ପୃଷ୍ଠା:Bikalpa Biswa.pdf/୨୨୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାବରେ ଦେଖିବାକୁ ଚାହାନ୍ତି ଏବଂ ସେହି କାରଣରୁ ଜଣେ ମରାଠୀ ସ୍ମାରକୀ କମିଟିର ନେତୃତ୍ୱ ନେଉ ବୋଲି ଚାହାନ୍ତି । ରାଷ୍ଟ୍ରପିତା ଗାନ୍ଧୀଙ୍କୁ ବଣିଆଙ୍କ ନେତା କହିବା ଯେମିତି ହାସ୍ୟାସ୍ପଦ, ଏହା ସେହିପରି । ସେମିତି ରାଷ୍ଟ୍ରନେତା ଭୀମରାଓ ଆମ୍ବେଦକରଙ୍କୁ ଦଳିତଙ୍କ ନେତା ସ୍ତରକୁ ଓହ୍ଲାଇ ଦିଆଯାଇଛି । ଏବେ ୱାସିଂଟନ୍ ନଗରୀରେ ମାର୍ଟିନ୍ ଲୁଥର କିଙ୍ଗ୍‌ଙ୍କର ଏକ ପ୍ରତିମୂର୍ତ୍ତିକୁ ଗିଲ୍‌ବର୍ଟ ୟଙ୍ଗ୍ ନାମକ ଜଣେ ଚାଇନିଜ୍ ସ୍ଥାପତ୍ୟ ଶିଳ୍ପୀ ନିର୍ମାଣ କରୁଥିବାରୁ ଆଫ୍ରିକୀୟମାନେ ବିରୋଧ କରିଛନ୍ତି ।

୨୦୦୬ ମସିହାରେ ମୂର୍ତ୍ତି-ପ୍ରତିମୂର୍ତ୍ତି ବିବାଦ ନେଇ ତାମିଲନାଡ଼ୁ ରାଜ୍ୟରେ ଆଉ ଏକ ଦୁଃଖଦ ଓ ହାସ୍ୟାସ୍ପଦ ଘଟଣା ଘଟିଥିଲା । ଏଠି ଇଭି ରାମସ୍ୱାମୀ ନାଇକର ଥିଲେ ଦ୍ରାବିଡ଼ ସ୍ୱାଭିମାନ ଓ ହେତୁବାଦୀ ଆନ୍ଦୋଳନର ସର୍ବୋଚ୍ଚ ନେତା । ତାଙ୍କ ସମ୍ମାନରେ ମାରିନା ବିଚ୍‌ରେ ଅଛି ଏକ ବିରାଟ ସ୍ମାରକୀ ଓ ପ୍ରତିମୂର୍ତ୍ତି । ରାଜନୈତିକ କାରଣରୁ ତାଙ୍କ ପ୍ରତିମୂର୍ତ୍ତି ଉପରେ କେହି ବ୍ୟକ୍ତି ନିଶାର୍ଦ୍ଧରେ ଆକ୍ରମଣ କରି ଖଣ୍ଡିଆ କରି ଦେଇଥିଲା । ଏହି ଖବର ପାଇ ନାଇକରଙ୍କ ସମର୍ଥକମାନେ ହିନ୍ଦୁ ମନ୍ଦିରମାନଙ୍କରେ ପଶି ଦେବଦେବୀଙ୍କ ପ୍ରତିମାକୁ ଖଣ୍ଡ ବିଖଣ୍ଡ କରିଦେଲେ । ଏହା ଏକ ହାସ୍ୟାସ୍ପଦ ଘଟଣା । ଯେଉଁ ରାମସ୍ୱାମୀ ନାଇକର ତାମିଲନାଡ଼ୁରେ ହେତୁବାଦୀ ଆନ୍ଦୋଳନର ପ୍ରବର୍ତ୍ତକ ଓ ଧର୍ମ ତଥା ମୂର୍ତ୍ତି ପୂଜାର ବିରୋଧୀ, ତାଙ୍କ ମୂର୍ତ୍ତି ତିଆରି କରି, ଫୁଲମାଳ ଦେଇ, ସ୍ମାରକୀ ମନ୍ଦିରରେ ବସାଇ ନିରୀଶ୍ୱରବାଦୀ ନାଇକର୍‌ଙ୍କୁ ଈଶ୍ୱର ଭଳି ପୂଜା କରିବା ହେଉଛି ତାଙ୍କ ସ୍ମୃତି ଓ ଦର୍ଶନ ପ୍ରତି ଏକ ପରିହାସ । ମହାତ୍ମା ବୁଦ୍ଧ ମୂର୍ତ୍ତି ପୂଜାରେ ବିଶ୍ୱାସ କରୁନଥିଲେ ଏବଂ ପରବର୍ତ୍ତୀ କାଳରେ ତାଙ୍କରି ଅନୁଗାମୀମାନେ ବୁଦ୍ଧଙ୍କର ବିଶାଳ ମୂର୍ତ୍ତିମାନ ନିର୍ମାଣ କରି ମନ୍ଦିରରେ ବସାଇ ପୂଜାର୍ଚ୍ଚନା ଆରମ୍ଭ କଲେ । ସେହି ବୁଦ୍ଧଙ୍କ ଧର୍ମ ଓ ପନ୍ଥା ଗ୍ରହଣ କରିଥିବା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ସଂଖ୍ୟା ଏବେ ବୁଦ୍ଧ ପ୍ରତିମୂର୍ତ୍ତି ସଂଖ୍ୟାଠାରୁ ଅଧିକ ହେଲାଣି ।

ମହାତ୍ମା ବୁଦ୍ଧଙ୍କ ପରେ ମୂର୍ତ୍ତି ପୂଜା ବିରୋଧରେ ପ୍ରଥମ ସ୍ୱର ଉତ୍ତୋଳନ କରିଥିଲେ ପ୍ରଫେଟ୍ ହଜରତ୍ ମୋହମ୍ମଦ । ତେଣୁ ଇସ୍‌ଲାମ ଧର୍ମରେ ମହମ୍ମଦ, ଆଲ୍ଲା ବା ଈଶ୍ୱରଙ୍କ ଚିତ୍ର କରିବା ଶକ୍ତ ମନା । ନିକଟରେ ୟୁରୋପରେ ମହମ୍ମଦଙ୍କ କାର୍ଟୁନ ଓ ଫଟୋଚିତ୍ର ବିରୋଧରେ ମୁସଲିମ୍ ସମ୍ପ୍ରଦାୟ ପ୍ରବଳ ପ୍ରତିବାଦ କରିଥିଲେ । ସନାତନ ହିନ୍ଦୁ ଧର୍ମରେ ଓ ବିଶେଷ କରି ବେଦମାନଙ୍କରେ ମୂର୍ତ୍ତି ପୂଜା ପରମ୍ପରା ନଥିଲା । ଋଗ୍‌ବେଦରେ ପ୍ରାକୃତିକ ଦେବଦେବୀମାନେ ଥିଲେ ଇନ୍ଦ୍ର, ମରୁତ, ବରୁଣ, ଅଗ୍ନି ଓ ପୃଥ୍ୱୀ ଭଳି ପଞ୍ଚ ମହାଭୂତ । ଈଶ୍ୱରଙ୍କର ମୂର୍ତ୍ତି ନଥିଲା - ଯେହେତୁ ସେ ଅରୂପ, ନିରାକାର, ନିର୍ଗୁଣ, ସର୍ବବ୍ୟାପୀ, ଅନାଦି, ଅନନ୍ତ, ସଚ୍ଚିଦାନନ୍ଦ ପରଂବ୍ରହ୍ମ । କେବଳ ଧ୍ୟାନସ୍ଥ ଯୋଗୀମାନେ

୨୨୨ ବିକଳ୍ପ ବିଶ୍ୱ