ପୃଷ୍ଠା:Bikalpa Biswa.pdf/୨୨୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତିଷ୍ଠିତ ନେତାଙ୍କ ପ୍ରତିମୂର୍ତ୍ତି ପୂର୍ବସମ୍ମାନ ହରାଇଥିଲେ । ରାଜଘାଟ ସମାଧିସ୍ଥଳ ମଧ୍ୟରେ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କର ପ୍ରତିମୂର୍ତ୍ତି ନ ରଖିବା ଏହି ଦୃଷ୍ଟିରୁ ଏକ ବିଜ୍ଞ ନିଷ୍ପତ୍ତି ଥିଲା । ତେଣୁ ଆଜି ବିଦେଶରେ ଲୋକେ ତାଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ କରୁଛନ୍ତି ଓ ଏବେ ମିଳିତ ରାଷ୍ଟ୍ରସଂଘ ଗାନ୍ଧୀ ଜୟନ୍ତୀ ଦିବସକୁ ପ୍ରତିବର୍ଷ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରୁଛନ୍ତି । ଶାନ୍ତିବନ, ଶକ୍ତିସ୍ଥଳ ଓ ବିଜୟ ଘାଟରେ ନେହେରୁ, ଇନ୍ଦିରା ଓ ଲାଲବାହାୁରଙ୍କର ମଧ୍ୟ କୌଣସି ପ୍ରତିମୂର୍ତ୍ତି ନାହିଁ ।

ମୂର୍ତ୍ତି, ପ୍ରତିମୂର୍ତ୍ତି, ସ୍ମୃତି-ସ୍ମାରକୀ ନେଇ ପୃଥିବୀର ବିଭିନ୍ନ ଅଞ୍ଚଳରେ ବାଦ ବିବାଦ ଲାଗି ରହିଛି । ଏହା ସହିତ ସାମାଜିକ, ଧାର୍ମିକ, ସାଂସ୍କୃତିକ ବିଚାରଧାରା ଜଡ଼ିତ ଥିବାରୁ ପ୍ରତିମୂର୍ତ୍ତି ରାଜନୀତି ଆହୁରି ଜଟିଳ ହେଲାଣି । ଓଡ଼ିଶାରେ ଗତ ଦଶ ବର୍ଷ ଭିତରେ ରାସ୍ତାଘାଟରେ ପ୍ରତିମୂର୍ତ୍ତିଙ୍କ ସଂଖ୍ୟା ଦଶ ଗୁଣ ବଢ଼ିଗଲାଣି । ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ପ୍ରତିମୂର୍ତ୍ତି ସ୍ଥାପନପାଇଁ ନେତାଙ୍କ ପ୍ରତିଯୋଗିତା ଆହୁରି ପୁରୁଣା । ମହାରାଷ୍ଟ୍ରରେ ଶିବାଜୀ ଓ ଆମ୍ବେକରଙ୍କ ପ୍ରତିମୂର୍ତ୍ତି ସ୍ଥାପନପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ କଳହର ହିଂସ୍ର ରୂପ ଦେଖି ପ୍ରତିମୂର୍ତ୍ତିମାନେ ନିଜେ ଥରହର ହେଉଥିବେ । ଝାଡ଼ଖଣ୍ଡରେ ଅଗ୍ରୱାଲ ସମାଜ ଉଗ୍ରସେନଙ୍କ ପ୍ରତିମୂର୍ତ୍ତି ଲାଲପୁର ଛକରେ ସ୍ଥାପନ କରିବାକୁ ଚାହୁଁଥିବା ବେଳେ ପୂର୍ବତନ ରାଜ୍ୟସଭା ସଦସ୍ୟ ଜ୍ଞାନରଞ୍ଜନଙ୍କ ପ୍ରତିମୂର୍ତ୍ତି ସେହି ସ୍ଥାନରେ ପ୍ରତିଷ୍ଠା ପାଇଁ ତାଙ୍କ ଅନୁଗାମୀମାନେ ଦାବି କରି ଧାରଣା, ହରତାଳ ଡାକରା ଦେଇଛନ୍ତି । ସେହିପରି ସନ୍ଥ କବି ତିରୁବଲ୍ଲୁଭର ତାମିଲ ହୋଇଥିବାରୁ କର୍ଣ୍ଣାଟକରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରାଯାଉଛି । ଏବେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହମତରେ କର୍ଣ୍ଣାଟକରେ ତିରୁବଲ୍ଲଭଙ୍କ ପ୍ରତିମୂର୍ତ୍ତି ସ୍ଥାପନା ବଳରେ ତାମିଲନାଡୁରେ କନ୍ନଡ ସନ୍ଥ କବି ସର୍ବଜ୍ଞଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଅଯୋଧ୍ୟାରେ ଦୁଇ ସମ୍ପ୍ରଦାୟଙ୍କ କଳହ ଫଳରେ ଶ୍ରୀରାମଙ୍କ ବିଗ୍ରହକୁ ତମ୍ବୁରେ ରଖାଯାଇଛି । ଏବେ ଜଣେ ଭାରତୀୟ କଳାକାରଙ୍କଦ୍ୱାରା ନିର୍ମିତ ହାସ୍ୟ ଅଭିନେତା ଚାର୍ଲିଚାପଲିନଙ୍କ ପ୍ରତିମୂର୍ତ୍ତିକୁ କର୍ଣ୍ଣାଟକର ଏକ ସାମ୍ପ୍ରଦାୟିକ ସଂସ୍ଥାର ସଭ୍ୟମାନେ ଆକ୍ରମଣ କରିଛନ୍ତି । ଆଫଗାନିସ୍ଥାନର ବାମିୟାନ ବୁଦ୍ଧ ପ୍ରତିମୂର୍ତ୍ତିକୁ ତାଲିବାନ ଧ୍ୱଂସ କରି ଦେଇଥିବା ଘଟଣା ସମସ୍ତଙ୍କୁ ଜଣା ।

ମୁମ୍ବାଇ ନିକଟସ୍ଥ ଆରବ ସାଗରରେ ଛତ୍ରପତି ଶିବାଜୀଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ୩୦୦ କୋଟି ଟଙ୍କା ଖର୍ଚ୍ଚ କରି ସ୍ଥାପନ କରାଯିବ ବୋଲି ମହାରାଷ୍ଟ୍ର ସରକାରଙ୍କ ଘୋଷଣା, ଏବେ ବିବାଦ ଘେରରେ ଫସି ଯାଇଛି । କାରଣ ଏହି ସ୍ମାରକୀ କମିଟିର ଚେୟାରମ୍ୟାନ୍ ବାବାସାହେବ ପୁରନ୍ଦର ଜାତିରେ ବ୍ରାହ୍ମଣ । ମରାଠୀମାନେ ଏହାର ବିରୋଧ କରୁଛନ୍ତି । ସେମାନେ ଶିବାଜୀଙ୍କୁ ଜାତୀୟ ନେତା ନୁହେଁ, ମରାଠୀ ନେତା

ବିକଳ୍ପ ବିଶ୍ୱ ୨୨୧