ପୃଷ୍ଠା:Bikalpa Biswa.pdf/୨୦୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପର୍ଯ୍ୟନ୍ତ ଲୋକେ ବସି କରତାଳି ଦେଇ ଉପଭୋଗ କରୁଥାନ୍ତି । ଓଡ଼ିଶାର ଯାତ୍ରାପାର୍ଟି ଭଳି ବାଲିରେ ଲୋକେ ମାସ ମାସ ଧରି ରାମାୟଣ ଓ ମହାଭାରତ ଦେଖନ୍ତି । ସେମାନେ ଭାରତକୁ ଭଲ ପାଆନ୍ତି ଓ ଜଗନ୍ନାଥଙ୍କ ଓଡ଼ିଶାକୁ ଜାଣନ୍ତି । ଏଠାରେ ରାମାୟଣ ଓ ମହାଭାରତର ବର୍ଣ୍ଣନାରେ ସ୍ଥାନୀୟ ପରମ୍ପରା, କାହାଣୀ, କିମ୍ବଦନ୍ତୀସବୁ ସ୍ଥାନ ପାଇଛନ୍ତି । ବାଲ୍ମିକୀ, ବ୍ୟାସଙ୍କ ମହାକାବ୍ୟକୁ ଆହୁରି ସମୃଦ୍ଧ କରାଯାଇଛି । ସେମାନେ ସମସ୍ତେ ଜାତି ଏବଂ ସମ୍ପ୍ରଦାୟ ନିର୍ବିଶେଷରେ ଜଗନ୍ନାଥଙ୍କୁ ଆପଣାନ୍ତି । କିନ୍ତୁ ବିଡ଼ମ୍ବନା, ଓଡ଼ିଶାରେ ଆମେ ଜଗତର ନାଥଙ୍କୁ ରକ୍ଷଣଶୀଳ ହିନ୍ଦୁନାଥ ଓ ପଣ୍ଡାନାଥ କରି ସାରିଲା ପରେ, ଏବେ ଅନାଥ କରି ଦେଲେଣି । ଅନତି ଦୂରରେ ଲୋକନାଥ ବି ଏବେ ଅଳ୍ପ ଲୋକଙ୍କ ନାଥ ହୋଇଗଲେଣି ।

ଏବେ ବାଲିରୁ ତୀର୍ଥଯାତ୍ରାରେ ଭାରତ ଆସିଥିବା ଏହି ସଚ୍ଚା ହିନ୍ଦୁମାନଙ୍କୁ ମଧ୍ୟ ଜଗନ୍ନାଥ ମନ୍ଦିରରେ ପ୍ରବେଶ ଅନୁମତି ମିଳିଲା ନାହିଁ । ଏହି ଶ୍ରୀମନ୍ଦିରରେ ସ୍ୱୟଂ ମହାଲକ୍ଷ୍ମୀ ଏକ ଜାତି-ଧର୍ମ-ବର୍ଣ୍ଣ ଓ ଉଚ୍ଚ-ନୀଚ୍ଚ ଭେଦଭାବ ଶୂନ୍ୟ ସମାଜପାଇଁ ସଂଗ୍ରାମ ଆରମ୍ଭ କରିଥିଲେ । ଇଣ୍ଡୋନେସିଆର ହିନ୍ଦୁମାନେ ହିଁ କଥା ଓ କାର୍ଯ୍ୟରେ ମହାଲକ୍ଷ୍ମୀଙ୍କର ପ୍ରକୃତ ଅନୁଗାମୀ ।

୨୭ ଡିସେମ୍ବର, ୨୦୦୭

୨୦୬ ବିକଳ୍ପ ବିଶ୍ୱ