର ଓ ସୁଶାସନଯୋଗୁଁ ସେ ଆମ ସମାଜର ରୋଲ୍ ମଡେଲ୍ । ସେହିଭଳି ପ୍ରଫେଟ୍ ମହମ୍ମଦ, ଯୀଶୁଖ୍ରୀଷ୍ଟ, ଗୌତମ ବୁଦ୍ଧ କୌଣସି ଦେଶର ଲୋକ ନୁହଁନ୍ତି । ସେମାନଙ୍କର ଚରିତ୍ର, ଚିନ୍ତା ଓ ବିଚାରକୁ ଭିସା, ପାସ୍‌ପୋର୍ଟରେ ବାନ୍ଧି ରଖିହେବ ନାହିଁ ।

ଏହିଭଳି କଥା ହେଉ ହେଉ ବାଟ ସରିଗଲା । ହୋଟେଲ୍‌ରେ ପହଞ୍ଚିଲୁ । ପଥ କଟିଯାଏ କଥାରେ, ବୁଦ୍ଧି ଲୁଚିଯାଏ ମଥାରେ । ତା’ ଆରଦିନ ଅପରାହ୍ନରେ ଜାକର୍ତା ଫେରିଯିବାର କଥା । ଯୋଗଜାକର୍ତା ବିମାନ ବନ୍ଦର ନାଁ ଆଦି ସୁପିତୋ ଏଆରପୋର୍ଟ । ଯେଉଁ ଏଆର୍ଲାଇନ୍‌ରେ ଫେରିବା କଥା ତା ନାଁ ‘ସଂପାତି’ - ରାମାୟଣର ଆଉ ଏକ

୧୯୮