ପୃଷ୍ଠା:Bikalpa Biswa.pdf/୨୦୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତ୍ରୟୀ ପ୍ରମ୍ବାନନ୍ ସାମ୍‌ନାକୁ । ତିନିଟି ମନ୍ଦିର - ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ନାମରେ । ଉତ୍ତରପଟେ ବିଷ୍ଣୁ, ଦକ୍ଷିଣ ପଟେ ବ୍ରହ୍ମା ଓ ମଝିରେ ଶିବ । ଭାରତରେ କେବଳ ପୁଷ୍କରଠାରେ ଏକ ବ୍ରହ୍ମା ମନ୍ଦିର ଦେଖିଥିଲି । - ଶିବ ଓ ବିଷ୍ଣୁ ମନ୍ଦିର ଅନେକ । ସ୍ରଷ୍ଟାଙ୍କୁ ସୃଷ୍ଟି ଭୁଲିଯାଇଛି । ବାପ, ମା’ଙ୍କୁ ପିଲାଏ ଭୁଲିଗଲା ଭଳି । ବିଷ୍ଣୁ ମନ୍ଦିର ସାମ୍ନାରେ ଗରୁଡ଼, ଶିବ ମନ୍ଦିର ସାମ୍ନାରେ ନନ୍ଦୀ ଓ ବ୍ରହ୍ମା ମନ୍ଦିର ସାମ୍ନାରେ ହଂସ - ତିନି ଦେବତାଙ୍କ ବାହନ ବା ଡ୍ରାଇଭରଙ୍କପାଇଁ ତିନୋଟି ଛୋଟ ମନ୍ଦିର । ଶିବ ମନ୍ଦିରର ବାରଟି ପାର୍ଶ୍ୱ ଓ ସେ ସବୁଥିରେ ସମ୍ପୂର୍ଣ୍ଣ ରାମାୟଣର ମନୋମୁଗ୍ଧକର ଚିତ୍ର - ପ୍ରସ୍ତର ଖୋଦିତ କଳା । ସେହିପରି ବିଷ୍ଣୁ ମନ୍ଦିର ଚାରିପଟେ କୃଷ୍ଣଲୀଳା ଓ ବ୍ରହ୍ମା ମନ୍ଦିର ଚତୁଃପାର୍ଶ୍ୱରେ ସୃଷ୍ଟିର ଇତିହାସ ଖୋଦିତ । ଶିବ ମନ୍ଦିରର ଉଚ୍ଚତା ୪୭ ମିଟର, ଉଭୟ ପାଶ୍ୱର୍ରେ ଥିବା ବିଷ୍ଣୁ ଓ ବ୍ରହ୍ମା ମନ୍ଦିର ତା’ଠାରୁ ସାନ । ଏବେ ଜାଭାରେ ଘଟିଥିବା ଭୂମିକମ୍ପଦ୍ୱାରା ପ୍ରମ୍ବାନନ୍ ଦୋହଲି ଯାଇଥିବାରୁ ପ୍ରତ୍ନତତ୍ତ୍ୱ ବିଭାଗ ରିପେୟାର୍ କାମରେ ଲାଗିଛନ୍ତି ।

ଗାଇଡ ରହମାନଙ୍କୁ ପଚାରିଲି, ଶିବଙ୍କ ମନ୍ଦିର କାହିଁକି ବିଷ୍ଣୁ ଓ ବ୍ରହ୍ମାଙ୍କ ମନ୍ଦିର ମଝିରେ ଅଛି ଓ କାହିଁକି ଏହାର ଉଚ୍ଚତା ଅଧିକ ? ଇଂରାଜୀ ଓ ସଂସ୍କୃତକୁ ମିଶାଇ ଉତ୍ତର ଦେଲେ - “ବିଷ୍ଣୁ ଇଜ୍ ଦେବା, ବ୍ରହ୍ମା ଇଜ୍ ଦେବା, ବଟ୍ ଶିବା ଇଜ୍ ମହାଦେବା, ଦେବାନାମ୍ ଦେବା ।” ସେ ଦେବତାଙ୍କ ଦେବତା ତେଣୁ ମହାଦେବ, ବ୍ରହ୍ମା ଓ ବିଷ୍ଣୁଙ୍କଠାରୁ ବି ବଡ଼ । ପରେ ସେ ଜାଣି ପାରିଲେ ମୁଁ ଭାରତରୁ ଆସିଛି । କହିଲେ ଯେତିକି ଜାଣିଛି ସେତିକି କହିଲି । ତାଙ୍କୁ ଧନ୍ୟବା ଦେଇ ଫେରିଲା ବେଳକୁ କହିଲେ ଆପଣମାନେ ସନ୍ଧ୍ୟା ପର୍ଯ୍ୟନ୍ତ ରହନ୍ତୁ, ରାମାୟଣ ‘ବାଲେ’ ଦେଖିକରି ଯିବେ । ସମଗ୍ର ଦକ୍ଷିଣ ପୂର୍ବ ଏସିଆରେ ରାମୟଣ ‘ବାଲେ’ ଅତ୍ୟନ୍ତ ଲୋକପ୍ରିୟ । ସମୟ ନଥିବାରୁ ରହିପାରିଲୁ ନାହିଁ । ଭାବୁଥିଲି, ଦକ୍ଷିଣ ପୂର୍ବ ଏସିଆର ହିରୋ ଶ୍ରୀରାମଙ୍କ ବିଷୟରେ ଭାରତରେ ପ୍ରଶ୍ନ ହେଉଛି, ସେ କେଉଁ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିଥିଲେ । ଏହାପରେ ଦେଶ କାଳ ପାତ୍ର ଜ୍ଞାନହୀନ ମୂର୍ଖମାନେ ପଚାରିବେ ରାମଙ୍କ ସାର୍ଟିଫିକେଟ୍ ଦେଖାଅ । ରାମ୍ ରାମ୍ ।

୨୮ ନଭେମ୍ବର, ୨୦୦୭