ପୃଷ୍ଠା:Bikalpa Biswa.pdf/୨୧୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିସ୍ଥିତି ଆହୁରି ଚିନ୍ତାଜନକ । ସେଠାରେ ରାଜନୈତିକ ବିରୋଧୀମାନଙ୍କୁ ତଳ କୋର୍ଟମାନେ ଉପଯୁକ୍ତ ଶୁଣାଣି ନ କରି ମୃତ୍ୟୁଦଣ୍ଡ ଦେଇଥାନ୍ତି । ଏବେ ଚୀନ୍ ସରକାର ତଳକୋର୍ଟ ହାତରୁ ସେ କ୍ଷମତା କାଢ଼ି ନେଇଛନ୍ତି । ଚୀନ୍‌ରେ ପ୍ରତିବର୍ଷ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଫାଶୀଦଣ୍ଡ ପାଇଥାନ୍ତି ।

ଭାରତରେ ଯେଉଁମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଏ, ସେମାନଙ୍କ ମଧ୍ୟରୁ ଅନେକ ଉପର କୋର୍ଟରେ ଅପିଲ୍ କରନ୍ତି । କେତେକାଂଶରେ ଉପର କୋର୍ଟ ପୁନର୍ବିଚାର କରି ଏହାକୁ ଆଜୀବନ କାରାଦଣ୍ଡରେ ବଦଳାଇ ଦିଅନ୍ତି । କିଛି ଲୋକ ନିର୍ଦ୍ଦୋଷରେ ଖଲାସ ହୋଇଯାନ୍ତି । ଧନବାନ, ବାହୁବଳୀ ଓ ପ୍ରଭାବଶାଳୀ ନେତାମାନେ ନିଜର ଅପରାଧୀ ସନ୍ତାନମାନଙ୍କୁ ବଡ଼ ବଡ଼ କ୍ରିମିନାଲ ଲୟରଙ୍କୁ ଲଗାଇ ଆଇନ୍ ହାତରୁ ଖସାଇ ଦିଅନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଅପରାଧୀ ସ୍ୱୟଂ ନିଜ ଅପରାଧ ସ୍ୱୀକାର କରିଥାଆନ୍ତି । ଏ ସମ୍ପର୍କରେ ନିକଟ ଅତୀତରେ ଘଟି ଯାଇଥିବା ଏକ ଘଟଣା ଏଠାରେ ଉଲ୍ଲେଖନୀୟ । ଗୁରୁଗାଁଓର ବୋଡ଼ାକଲାନ୍ ଗାଁର ୯ ଜଣ ଲୋକ ୨୦୦୫ ମସିହାରେ ୨୮ ଜଣ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବା ପରେ ଏବେ ନିଜ ଦୋଷ ସ୍ୱୀକାର କରିଛନ୍ତି । କେବଳ ସେତିକି ନୁହେଁ - ଏହି ଗ୍ୟାଙ୍ଗର ୫ ଜଣ ଅପରାଧୀ ଏବେ କହୁଛନ୍ତି “ଆମକୁ ଫାଶୀ ଦିଆଯାଉ - ଆମର ବଞ୍ଚିବାର ଅଧିକାର ନାହିଁ ।” ଏମାନଙ୍କ ମଧ୍ୟରୁ ଜଣେ ଅପରାଧୀ ମୁକେଶଙ୍କ ପିତା ଓଙ୍କାରନାଥ କହନ୍ତି, ପୁଅକୁ ମୁକୁଳାଇବାପାଇଁ କୋର୍ଟରେ ଓକିଲ ଲଗାଇ ଲଢେ଼ଇ କରିବା ତ ଦୂରର କଥା, ମୁଁ ଏପରି ସନ୍ତାନର ପିତା ହୋଇଥିବାରୁ ଲଜ୍ଜିତ ଓ ତା’ର ମୁହଁ ବି ଦେଖିବାକୁ ଚାହେଁ ନାହିଁ ।

ମୃତ୍ୟୁଦଣ୍ଡ ଠିକ୍ ନା ଭୁଲ୍ - ଏ ସମ୍ପର୍କରେ ଆଦର୍ଶ ଓ ଆବେଗର ଉପରକୁ ଉଠି ବିଚାର କରିବାକୁ ହେବ । ପୃଥିବୀର ବିଭିନ୍ନ ଅଞ୍ଚଳରେ ଏହି ବିଷୟରେ ଚାଲିଥିବା ଗବେଷଣାରୁ ଜଣାପଡ଼େ ଯେ ମୃତ୍ୟୁଦଣ୍ଡଦ୍ୱାରା ହିଂସା କମେ ନାହିଁ । ଉଦାହରଣ ସ୍ୱରୂପ ଆମେରିକା ସରକାର ୧୯୬୦ ରୁ ୧୯୭୦ ଦଶବର୍ଷ କାଳ ମୃତ୍ୟୁଦଣ୍ଡ ବ୍ୟବସ୍ଥାକୁ ନିଷ୍କ୍ରିୟ ରଖିବା ପରେ ପୁଣି ୧୯୭୦ରେ ଏହା ଲାଗୁ କରିଥିଲେ । କିନ୍ତୁ ଦେଖାଗଲାଣି କି ୧୯୬୦ ଦଶକରେ ଯେତିକି ହତ୍ୟା ହୋଇଥିଲା, ଦଣ୍ଡ ଲାଗୁ ହେଲା ପରେ ତା’ର ଅନୁପାତ ବଢ଼ିବାରେ ଲାଗିଛି । ଟେକ୍ସାସ୍‌ରେ ସବୁଠାରୁ ଅଧିକ ଲୋକଙ୍କୁ ଫାଶୀ ଦିଆଯାଏ, କିନ୍ତୁ ଏହି ପ୍ରଦେଶରେ ହତ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଅନ୍ୟ ପକ୍ଷରେ ପୃଥିବୀର ଯେଉଁ ଦଶଟି ଦେଶରେ (ଅଷ୍ଟ୍ରିଆ, ସ୍ଲୋଭାନିଆ, ସୁଇଡେ଼ନ୍, ସୁଇଜରଲାଣ୍ଡ, ଇସ୍ରାଏଲ୍, ହଂକଂ, ନରୱେ, ଆୟରଲାଣ୍ଡ, ଫିନ୍ଲାଣ୍ଡ ଏବଂ ସିଙ୍ଗାପୁର)

୨୧୦ ବିକଳ୍ପ ବିଶ୍ୱ