ପୃଷ୍ଠା:Bikalpa Biswa.pdf/୨୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାରତରେ ‘ହେଲ୍‌ପ ଏଜ୍’ ଓ ‘ଏଜ୍ କେୟାର’ ଭଳି ସଂସ୍ଥାମାନେ ଏ ସମ୍ପର୍କରେ ଚିନ୍ତା ଆରମ୍ଭ କଲେଣି । କୌମାର, ଯୌବନ, ଜରା ସୃଷ୍ଟିର ପ୍ରାକୃତିକ ନିୟମ । ଜୀବନ ଚକ୍ରର ଏହି ତିନୋଟି ଅବସ୍ଥାରୁ, କୌମାର ଓ ଯୌବନ ସମୟ ସରିଲେ, ଶରୀର ଛାଡ଼ି ଚାଲିଯାଆନ୍ତି, କିନ୍ତୁ ଜରା ଶେଷ ପର୍ଯ୍ୟନ୍ତ ଶରୀର ସହ ରହେ । ବିଭିନ୍ନ ଦେଶରେ ଜରାର ବିଭିନ୍ନ ନାମକରଣ । ପାଶ୍ଚାତ୍ୟ ଦେଶମାନଙ୍କରେ ଜରାବସ୍ଥାକୁ ଏବେ ‘ସୁବର୍ଣ୍ଣ କାଳ’ ବୋଲି କୁହାଯାଉଛି । ଭାରତରେ ସେମାନେ ହେଲେ ବରିଷ୍ଠ ନାଗରିକ - ସିନିଅର ସିଟିଜେନ୍ । ପ୍ରତିବର୍ଷ ବଜେଟ୍ ଉପସ୍ଥାପନ ବେଳେ ସରକାର ବରିଷ୍ଠ ନାଗରିକମାନଙ୍କର ଅଭିଜ୍ଞତା, ଜ୍ଞାନ ଓ ଜୀବନ କୌଶଳକୁ କାମରେ ଲଗାଇ ଦେଶକୁ ଅଧିକ ସମୃଦ୍ଧ କରିବାପାଇଁ ଆଗଭର ହେଲେଣି ଏବଂ ‘ସୁବର୍ଣ୍ଣ କାଳ’କୁ ଏକ ଗୁରୁତ୍ୱପୂର୍ଣ୍ଣ ମାନବ ସମ୍ବଳ ଭାବରେ ସ୍ୱୀକୃତି ଦେଲେଣି । ଜାପାନୀ ବିଶେଷଜ୍ଞ ଆକିହିକୋ ତାଙ୍କ ପୁସ୍ତକ “ସ୍ରିଙ୍କିଙ୍ଗ୍ ପପୁଲେସନ୍ ଇକନମିକ୍ସ”ରେ ବିଶ୍ୱବାସୀଙ୍କୁ ଆହ୍ୱାନ କରି ଲେଖିଛନ୍ତି ଯେ , ସ୍ତ୍ରୀମାନଙ୍କୁ ଅଧିକ ସନ୍ତାନ ପ୍ରସବପାଇଁ ନ କହି ବୟସ୍କ ଲୋକଙ୍କ ଶକ୍ତିକୁ ଅଧିକ ଉପଯୋଗ କରାଯାଉ ।

ରାଜକୁମାର ସିଦ୍ଧାର୍ଥ ଯେଉଁ ଚାରିଟି ଦୃଶ୍ୟ ଓ ଅବସ୍ଥା ଦେଖି ସାରିଲା ପରେ ସନ୍ୟାସ ନେବାପାଇଁ ସ୍ଥିର କରିଥିଲେ ସେ ମଧ୍ୟରେ ଥିଲା ‘ଜରା’ ଅବସ୍ଥା । ୧୯୯୦ ମସିହା ଡିସେମ୍ବର ମାସରେ ମିଳିତ ରାଷ୍ଟ୍ରସଂଘ ସାଧାରଣ ଅଧିବେଶନ (୪୫/୧୦)ରେ ସର୍ବସମ୍ମତି କ୍ରମେ ଅକ୍ଟୋବର ଏକ ତାରିଖକୁ ଆନ୍ତର୍ଜାତିକ ଜରା ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା । ଏହାପରେ ଭାରତ ସରକାର ରାଷ୍ଟ୍ରୀୟ ବୟସ୍କ ନୀତି ପ୍ରଣୟନ କରିଛନ୍ତି । ଏହି ରାଷ୍ଟ୍ରୀୟ ନୀତିରେ ପରିବାରକୁ ସୁଦୃଢ଼ କରି ବୟସ୍କଙ୍କୁ ସୁରକ୍ଷା ଦେବା ପ୍ରସ୍ତାବ ରହିଛି । ପିଲାମାନେ ଯେପରି ନିଜ ମାତା ପିତାଙ୍କ ଦାୟିତ୍ୱ ଆନନ୍ଦରେ ବହନ କରିବେ, ସେଥିଲାଗି ଶିକ୍ଷାନୁଷ୍ଠାନରେ ତତ୍ ସମ୍ପର୍କୀୟ ମୂଲ୍ୟବୋଧ ଶିକ୍ଷା ଦେବା ଲାଗି ସୁପାରିଶ ଅଛି । ବୟସ୍କଙ୍କ ସ୍ୱାସ୍ଥ୍ୟ ରକ୍ଷାପାଇଁ ବିଶେଷ ବ୍ୟବସ୍ଥା କରିବାକୁ ସରକାର ପ୍ରତଶୃତି ଦେଇଛନ୍ତି । ବୟସ୍କଙ୍କ ସମସ୍ୟା ପ୍ରତି ସମାଜ ଓ ସରକାରଙ୍କ ଧ୍ୟାନ ଆକର୍ଷଣପାଇଁ ୨୦୦୦ ମସିହାକୁ ରାଷ୍ଟ୍ରୀୟ ବରିଷ୍ଠ ନାଗରିକ ବର୍ଷ ଭାବରେ ପାଳନ କରାଯାଇଥିଲା । ବୟସ୍କଙ୍କୁ ସମ୍ମାନ ଓ ସେମାନଙ୍କ ପ୍ରତି ନିଜ ନିଜର କର୍ତ୍ତବ୍ୟ ପାଳନ କରୁଥିବା ସମାଜ ହିଁ ପ୍ରକୃତରେ ସଭ୍ୟ ସମାଜ ।

୨୧ ଡିସେମ୍ବର, ୨୦୦୭