ପୃଷ୍ଠା:Bikalpa Biswa.pdf/୨୦୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜ୍ୟ ପ୍ରତି ସଦୟ, କାରଣ ଏଠି ଦୁଇଟି ବର୍ଷାଋତୁ, ତେଣୁ ପରିବେଶ ସଦା ଶ୍ୟାମଳ । ଦିନବେଳା ତାପମାନ ୨୬ ରୁ ୨୮ ଡିଗ୍ରୀ ।

ଜାଭାରୁ ୨୦ କିଲୋମିଟର ଦୂର ଓ ରାଜରାସ୍ତାର କଡ଼ରେ ଅବସ୍ଥିତ ପ୍ରମ୍ବାନନ୍ ମନ୍ଦିରମାନଙ୍କର ଶୀର୍ଷ ଭାଗ ଦଶ କିଲୋମିଟର ଦୂରରୁ ଖୋଯାଏ । ମନ୍ଦିର ପରିସର ଆମ ଜଗନ୍ନାଥ ମନ୍ଦିରଠାରୁ ପ୍ରାୟ ୫୦ ଗୁଣ ବଡ଼ । ତା’ଭିତରେ ଛୋଟ ବଡ଼ ହୋଇ ୨୨୪ଟି ମନ୍ଦିର (କାଣ୍ଡି - ଏଠି ମନ୍ଦିରକୁ କହନ୍ତି କାଣ୍ଡି) । ନବମ ଶତାବ୍ଦୀ ଶେଷ ଭାଗରେ ରାଜା ବଳିତୁଙ୍ଗ ଓ ଯକ୍ଷଙ୍କ ଅମଳରେ ନିର୍ମିତ । ଅଳ୍ପ ଦୂରରେ ଦ୍ୱୀତୀୟ ବୃହତ୍ତମ ବୌଦ୍ଧ ମନ୍ଦିର ‘ସେୟୁ’ - ଅର୍ଥାତ୍ ଏକ ସହସ୍ର । ସେୟୁ ଏକ ‘ମଣ୍ଡଳ’ ମଧ୍ୟରେ ଅବସ୍ଥିତ ଏବଂ ମଣ୍ଡଳ ସମଗ୍ର ବିଶ୍ୱର ପ୍ରତୀକ । ମଣ୍ଡଳକୁ ଘେରି ଚାରିପଟେ ଚାରିଟି ବଳୟ । ପ୍ରତ୍ୟେକ ବଳୟରେ ୨୫୦ଟି କ୍ଷୁଦ୍ର ମନ୍ଦିର । ଏହିପରି ଏକ ସହସ୍ର କ୍ଷୁଦ୍ର ମନ୍ଦିର ମଧ୍ୟରେ ଥିବାରୁ ନାମ ‘ସେୟୁ’ । ପଚାଶ ‘ରୁପେୟା’ (ଇଣ୍ଡୋନେସିଆ କରେନ୍ସି ବା ଟଙ୍କା ନାଁ ରୁପେୟା) ଦେଇ ମନ୍ଦିର ପରିସରରେ ପ୍ରବେଶ କଲୁ ।

ପାଖରେ ଥାନ୍ତି ଜଣେ ଗାଇଡ୍ - ନାଁ ରହମାନ୍ । ଟେମ୍ପଲ୍ ଟୁରିଜମ୍‌ରେ ଡିପ୍ଲୋମାଧାରୀ । ହିନ୍ଦୁ ମନ୍ଦିରପାଇଁ ମୁସଲମାନ୍ ଗାଇଡ ଦେଖି ଖୁସି ହେଲି । ପ୍ରଥମେ ଆମକୁ ନେଇଗଲେ ଏକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଦୁର୍ଗା ମନ୍ଦିରକୁ । ତ’ପରେ ଏହି ମନ୍ଦିରର ଇତିହାସ ବର୍ଣ୍ଣନା କଲେ । ଅତି ସୁନ୍ଦରୀ ଜାଭା ରାଜକନ୍ୟା ‘ଲାରା’ଙ୍କୁ ମହାପରାକ୍ରମୀ ଅସୁର ରାଜା ବାନ୍ଦୁଙ୍ଗ ବୋଣ୍ଡୋୱସା ବିବାହ କରିବାକୁ ଚାହିଁଲେ । କିନ୍ତୁ ଲାରା ବାନ୍ଦୁଙ୍ଗଙ୍କୁ ବିବାହ କରିବାକୁ ଚାହୁଁନଥିଲେ । ତେଣୁ ଏକ ସର୍ତ୍ତ ରଖିଲେ - ଯଦି ବାନ୍ଦୁଙ୍ଗ୍ ଗୋଟିଏ ରାତିରେ ଏକ ସହସ୍ର ମୂର୍ତ୍ତି ତିଆରି କରିଦେବେ, ତେବେ ସେ ତାଙ୍କୁ ବାହା ହେବେ । ବାନ୍ଦୁଙ୍ଗ ରାଜି ହୋଇ ମୂର୍ତ୍ତି ତିଆରିରେ ଲାଗିଗଲେ । ରାତି ନ ପାହୁଣୁ ୯୯୯ ଟି ମୂର୍ତ୍ତି ଗଢ଼ିଦେଲେ । ଆଉ ଗୋଟିଏ ମୂର୍ତ୍ତି ବାକି ରହିଲା । ଏହା ଦେଖି ଲାରାଙ୍କ ସଖୀମାନେ ପାଳଗଦାରେ ନିଆଁ ଲଗାଇ ଦେଲେ, କୁକୁଡାମାନଙ୍କୁ ଉଠାଇ ଦେଲେ, ଧାନ କୁଟିବା ଆରମ୍ଭ କରିଦେଲେ । ଆଲୁଅ ଓ ସକାଳର ଅନ୍ୟ ସବୁ ଲକ୍ଷଣ ଦେଖି ବାନ୍ଦୁଙ୍ଗଙ୍କୁ ଶେଷ ମୂର୍ତ୍ତିଟି ଗଢ଼ିବା ବନ୍ଦ କରିବାକୁ ପଡ଼ିଲା । ବାଜି ହାରିଗଲେ । କିନ୍ତୁ ପରେ ଯେତେବେଳେ ଜାଣିପାରିଲେ ଯେ ଏହା ଏକ ଧୋକା, ଅତି କ୍ରୋଧରେ ‘ଲାରା’ଙ୍କୁ ଅଭିଶାପ ଦେଇ କହିଲେ ତୁ ହୋଇଯା ଶେଷ ମୂର୍ତ୍ତି । ସେହିଦିନ ଠାରୁ ‘ଲାରା’ ଶେଷ ମୂର୍ତ୍ତି ହୋଇ ଦୁର୍ଗା ଭାବରେ ପୂଜା ପାଇଲେ ।

ଏହି କିମ୍ବନ୍ତୀଟି ଶୁଣାଇ ରହମାନ ଆମକୁ ନେଇଗଲେ ବିଶାଳ ଓ ବିସ୍ମୟ ମନ୍ଦିର

୨୦୦ ବିକଳ୍ପ ବିଶ୍ୱ