ପୃଷ୍ଠା:Bikalpa Biswa.pdf/୨୦୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଇନ୍ଦ୍ରଜାତି, ନବଲୋକ, ବାନ୍ଦୁଙ୍ଗ୍ ଓ ବାଲିଯାତ୍ରା

“ସାତୁ ବଂଶା, ସାତୁ ବାହାଷା ଓ ସାତୁ ଦେଶା”, “ଦେବାନାମ୍ ଦେବା” ଓ “ନାସିପୁତା ସାୟୁର୍ ଆପାସାଜା” - ଏ ତିନଟି ଲେଖାରେ ଇଣ୍ଡୋନେସିଆରେ ଭାରତୀୟ ସଂସ୍କୃତରି ପ୍ରଭାବ ଆଲୋଚନା କରିଥିଲି । ଏବେ ଆଉ ଏକ ନୂଆ ଅନୁଭୁତି । ବାନ୍ଦୁଙ୍ଗ୍ ଓ ବାଲିଦ୍ୱୀପ ଯାତ୍ରାକୁ ନେଇ । ଜାକର୍ତା ମହାନଗରୀଠାରୁ ବାନ୍ଦୁଙ୍ଗ୍ ୧୮୦ କିଲୋମିଟର - ରାଜରାସ୍ତାରେ ଆମକୁ କାର୍‌ରେ ଲାଗିଲା ତିନି ଘଣ୍ଟା । ପଶ୍ଚିମ ଜାଭାର ରାଜଧାନୀ ବାନ୍ଦୁଙ୍ଗ୍ ଖୁବ୍ ସୁନ୍ଦର ସହର, ନାତିଶୀତୋଷ୍ଣ ଜଳବାୟୁ । ଲୋକସଂଖ୍ୟା ବାଇଶି ଲକ୍ଷରୁ ଅଧିକ - ଭୁବନେଶ୍ୱରର ପ୍ରାୟ ଦୁଇଗୁଣ । ୧୭୮୬ ମସିହାରେ ହଲାଣ୍ଡର ଡଚ୍‌ମାନେ ପ୍ରଥମେ ବାନ୍ଦୁଙ୍ଗ୍ ଓ ଜାକର୍ତା ମଧ୍ୟରେ ରାସ୍ତା ତିଆରି କରିଥିଲେ ଓ ୧୯୦୬ ମସିହାରେ ବାନ୍ଦୁଙ୍ଗ୍ ହେଲା ଏକ ମୁନସିପାଲିଟି - ଏକ ସହର । ଏଠାରେ ବହୁ ଜାତୀୟ, ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେଉଥିବାରୁ ବାନ୍ଦୁଙ୍ଗକୁ “ସମ୍ମିଳନୀ-ନଗରୀ” ବା କନ୍‌ଫରେନ୍‌ସ ସିଟି ବୋଲି କୁହାଯାଏ । ୧୯୫୫ ମସିହାରେ ଏଠାରେ ପ୍ରଥମେ ଆଫ୍ରୋ-ଏସିଆ ସମ୍ମିଳନୀ ହୋଇଥିଲା ଓ ବାନ୍ଦୁଙ୍ଗ୍ ଘୋଷଣାପତ୍ରରେ ୨୯ଟି ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ସ୍ୱାକ୍ଷର କରିଥିଲେ । ଏହି ସମ୍ମିଳନୀରେ ପଣ୍ଡିତ ଜବାହରଲାଲ ନେହେରୁ ସଦ୍ୟ ସ୍ୱାଧୀନ କମ୍ୟୁନିଷ୍ଟ ଚାଇନାର ପ୍ରଧାନମନ୍ତ୍ରୀ ଚଉ ଏନ୍ ଲାଇଙ୍କୁ ବିଭିନ୍ନ ଦେଶରୁ ଆସିଥିବା ଶାସନମୁଖ୍ୟଙ୍କ ସହ ପରିଚିତ କରାଇଥିଲେ । ଏହି କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ନେହେରୁଙ୍କ ଉପରେ ବିରକ୍ତ ହୋଇଥିଲା । ଏହା ପରେ ନାସେର୍, ଟିଟୋ, ସୁକର୍ଣ୍ଣ, ହୋ ଚି ମିନ୍, ଫାଇଡେଲ୍ କାଷ୍ଟ୍ରୋ ଓ ପଣ୍ଡିତ ନେହେରୁ ମିଶି ନିରପେକ୍ଷ ଦେଶଙ୍କ ସମ୍ମିଳନୀର ମୁଳଦୂଆ ପକାଇଥିଲେ ।