ପୃଷ୍ଠା:Bikalpa Biswa.pdf/୨୧୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜନସଂଖ୍ୟାର ଏକ ତୃତୀୟାଂଶ ଅପରିଷ୍କାର, ଅସୁରକ୍ଷିତ ପାଣି ବ୍ୟବହାର କରିବେ । ଅଧେ ଲୋକ ଥିବେ ନିରକ୍ଷର । ଗାଁର ଛ ହଜାର ଏକର ଭୂମିରୁ ୭୦୦ଏକର ଥିବ ଫସଲଯୋଗ୍ୟ, ୧୪୦୦ ଏକର ପଡ଼ିଆ, ୧୯୦୦ ଏକର ଜଙ୍ଗଲ, ୨୦୦୦ ଏକର ମରୁଭୂମି, ରାସ୍ତାଘାଟ, ଅନାବାଦୀ ଓ ବରଫାବୃତ ଅଞ୍ଚଳ ।

ଗାଁର ଜଙ୍ଗଲ ଦୃତଗତିରେ ହ୍ରାସ ପାଉଥିବ । ଅଧିକ ରାସାୟନିକ ସାର ଓ ପୋକମରା ଔଷଧ ବ୍ୟବହାର ଫଳରେ ଗାଁର ଜଳସମ୍ପଦ ଦୂଷିତ ଅବସ୍ଥାରେ ରହିବ । ଏହାଫଳରେ ଉପସ୍ଥାନ କମିଯିବ ଓ ଲୋକେ ଖାଦ୍ୟପାଇଁ ଅନ୍ୟ ଉପରେ ନିର୍ଭର କରିବେ । ଗାଁର କେବଳ ୨୭୦ ଜଣ ଲୋକ ପୁଷ୍ଟିକର ଖାଦ୍ୟ ଖାଇ ରହିବେ । ୧୪୦ ଜଣଙ୍କୁ ରୋଜଗାର ମିଳିବ ନାହିଁ । ଅନାହାର, ଅଳ୍ପାହାରରେ ରହିବେ ଦୁଇଜଣ ।

ଏକ ସହସ୍ର ଜନସଂଖ୍ୟାର ଏହି ବିଶ୍ୱ ଗ୍ରାମରେ ପାଞ୍ଚ ଜଣ ସୈନିକ, ସାତ ଜଣ ଶିକ୍ଷକ ଓ ଜଣେ ଡାକ୍ତର ଥିବେ । ଗାଁର ବାର୍ଷିକ ବ୍ୟୟ ତେର କୋଟି ପଚାଶ ଲକ୍ଷ ଟଙ୍କାରୁ ୮୫ ଲକ୍ଷ ଟଙ୍କା ଅସ୍ତ୍ରଶସ୍ତ୍ର କିଣା ଓ ଯୁଦ୍ଧ ବାବରେ ଖର୍ଚ୍ଚ ହେବ । ଶିକ୍ଷାପାଇଁ ୭୦ ଲକ୍ଷ ଓ ସ୍ୱାସ୍ଥ୍ୟ ସେବାରେ ୬୦ ଲକ୍ଷ ଖର୍ଚ୍ଚ ହେବ । କେବଳ ୧୦୦ ଜଣ ଲୋକଙ୍କ ହାତରେ ମାରଣାସ୍ତ୍ର ଓ ଆଣବିକ ବୋମା ରହିବ ଏବଂ ବାକି ନଅଶହ ଲୋକ ଆତଙ୍କ ଓ ଉଦ୍‌ବେଗ ସହ ଏହି ଶହେ ଲୋକଙ୍କ ଆଡ଼କୁ ଚାହିଁ ରହିବେ । କାରଣ ବିଶ୍ୱ ଜନସଂଖ୍ୟାର ଏହି ଦଶ ଭାଗ ଲୋକ କେବେ ବି ଏକାଠି ହୋଇ ବା ଭୁଲ୍ ଭଟକା ବଶତଃ ସମଗ୍ର ବିଶ୍ୱ ଗ୍ରାମକୁ ଧ୍ୱଂସ କରିଦେବେ । ତେଣୁ ବିଶ୍ୱ ଗ୍ରାମର ଏଇ ନ’ଶହ ଲୋକ ଏବେ ଏକଜୁଟ ହୋଇ ସମାଜ ଓ ସଭ୍ୟତାକୁ ରକ୍ଷା କରିବାପାଇଁ ଆଗେଇ ଆସିବାର ବେଳ ଆସିଯାଇଛି ।

୧୪ ଡିସେମ୍ବର, ୨୦୦୬

ବିକଳ୍ପ ବିଶ୍ୱ ୨୧୯