ପୃଷ୍ଠା:Bikalpa Biswa.pdf/୨୧୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବିଶ୍ୱଗ୍ରାମର ନୂଆ ବାସିନ୍ଦା

ପ୍ରାୟ ବାର ହଜାର କିଲୋମିଟର ଗୋଲେଇର ପୃଥିବୀକୁ ଏବେ ଏକ ଛୋଟ ଗାଁ ସଙ୍ଗେ ତୁଳନା କରାଯାଉଛି । ଜଗତୀକରଣ ବା ଗ୍ଳୋବାଲାଇଜେସନ୍‌କୁ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ସଂଜ୍ଞା ଦେଲେଣି । ସୂଚନା ଓ ଟେଲିକ୍ୟୁନିକେସନ୍ ବିପ୍ଳବ ଫଳରେ ଦୂର ଦୂରାନ୍ତର ଲୋକେ ମୁହୂର୍ତ୍ତକେ ପରସ୍ପର ସହିତ କଥା ହୋଇ ପାରୁଛନ୍ତି, ପରସ୍ପରକୁ ଦେଖି ପାରୁଛନ୍ତି । ଡାକ ଯୋଗେ ଚିଠି ପଠାଇବା ପ୍ରକ୍ରିୟା ଅନେକ ଦେଶରେ ବନ୍ଦ ହୋଇଗଲାଣି । ଭାରତୀୟ ଡାକ ତାର ବିଭାଗ ଏବେ କ୍ଷତିରେ ଚାଲୁଛି । ବହି ଛପା ନ ହୋଇ ଡିଜିଟାଲ ଲାଇବ୍ରେରୀ ହେଲାଣି । ଇଣ୍ଟରନେଟ୍ ଓ ଉପଗ୍ରହ ମାଧ୍ୟମରେ ଲୋକେ ପରସ୍ପରର ଏତେ ନିକଟତର ହେଲେଣି ଯେ ବିଭିନ୍ନ ଦେଶମାନଙ୍କ ମଧ୍ୟରେ ଥିବା ସୀମାରେଖା ନିରର୍ଥକ ହେଲାଣି । ହଜାର ହଜାର କୋଟି ଟଙ୍କା ଏକ ସେକେଣ୍ଡରେ ଏ ଦେଶରୁ ସେ ଦେଶକୁ ଉଡ଼ି ଯାଉଛି । ଅନେକ ଲୋକ ପକେଟ୍‌ରେ ପଇସା ନେଇ ବଜାରକୁ ଯିବା ପରିବର୍ତ୍ତେ କ୍ରେଡିଟ୍ କାର୍ଡକୁ ପକେଟରେ ରଖୁଛନ୍ତି । ଏହାର ନୂଆ ନାଁ ହେଲା ‘ପ୍ଳାଷ୍ଟିକ ମନି’ ।

ଗାଁରେ ଯେମିତି ଜଣକ କରେଇରେ ସୋରିଷ ଫୁଟିଲେ ଅନ୍ୟ ଜଣକୁ ଶୁଭେ, ସେହିପରି ପୂଥିବୀର ବିଭିନ୍ନ ଅଞ୍ଚଳରେ ଘଟୁଥିବା ଘଟଣା ଆମେ ଘରେ ବସି ଜାଣି ପାରୁଛେ । ପଡ଼ିଶା ଘରେ ପହଞ୍ଚିବାକୁ ପାଞ୍ଚ ମିନିଟ୍ ଲାଗିଲେ ଆମେରିକା, ଲଣ୍ଡନ ଜାପାନ, ଅଷ୍ଟ୍ରେଲିଆ ଆଦି ଦୂର ଦେଶରେ ଥିବା ବନ୍ଧୁଙ୍କ ସହ ସମ୍ପର୍କ ରଖିବାକୁ ପାଞ୍ଚ ସେକେଣ୍ଡ ବି ଲାଗୁନାହିଁ । ଓଡିଶାର ମହାବାତ୍ୟା ଖବର କ୍ଷଣକେ ଦୂର ଦେଶମାନଙ୍କରେ ପହଞ୍ଚି ଯିବା ଫଳରେ ବହୁ ଦେଶ ବିପଦରେ ଆମ ପଛରେ ଠିଆ ହୋଇଗଲେ । ସାହାଯ୍ୟ ସହାନୁଭୂତିର ସୁଅ ଛୁଟିଲା । ସୁନାମି ବିପଦଗ୍ରସ୍ତ ଅଞ୍ଚଳକୁ ସାହାଯ୍ୟପାଇଁ ସାରା ବିଶ୍ୱ ଏକାଠି ହୋଇଗଲା । ସତେ ଯେପରି ପୃଥିବୀ ଗୋଟିଏ ଗାଁ ।

୨୧୬ ବିକଳ୍ପ ବିଶ୍ୱ