ପୃଷ୍ଠା:Bikalpa Biswa.pdf/୨୧୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଣକର ବୟସ ୬୫ ବର୍ଷରୁ ଅଧିକ ଏବଂ ପ୍ରାୟ ୨୫ ହଜାରରୁ ଅଧିକ ନାଗରିକ ଶତାୟୁ । ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ୫୦,୪୫୪ ଜଣ ଥିଲେ ଶତାୟୁ । ଗତ ୨୦ ବର୍ଷ ହେଲା ଜାପାନୀ ମହିଳାମାନେ ପୃଥିବୀର ବୟୋଜ୍ୟୋଷ୍ଠା ଭାବରେ ଶୀର୍ଷ ସ୍ଥାନରେ ରହି ଆସିଛନ୍ତି ଏବଂ ଆସନ୍ତା ୪୦ ବର୍ଷ ମଧ୍ୟରେ ପ୍ରତି ୧୦ ଜଣ ଜାପାନୀଙ୍କ ମଧ୍ୟରୁ ୩ ଜଣଙ୍କର ବୟସ ହେବ ୬୫ ବର୍ଷରୁ ଅଧିକ । ବିକଶିତ ଦେଶମାନଙ୍କରେ କ୍ରମାଗତ ଜନ୍ମ ଏବଂ ମୃତ୍ୟୁହାର ହ୍ରାସ ଏହାର ଏକ ମୁଖ୍ୟ କାରଣ । ଜୀବନ ରକ୍ଷକ ଔଷଧ, ସ୍ୱାସ୍ଥ୍ୟସେବାର ପ୍ରସାର ଓ ପୁଷ୍ଟିକର ଖାଦ୍ୟ ବଞ୍ଚିବାର ବୟସ ବୃଦ୍ଧି କରାଇବାରେ ସହାୟକ ହେଉଛି ।

ଗତ ୬୦ ବର୍ଷ ମଧ୍ୟରେ ଭାରତୀୟମାନଙ୍କର ହାରାହାରି ବଞ୍ଚିବା ବୟସ ୨୭ ବର୍ଷରୁ ବଢ଼ି ୬୪ ବର୍ଷ ହେଲାଣି । ୧୯୦୧ ମସିହାରେ ୬୫ ବର୍ଷିଆଙ୍କ ମଧ୍ୟରୁ ୧୩ ପ୍ରତିଶତ ବ୍ୟକ୍ତି ୮୫ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିଲେ । ଏବେ ପୃଥବୀର ଅଧେ ୬୫ ବର୍ଷୀୟାନ୍ ୮୬ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାପାଇଁ ଆଶା କରୁଛନ୍ତି । ଯେଉଁ ଲୋକମାନେ ବାଲ୍ୟାବସ୍ଥାରେ ରୋଗ ପ୍ରତିଷେଧକ ଭାକ୍‌ସିନ୍ ବା ଟିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଶତକଡ଼ା ୮୦ ଭାଗ ଲୋକ ୮୫ ବର୍ଷ ଟପିବାର ଶକ୍ତି ଅର୍ଜନ କରିଛନ୍ତି । ସନ୍ତୁଳିତ ଖାଦ୍ୟ, ପ୍ରଦୂଷଣରହିତ ପରିବେଶ ଏବଂ ଉପଯୁକ୍ତ ଶାରୀରିକ ଶ୍ରମଦ୍ୱାରା ବଞ୍ଚିବାର ବୟସ ଆହୁରି ବଢ଼ିଯିବାର ଆଶା ରହିଛି । ସ୍ୱାସ୍ଥ୍ୟ ଗବେଷକମାନେ କହୁଛନ୍ତି ଯେ ଶହେ ବର୍ଷ ପୂର୍ବେ ଯେଉଁ ବେମାରି ୪୦ ବର୍ଷ ବୟସ୍କ ଲୋକଙ୍କୁ ଆକ୍ରମଣ କରୁଥିଲା ଏବେ ସେ ବେମାରି ୬୦ ରୁ ଅଧିକ ବର୍ଷ ବୟସ୍କ ଲୋକଙ୍କୁ ଆକ୍ରମଣ କରୁଛି । ଚତୁର୍ଥ ବୟସରେ ଯେଉଁ ରୋଗମାନେ ବୃଦ୍ଧ ଶରୀରରେ ସହଜରେ ପ୍ରବେଶ କରିପାରୁଥିଲେ ଏବେ ତାହା କଷ୍ଟକର ହେଲାଣି ।

ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ବହୁ ଦେଶରେ ୨୦ ରୁ ୫୯ ବର୍ଷ ମଧ୍ୟରେ ଥିବା ଉତ୍ପାଦନକ୍ଷମ ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି । ଓଡ଼ିଶାରେ ୩୫ ବର୍ଷ ପରେ ଓ ଭାରତରେ ୩୦ ବର୍ଷ ପରେ ଏପରି ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି । ବିବାହ ବୟସ ବୃଦ୍ଧି ଏବଂ ଛୋଟ ପରିବାରର ସଂଖ୍ୟା ବଢ଼ିବା ଫଳରେ ଜନସଂଖ୍ୟାରେ ଯୁବକ ଯୁବତୀଙ୍କ ତୁଳନାରେ ବୁଢ଼ାବୁଢ଼ୀଙ୍କ ସଂଖ୍ୟା ବଢ଼ିବ । ୨୦୨୬ ମସିହାରେ ଓଡ଼ିଶ।ରେ ଯେଉଁ ୬୨ ଲକ୍ଷ ବୟସ୍କ ଲୋକ ଥିବେ ସେମାନଙ୍କପାଇଁ ଆଜିଠାରୁ ଯୋଜନା ପ୍ରଣୟନ ହେବା ଆବଶ୍ୟକ । କେବଳ କେତୋଟି ବୃଦ୍ଧାଶ୍ରମ ତୋଳିଲେ ଏ ସମସ୍ୟାର ସମାଧାନ ହେବ ନାହିଁ ।

୨୧୪ ବିକଳ୍ପ ବିଶ୍ୱ