ପୃଷ୍ଠା:Bikalpa Biswa.pdf/୨୦୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୁହାଯାଏ ଯେ, ଭାରତର ସ୍ୱାଧୀନତା ଓ ବାନ୍ଦୁଙ୍ଗ୍ ସମ୍ମିଳନୀର ଘୋଷଣାନାମାର ପ୍ରେରଣା ଫଳରେ ପୃଥିବୀରେ ଉପନିବେଶବାର ଦୁର୍ଗ କ୍ରମେ ଦୁର୍ବଳ ଓ ପରେ ନିଶ୍ଚିହ୍ନ ହୋଇଯାଇଥିଲା । ବାନ୍ଦୁଙ୍ଗ୍ ସମ୍ମିଳନୀ ପରେ ଯେତେ ଦେଶ ସ୍ୱାଧୀନ ହେଲେ, ସେମାନେ ଆମେରିକା ବା ସୋଭିଏତ୍ ୟୁନିଅନ୍ ନେତୃତ୍ୱାଧୀନ ଗୋଷ୍ଠୀରେ ନ ରହି ନନ୍ ଆଲାଏନ୍ଡ ମୁଭ୍‌ମେଣ୍ଟ (‘ନାମ୍’)ରେ ଯୋଗେଇ ଗୋଷ୍ଠୀ ନିରପେକ୍ଷ ରହିଲେ । ପ୍ରାୟ ୨୫ ବର୍ଷ ଭିତରେ ଏହି ଦେଶମାନଙ୍କ ସଂଖ୍ୟା ଶହେକୁ ଟପିଗଲା । ଆନ୍ତର୍ଜାତିକ କ୍ଷେତ୍ରରେ ଏମାନଙ୍କୁ କୁହାଗଲା ତୃତୀୟ ବିଶ୍ୱ । ଏହି ତୃତୀୟ ବିଶ୍ୱର କ୍ରମାଗତ ଚାପ ଫଳରେ ଅବଶେଷରେ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟର ଶେଷ ଦୁର୍ଗ ଭୁଶୁଡି ପଡ଼ିଲା ୧୯୯୨ ମସିହାରେ । ନେହେରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆନ୍ଦୋଳନ ୪୦ ବର୍ଷ ପରେ ନେଲ୍‌ସନ୍ ମାଣ୍ଡେଲାଙ୍କ ମୁକ୍ତିରେ ସମାପ୍ତ ହେଲା ।

ବାନ୍ଦୁଙ୍ଗ୍ ସମ୍ମିଳନୀ ଯେଉଁଠାରେ ଅନୁଷ୍ଠିତ ହୋଇଥିଲା ତା’ପାଖ ରାସ୍ତା ନାଁ ଦେଆଯାଇଛି, ‘ଆଫ୍ରୋ-ଏସିଆନ୍ ଷ୍ଟ୍ରିଟ୍’ । ସାମ୍ନାରେ ମ୍ୟୁଜିୟମ୍ । ଏଇ ମ୍ୟୁଜିୟମ୍ରେ ପ୍ରଥମ ଥରପାଇଁ ଦେଖିଲି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ନେଇ ଯାଉଥିବା ଉଡାଜାହାଜ ଦୁର୍ଘଟଣାର ଚିତ୍ର ଓ ଦୃଶ୍ୟ । ସେଠାରୁ ଆମେ ଗଲୁ ବାନ୍ଦୁଙ୍ଗ୍ ଟେକ୍ନୋଲୋଜି ୟୁନିଭିରସିଟି । ପ୍ରୋ-ଚାନ୍ସେଲର୍ଙ୍କ ସହ ମିଟିଙ୍ଗ ଥାଏ । ତାଙ୍କ ଅଫିସ୍ ଆଗରେ ନାମଫଳକରେ ଲେଖାଯାଇଛି, ପ୍ରଫେସର ଇନ୍ଦ୍ରଜାତି । ଭାବିଲି ହିନ୍ଦୁ ହୋଇଥିବେ । ଖୁବ୍ ଖୁସିବାସିଆ ଲୋକ ଓ ଧାର୍ମିକ ମୁସ୍‌ଲିମ । ପଚାରିଲି ଆପଣଙ୍କ ନାଁର ଅର୍ଥ ଜାଣନ୍ତି ? ନାହିଁ କଲେ । ମୁଁ ଯେତେବେଳେ ସ୍ୱର୍ଗର ରାଜା ଇନ୍ଦ୍ରଙ୍କର ସେ ଜାତି ଭାଇ ବୋଲି କହିଲି, ଭାରି ଖୁସି ହୋଇଗଲେ । ସ୍ୱରଚିତ ଦୁଇଟି ପୁସ୍ତକ ତାଙ୍କୁ ଦେଲି, ଗୋଟିକର ନାଁ “ଏଡସ୍ ଏଡୁକେସନ୍ ଫର୍ ଷ୍ଟୁଡେଣ୍ଟ ୟୁଥ୍” । କହିଲେ ଆପଣଙ୍କର ଏ ମାନୁଆଲ ତ ଆମ ଦେଶରେ ବ୍ୟବହାର ହେଉଛି, ଜାଣି ନଥିଲି ଆପଣ ଏହାର ଲେଖକ । ବହି ଉପରେ ମୋ ଅଟୋଗ୍ରାଫ୍ ମାଗିଲେ ଓ ପାଞ୍ଚ ମିନିଟ୍ ପାଇଁ ନିଜ କକ୍ଷ ଭିତରକୁ ଯାଇ, ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟଟି ଆଣି ମୋ ହାତରେ ଧରାଇ ଦେଲେ । କହିଲେ ମୁଁ ଲେଖକ ନୁହେଁ, ଆପଣଙ୍କ ବହି ବଳରେ ମୋ ବହି ଦେଇ ପାରିବି ନାହିଁ । ଏଇ ଆନୁଆଲ ରିପୋର୍ଟଟି ଦେଉଛି । ମଲାଟରେ ବିଶ୍ୱବିଦ୍ୟାଳୟର ‘ଏମ୍ବ୍ଲେମ୍’ ଉପରେ ମୋ ନଜର ପଡିଗଲା ଓ ଆଖି ଲାଖି ରହିଲା । ଏଇ ପ୍ରତୀକଟି ଥିଲା, ଗଜାନନ ଗଣେଶଙ୍କ ମୂର୍ତ୍ତି । ରିପୋର୍ଟଟି ଏ ପର୍ଯ୍ୟନ୍ତ ସାଇତି ରଖିଛି । ଆମ ଦେଶରେ ବନ୍ଦେ ମାତରମ୍, ଗଣେଶ ପୂଜା ଓ ସରସ୍ୱତୀ ବନ୍ଦନା ନେଇ ଏତେ ବିବାଦ । ମୁସ୍‌ଲିମ୍ ଇଣ୍ଡୋନେସିଆ, ଏହାକୁ କେତେ ସହଜରେ ଗ୍ରହଣ କରିନେଇଛି ।

ବିକଳ୍ପ ବିଶ୍ୱ ୨୦୩