ପୃଷ୍ଠା:Bikalpa Biswa.pdf/୨୦୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତେବେ ସେ କ’ଣ ରାୟ ଦେଇଥାନ୍ତେ ? ମୃତ୍ୟୁଦଣ୍ଡ ? ଆଜୀବନ କାରାଦଣ୍ଡ ? ନା ହୃଦୟ ପରିବର୍ତ୍ତନ ଦଣ୍ଡ ? ଯୀଶୁଖ୍ରୀଷ୍ଟ ତ କ୍ରସ୍‌ରେ ରକ୍ତାକ୍ତ ଅବସ୍ଥାରେ ଥାଇ ଆତତାୟୀଙ୍କୁ କ୍ଷମା ବୋପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ହିଂସାର ଉତ୍ତର ଅହିଂସା ନା ପ୍ରତିହିଂସା ? ଦେଶ ଓ ସମାଜର ହିତ ଏବଂ ସୁରକ୍ଷାର ଉପାୟ କ’ଣ ? ଶାସନ ଓ ବିଚାର ବ୍ୟବସ୍ଥାରେ ଦଣ୍ଡର ସଂଜ୍ଞା କ’ଣ, ସ୍ୱରୂପ କ’ଣ ? କ୍ଷମା ଦେବାର ଅଧିକାରୀ କିଏ ? ପାର୍ଲାମେଣ୍ଟ, ରାଷ୍ଟ୍ରପତି, ସମାଜ ନା ଈଶ୍ୱର ? ଦଣ୍ଡ ଏକ ପ୍ରତିଷେଧ ନା ପ୍ରତିକାର ?

ଭାରତୀୟ ପାର୍ଲାମେଣ୍ଟ ଉପରେ ଆକ୍ରମଣ ଓ ସୁରକ୍ଷା କର୍ମୀଙ୍କ ହତ୍ୟା ଅପରାଧରେ ମହମ୍ମଦ ଆଫଜଲ୍ ଗୁରୁଙ୍କୁ ସୁପ୍ରିମ୍‌କୋର୍ଟ ମୃତ୍ୟୁଦଣ୍ଡ ଆଦେଶ ଦେବା ପରେ ସାରା ଦେଶରେ ଏହାର ସପକ୍ଷ ଓ ବିପକ୍ଷରେ ତର୍କ ଆରମ୍ଭ ହୋଇଛି । କାଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍ ଆଫଜଲ୍ ଗୁରଙ୍କୁ ଫାଶୀ ନ ଦେଇ ଆଜୀବନ କାରାଦଣ୍ଡ ସପକ୍ଷରେ ଯୁକ୍ତି କରି କହନ୍ତି ଯେ ଏହା ମୃତ୍ୟୁଦଣ୍ଡଠାରୁ ଅଧିକ କଠୋର । ବିପକ୍ଷ କହନ୍ତି, ମୃତ୍ୟୁଦଣ୍ଡ ଆଜୀବନ କାରାବାସଠାରୁ କଠୋର । ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ, ପ୍ରିୟଦର୍ଶିନୀ ମଟୁଙ୍କୁ ବଳାତ୍କାର ପରେ ବର୍ବରୋଚିତ ଭାବରେ ହତ୍ୟା କରିବା ଅପରାଧରେ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ପୁତ୍ର ସନ୍ତୋଷ ସିଂଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଇଛନ୍ତି । ସେହିପରି ଜେସିକା ଲାଲ୍‌ଙ୍କୁ ରାତି ଅଧରେ ମଦ ନ ଦେବାରୁ ଗୁଳି କରି ହତ୍ୟା ଅପରାଧରେ ଜଣେ ମନ୍ତ୍ରୀଙ୍କ ପୁଅ ମନୁ ଶର୍ମାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଲଣ୍ଡନ ଟ୍ୟୁବ୍ ରେଲ୍‌ରେ ବୋମା ବିସ୍ଫୋରଣ ଅପରାଧରେ ଏବେ ସେଠାର କୋର୍ଟ ଅପରାଧୀଙ୍କୁ ୪୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଦେଇଛନ୍ତି । ଭାରତୀୟ ପିଙ୍ଗଳ କୋଡ୍‌ରେ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାର ଅଧିକାର କୋର୍ଟକୁ ଦିଆଯାଇଛି । ଏବେ ପ୍ରଶ୍ନ କରାଗଲାଣି ଯେ ସରକାରୀ ଅବହେଳା ଓ ନୀତି ବିଭ୍ରାଟଯୋଗୁଁ ଶହ ଶହ ସଂଖ୍ୟାରେ ଯେଉଁ କୃଷକମାନେ ପ୍ରତିବର୍ଷ ଆତ୍ମହତ୍ୟା କରୁଛନ୍ତି ସେଥିପାଇଁ ଯେଉଁମାନେ ଦାୟୀ ତାଙ୍କ ପାଇଁ ଦଣ୍ଡ କ’ଣ ? ଓଡ଼ିଶାରେ ଏବେ ଜଣେ କପାଚାଷୀ ଆତ୍ମହତ୍ୟା କରିଛନ୍ତି । ସେହିପରି ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଅପରାଧୀ କିଏ, କେତେଜଣ ଫାଶୀଦଣ୍ଡ ପାଇଲେଣି ? ଏହିପରି ଅନେକ ପ୍ରଶ୍ନର ଉତ୍ତର ମିଳୁନାହିଁ । ଆଜି ସୁଦ୍ଧା ପ୍ରାୟ ୪୦୦ ରୁ ଅଧିକ ବ୍ୟକ୍ତି ଫାଶୀ ଖୁଣ୍ଟରେ ଝୁଲିବାପାଇଁ ଜେଲ୍‌ମାନଙ୍କରେ ବସି ରହିଛନ୍ତି ।

୨୦୮ ବିକଳ୍ପ ବିଶ୍ୱ