ପୃଷ୍ଠା:Bikalpa Biswa.pdf/୨୧୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାଁରେ ରହି କରି ମଧ୍ୟ । କାରଣ ସେ ଗାଁର ହଜାରେରୁ କେବଳ ୮୬ ଜଣ ଇଂରାଜୀରେ କଥା ହୋଇପାରିବେ । ୧୬୫ ଜଣଙ୍କର ଭାଷା ହେବ ମାଣ୍ଡୀରିନ୍, ୮୩ ଜଣ ହିନ୍ଦୀ ଓ ଉର୍ଦ୍ଧୁ ଭାଷୀ, ୬୪ ଜଣ ସ୍ପାନିସ୍ ଭାଷୀ, ୫୮ ଜଣ ରୁଷ୍‌ଭାଷୀ ଓ ୩୭ ଜଣ ଆରବୀ ଭାଷାରେ ହିଁ କଥାବାର୍ତ୍ତା ହୋଇପାରିବେ । ବାକିତକ ଗ୍ରାମବାସୀ ବଙ୍ଗଳା, ବାହାସା, ପର୍ତ୍ତୁଗୀଜ୍, ଜାପାନୀ, ଫ୍ରେଞ୍ଚ୍ ଓ ଅନ୍ୟ ୨୦୦ ପ୍ରକାର ଭାଷାଭାଷୀ ହେବେ । ଓଡ଼ିଆ କହୁଥିବା ଲୋକ ଥିବେ ମାତ୍ର ୩ ଜଣ । ତେଣୁ ଏପରି ବହୁଭାଷୀ ବିଶ୍ୱଗ୍ରାମରେ ତ୍ରିଭାଷୀ ପରିବର୍ତ୍ତେ ବହୁଭାଷୀ ଫର୍ମୁଲା ଆବଶ୍ୟକ ହେବ ।

ଏହି ବିଶ୍ୱଗ୍ରାମର ଧର୍ମ ଓ ସାମ୍ପ୍ରଦାୟିକ ଚିତ୍ର କିପରି ହେବ ? ଡୋନେଲାଙ୍କ ହିସାବ ଅନୁସାରେ ସେ ଗାଁରେ ଖ୍ରୀଷ୍ଟିୟାନ୍ ଧର୍ମାବଲମ୍ବୀଙ୍କ ସଂଖ୍ୟା ହେବ ୩୦୦ ଏବଂ ସେଥିରୁ ୧୮୩ ଜଣ କାଥଲିକ୍, ୮୪ ଜଣ ପ୍ରୋଟେଷ୍ଟାଣ୍ଟ ଓ ୩୩ ଜଣ ଅର୍ଥୋଡ଼କ୍ସ । ସୁନ୍ନି ଓ ସିଆଙ୍କୁ ମିଶାଇ ୧୭୫ ମୁସଲମାନ, ୧୨୮ ହିନ୍ଦୁ, ୫୫ ଜଣ ବୌଦ୍ଧ, ୪୭ ଜଣ ଆନିମିଷ୍ଟ୍ ଓ ବାକି ୨୧୦ ଜଣ ଅନ୍ୟ ଧର୍ମାବଲମ୍ବୀ । ନାସ୍ତିକମାନେ ବି ଏହି ଛୋଟ ଛୋଟ ଗୋଷ୍ଠୀର ଅଂଶ । ଏହି ବିଭିନ୍ନ ଧର୍ମାଲମ୍ବୀ ଓ ହେତୁବାଦୀମାନେ କେମିତି ଏକାଠି ରହିବେ ଓ ଚଳିବେ ସେଥିପାଇଁ ନୂଆ ନୂଆ ବାଟ ଖୋଜିବାକୁ ପଡ଼ିବ ।

ଏହି ଗାଁର ମାନବୀୟ ସମସ୍ୟା ସବୁ କଣ? ଗାଁରେ ଶିଶୁଙ୍କ ସଂଖ୍ୟା ହେବ ୩୩୦, କିନ୍ତୁ ଏଥିରୁ ଅଧେ ପିଲା ରୋଗ ପ୍ରତିଷେଧକ ଟିକା ନେଇନଥିବେ । ୧୦୦୦ ଗ୍ରାମବାସୀଙ୍କ ମଧ୍ୟରୁ ୬୦ ଜଣଙ୍କ ବୟସ ୬୫ ବର୍ଷରୁ ଉର୍ଦ୍ଧ୍ୱ ହେବ । ଦଶରୁ ଅଧିକ ଶତାୟୁ ରହିବେ । ପ୍ରତିବର୍ଷ ଦଶ ଜଣଙ୍କର ମୃତ୍ୟୁ ହେବ । ବିବାହିତ ମହିଳାଙ୍କ ମଧ୍ୟରୁ ଅଧେ ଆଧୁନିକ ଜନ୍ମ ନିରୋଧ ଉପାୟ ସମ୍ପର୍କରେ ଅଜ୍ଞ ଥିବେ ବା ଆଦୌ ବ୍ୟବହାର କରୁନଥିବେ । ଆଉ ୫୦ ଜଣ ବାହା ନ ହୋଇ ରହୁଥିବେ । ପ୍ରତିବର୍ଷ ତିନି ଜଣ ଅନାହାର ମୃତ୍ୟୁବରଣ କରିବେ । ସେହିପରି କ୍ୟାନସର‌୍‌ଯୋଗୁ ଜଣକର ମୃତ୍ୟୁ ହେବ ଏବଂ ଏକବର୍ଷରୁ କମ୍ ବୟସର ଦୁଇଟି ପିଲାଙ୍କର ମୃତ୍ୟୁ ହେବ । ଜଣେ ବ୍ୟକ୍ତି ଏଚ୍ଆଇଭିଦ୍ୱାରା ଆକ୍ରାନ୍ତ ହେବେ । ବର୍ଷ ଶେଷରେ ବିଶ୍ୱ ଗ୍ରାମର ଜନସଂଖ୍ୟା ୧୦୦୦ରୁ ୧୦୧୮ହେବ ।

ଗାଁର ଅର୍ଥନୈତିକ ଚିତ୍ର କିପରି ହେବ? ଗ୍ରାମର ସମସ୍ତ ଆୟରୁ ତିନିଭାଗ କେବଳ ଏକ ପଞ୍ଚମାଂଶ ବା ୨୦୦ ବ୍ୟକ୍ତିଙ୍କ ହାତରେ ରହିବ । ବାକି ଏକ ଭାଗ ୮୦୦ ଲୋକ ପାଇବେ । ତା’ ମଧ୍ୟରୁ ୨୦୦ ଲୋକ ମାତ୍ର ଦୁଇ ପ୍ରତିଶତ ପାଇବେ । ଗାଁର ୭୦ ଜଣଙ୍କ ପାଖରେ ଗାଡ଼ି ବା ମଟର ସାଇକେଲ ଥିବ ।

୨୧୮ ବିକଳ୍ପ ବିଶ୍ୱ