ପୃଷ୍ଠା:Bikalpa Biswa.pdf/୨୦୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଥିଓରି । ପ୍ରଥମ ଥିଓରି ଅନୁସାରେ, ଚୋଳ ସାମ୍ରାଜ୍ୟ କାଳରେ ଏଠାକୁ ଆସିଥିଲା ହିନ୍ଦୁ ଧର୍ମ । ଦ୍ୱିତୀୟ ଅନୁସାରେ, ବୈଶ୍ୟ(ସାଧବ ପୁଅ)ମାନେ ଏଠାକୁ ଆଣିଥିଲେ ହିନ୍ଦୁ ଧର୍ମ ଓ ସଂସ୍କୃତି । ଏକ ତୃତୀୟ ଥିଓରି ଅନୁସାରେ, ଇସ୍ଲାମ୍ ଧର୍ମ ଗ୍ରହଣପାଇଁ ରାଜି ନ ହୋଇଥିବା ଇଣ୍ଡୋନେସୀୟ ହିନ୍ଦୁମାନେ ଘରଦ୍ୱାର ଛାଡ଼ି ଏଠାକୁ ଆସି ବସବାସ କରିଥିଲେ । ୧୯୨୩ ମସିହାରେ ରବୀନ୍ଦ୍ରନାଥ ଠାକୁର, ବାଲି ଭ୍ରମଣରେ ଆସି ଏଠାରେ ଭାରତୀୟ ସଂସ୍କୃତିର ପ୍ରଭାବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କ ମା’ ଥିଲେ ବାଲିନିଜ୍ ହିନ୍ଦୁ । ତେଣୁ ସୁକର୍ଣ୍ଣ ବିଭିନ୍ନ ଧର୍ମାବଲମ୍ବୀଙ୍କୁ ଏକାଠି ଶାନ୍ତିରେ ରହିବାକୁ ଉତ୍ସାହିତ କରୁଥିଲେ । ଆକ୍‌ବର ଓ ଯୋଧାବାଈଙ୍କ କାହାଣୀ ମନେ ପଡ଼ିଲା । ଧର୍ମ ଓ ଜାତିର ସୀମା ଡେଇଁ ଯେଉଁମାନେ ବିବାହ କରନ୍ତି ତାହା ଅବଶେଷରେ ସମାଜପାଇଁ ମଙ୍ଗଳମୟ ହୁଏ ।

ବାଲିରେ ରହିଥିଲି ମାତ୍ର ଦୁଇ ଦିନ ଓ ଦୁଇଟି ଘଟଣା ଅଭୁଲା । ପ୍ରଥମଟି ହେଲା, କାର୍ ଦୁର୍ଘଟଣାରେ ନିହତ ବାଲି ଗଭର୍ଣ୍ଣର ଓ ତାଙ୍କ ନାତିଙ୍କ ଅନ୍ତିମ ଶୋଭାଯାତ୍ରାରେ ଯୋଗ ଦେବା । ଏଥିପାଇଁ ବାଲି ପ୍ରଦେଶ ସରକାର ନିମନ୍ତ୍ରଣ କରିଥିଲେ । ଶ୍ମଶାନଠାରୁ ୨ କିଲୋମିଟର ଦୂରରେ ଏକ ବିରାଟ ରଥ ଭିତରେ ଦେହାବଶେଷ ରଖାଯାଇଥାଏ । କଞ୍ଚା ବାଉଁଶରେ ନିର୍ମିତ, ଏଇ ଶ୍ମଶାନ ରଥ ଥିଲା ଏକ ନବତଳ ପ୍ରାସାଦ । ଉଠାଇବାପାଇଁ ସ୍ୱର୍ଗତ ଗଭର୍ଣ୍ଣରଙ୍କ ଅଞ୍ଚଳରୁ ଜ୍ଞାତି, କୁଟୁମ୍ବ ସହ ଆସିଥାନ୍ତି ୫୦୦୦ ଲୋକ । ପ୍ରାୟ ୫୦,୦୦୦ ଲୋକ ଏକାଠି ହୋଇଥାନ୍ତି ଏ ଦୃଶ୍ୟ ଦେଖିବାକୁ । ମୋ ସାଙ୍ଗରେ ଥିବା ଉଦୟନ ବିଶ୍ୱବିଦ୍ୟାଳୟର ପ୍ରଫେସର ମେଘବାନ୍‌ଙ୍କୁ ପଚାରିଲି, ଏପରି ନବତଳ ରଥ କାହିଁକି ? କହିଲେ, ଏହା ମର୍ତ୍ତ୍ୟ ଲୋକରୁ ଆରମ୍ଭ କରି ସତ୍ୟ ଲୋକ ପର୍ଯ୍ୟନ୍ତ ନବ ଲୋକର ପ୍ରତୀକ । ଆତ୍ମା ମର୍ତ୍ତ୍ୟରୁ ଆଠଟି ଲୋକ ଆରୋହଣ ଓ ଅତିକ୍ରମ କରି ଅମର ସତ୍ୟ ଲୋକରେ ପହଞ୍ଚିବ । ତା’ପରେ ଦେହାବଶେଷକୁ ଅଗ୍ନିରେ ସମର୍ପଣ କରାଯିବ । ଏହା ଏଠାକାର ହିନ୍ଦୁମାନଙ୍କର ବିଶ୍ୱାସ । ତାଙ୍କୁ ପୁଣି ପଚାରିଲି, ସାଧାରଣ ଲୋକେ ତ ଏତେ ବଡ଼ ନବତଳ ରଥ ତିଆରି କରି ପାରିବେନି । କହିଲେ ଏପରି ଛୋଟ ଆକାରରେ ମଧ୍ୟ ନବତଳ ବିଶିଷ୍ଟ ରଥସବୁ ଏଠି ତିଆରି ହୁଏ । ସାମର୍ଥ୍ୟ ଅନୁସାରେ ଲୋକେ ଆକାର ବାଛନ୍ତି ।

ସେଦିନ ରାତିରେ ଆମକୁ ନିମନ୍ତ୍ରଣ କରାଯାଇଥିଲା ମହାଭାରତର ଶଲ୍ୟ ପର୍ବ ଦେଖିବାକୁ । ପହଞ୍ଚିଲା ବେଳକୁ ପ୍ରାୟ ୩୦ ହଜାର ଲୋକ ମୁକ୍ତାକାଶ ଷ୍ଟାଡିଅମ୍‌ରେ ଜମା ହୋଇଛନ୍ତି । ଷ୍ଟେଜ୍‌ରେ ପ୍ରାୟ ଶହେ ବାଦ୍ୟଯନ୍ତ୍ରୀ । ରାତି ଏଗାରଟାରୁ ତିନିଟା

ବିକଳ୍ପ ବିଶ୍ୱ ୨୦୫