ପୃଷ୍ଠା:Bikalpa Biswa.pdf/୨୦୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନ୍ୟ ପକ୍ଷରେ ଏପର୍ଯ୍ୟନ୍ତ ପୃଥିବୀର ୧୨୯ଟି ଦେଶ, ଫାଶୀଦଣ୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରି ସାରିଲେଣି । ବାକି ଯେଉଁ ୬୮ଟି ଦେଶରେ ଏଇ ଦଣ୍ଡ ଏବେ ବି କାଏମ୍ ରହିଛି ତାଙ୍କ ମଧ୍ୟରେ ଅଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ୍, କ୍ୟୁବା, ଇଜିପ୍ଟ, ସାଉଦି ଆରବ, ଭାରତ, ପାକିସ୍ଥାନ ଓ ଚୀନ୍ ଇତ୍ୟାଦି । ଏପରିକି ଯୁକ୍ତରାଷ୍ଟ୍ର ଆମେରିକାର ୫୦ଟି ପ୍ରଦେଶ ମଧ୍ୟରୁ ୧୨ ଟି ପ୍ରଦେଶ ଏହାକୁ ଉଚ୍ଛେଦ କରିସାରିଲେଣି । ଅନ୍ୟ ୩୮ଟି ପ୍ରଦେଶରେ ଫାଶୀଖୁଣ୍ଟରେ ନ ଝୁଲାଇ ମାରାତ୍ମକ ଇଞ୍ଜେକ୍ସନ୍‌ଦ୍ୱାରା ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରାଯାଉଛି । ଏହାଛଡ଼ା ଆମେରିକାରେ ଆଜୀବନ କାରାଦଣ୍ଡ ପ୍ରକୃତରେ ସାରା ଜୀବନପାଇଁ ଓ ମୃତ୍ୟୁ ପର୍ଯ୍ୟନ୍ତ । ଭାରତରେ ଏହା କେବଳ ୧୪ ବର୍ଷପାଇଁ । ମୁସଲିମ୍ ଦେଶମାନଙ୍କ ମଧ୍ୟରେ ତୁର୍କୀ ଓ ତୁର୍କମେନିସ୍ଥାନରେ ଫାଶୀଦଣ୍ଡ ଉଚ୍ଛେଦ ହୋଇଛି । ମରକ୍କୋ, ବାହାରିନ୍, ଆଲ୍‌ଜେରିଆ ଓ ବ୍ରୁନେଇରେ ଗତ ଦଶ ବର୍ଷ ହେଲା କାହାକୁ ଫାଶୀ ଦିଆଯାଇ ନାହିଁ । ଏସିଆରେ ନେପାଳ ଓ ଭୁଟ୍ଟାନରେ ଫାଶୀଦଣ୍ଡ ନାହିଁ । ଶ୍ରୀଲଙ୍କା ଓ ମାଳଦ୍ୱୀପରେ ଫାଶୀଦଣ୍ଡ ଥିଲେ ବି କାର୍ଯ୍ୟକାରୀ ହୁଏ ନାହିଁ । ଫାଶୀଦଣ୍ଡ ଉଚ୍ଛେଦ କରିଥିବା ଦେଶଙ୍କ ମଧ୍ୟରେ ପର୍ତ୍ତୁଗାଲ ପ୍ରଥମ (୧୯୭୩ ମସିହାରୁ) ଏବଂ ଫିଲିପାଇନ୍ ସର୍ବକନିଷ୍ଠ (୨୦୦୬) ।

୧୯୭୩ ମସିହାରେ ଫାଶୀଦଣ୍ଡ ଉଠାଇ ଦେବା ଉଦ୍ଦେଶ୍ୟରେ ଭାରତ ନେଇଥିଲା ପ୍ରଥମ ପଦକ୍ଷେପ । ପିଙ୍ଗଳ କୋଡ୍ ଧାରା ୩୫୪(୩) ସଂଶୋଧନ କରି କେବଳ ହତ୍ୟା ଓ ଦେଶଦ୍ରୋହ ଅପରାଧପାଇଁ ସୀମିତ ଭାବରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରଖାଗଲା । ବିଚାରପତିମାନେ ମୃତ୍ୟୁଦଣ୍ଡ ରାୟ ଦେଲାବେଳେ ଏହାର ଯଥାର୍ଥତାପାଇଁ ଉପଯୁକ୍ତ କାରଣ ଦର୍ଶାଇବାକୁ ପଡ଼ିବ ବୋଲି ଉଲ୍ଲେଖ କରାଯାଇଛି । ଏହି ନିର୍ଦ୍ଦେଶକୁ ଅନୁସରଣ କରି ସୁପ୍ରିମ୍‌କୋର୍ଟ କେବଳ ଅତି ଅସାଧାରଣ କେଶ୍‌ରେ ମୃତ୍ୟୁଦଣ୍ଡ ଆଦେଶ ଦେଇଆସୁଛନ୍ତି । ଏ ସମ୍ପର୍କରେ ବିଚାରପତିମାନଙ୍କ ମଧ୍ୟରେ ମତଭେଦ ରହିଛି । କିନ୍ତୁ ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ଭାବରେ ଉଠାଇଦେବା ସପକ୍ଷରେ ଭାରତରେ ଜନମତ ଏବେ ବି ଦୁର୍ବଳ । ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀ ସଂସ୍ଥାମାନେ ଏ ବିଷୟକୁ ପ୍ରାଧାନ୍ୟ ଦେଉ ନାହାନ୍ତି । କ୍ରମାଗତ ଆତଙ୍କବାଦ ଲାଗି ରହଥିବାରୁ ଲୋକପ୍ରିୟ ସରକାର ଓ ରାଜନୈତିକ ଦଳମାନେ ଏହା ସପକ୍ଷରେ ଜନମତ ସୃଷ୍ଟି କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏକଥା ବି ସତ ଯେ ସମଗ୍ର ଭାରତରେ ଯେତେ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ, କେବଳ ଆମେରିକାର ଟେକ୍ସାସ୍ ରାଜ୍ୟରେ ତା’ଠାରୁ ଅଧିକ ଲୋକ ମୃତ୍ୟୁଦଣ୍ଡ ପାଇଥାନ୍ତି । ତା’ଛଡ଼ା ଭାରତରେ ତଳ କୋର୍ଟଙ୍କ ଫାଶୀଦଣ୍ଡ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଅପିଲ କରାଯାଇ ପାରିବ ଏବଂ ଏହାପରେ ରାଷ୍ଟ୍ରପତିଙ୍କୁ କ୍ଷମା ଅଧିକାର ସମ୍ବିଧାନ ଦେଇଛି । ଆମ ଦେଶ ତୁଳନାରେ ଚୀନ୍‌ରେ

ବିକଳ୍ପ ବିଶ୍ୱ ୨୦୯