ପୃଷ୍ଠା:Bikalpa Biswa.pdf/୨୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତଦ୍‌ଗତ ଅବସ୍ଥାରେ କ୍ୱଚିତ୍ ତାଙ୍କର ମାନସ ଦର୍ଶନ କରୁଥିଲେ - ଚାକ୍ଷୁଷ ନୁହେଁ । ଯେଉଁମାନେ ନିରାକାରଙ୍କୁ ଅନୁଭବ କରିପାରନ୍ତି ନାହିଁ, ସେମାନଙ୍କ ପାଇଁ ଆକାର, ମୂର୍ତ୍ତିର କଳ୍ପନା । ସେଇମାନେ ମୂର୍ତ୍ତି ଗଢ଼ନ୍ତି, ଜଡ଼ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାନ୍ତି ଓ ତାପରେ ସେଇ ମୂର୍ତ୍ତିକୁ ପୂଜା, ପ୍ରାର୍ଥନା କରନ୍ତି । ତେଣୁ ଦ।ର୍ଶନିକ ଦୃଷ୍ଟିରୁ ହିନ୍ଦୁ-ଇସଲାମ ମଧ୍ୟରେ ତାତ୍ତ୍ୱିକ ପ୍ରଭେଦ ନାହିଁ । ଯେଉଁ ତତ୍ତ୍ୱ ହିନ୍ଦୁମାନେ ଭୁଲି ଯାଇଥିଲେ, ଇସଲାମ୍ ସେହି ଦର୍ଶନକୁ ସାରା ବିଶ୍ୱରେ ପ୍ରଚାର, ପ୍ରସାର କଲା ।

ଦେଶ ବିଦେଶରେ ମୂର୍ତ୍ତି, ପ୍ରତିମୂର୍ତ୍ତି ବିଭିନ୍ନ ବିଶ୍ୱାସର ପ୍ରତୀକ ଓ କଳା, ସ୍ଥାପତ୍ୟର ଅପୂର୍ବ ପରିପ୍ରକାଶ । କୋଣାର୍କ, ଖଜୁରାହୋର କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ବିଶ୍ୱବିଖ୍ୟାତ । ଗ୍ରୀସ୍‌ର ଅଲିମ୍ପିଆଠାରେ ଜିଅସ୍‌ଙ୍କ ବିଶାଳ ମୂର୍ତ୍ତି ପୃଥବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଗଣାଯାଏ । ଏହା ପ୍ରାୟ ତିନି ହଜାର ବର୍ଷର ପୁରୁଣା । ଗ୍ରୀକ୍‌ମାନେ ବିଶ୍ୱାସ କରୁଥିଲେ ଜିଅସ୍ ଦେବତାମାନଙ୍କ ରାଜା ଓ ସଙ୍କଟମୋଚକ । ସେହିପରି ଦକ୍ଷିଣ ପୂର୍ବ ଏସିଆରେ ‘ମାଜୁ’ଙ୍କ ପ୍ରତିମୂର୍ତ୍ତିକୁ ପୂଜା କରାଯାଏ । ଦଶମ ଶତାବ୍ଦୀରେ ଜନ୍ମିତ ମାଜୁ ଧୀବର ଓ ସୌଦାଗରମାନଙ୍କୁ ସାମୁଦ୍ରିକ ଝଡ଼ରୁ ରକ୍ଷା କରୁଥିଲେ । ମାତ୍ର ୨୮ ବର୍ଷରେ ତାଙ୍କର ଦେହାନ୍ତ ହୋଇଗଲା । ଏବେ ସେ ମା’ ଓ ଦେବୀ ଭାବରେ ପୂଜା ପାଉଛନ୍ତି । ତାଙ୍କ ଅନୁଗାମୀମାନେ ମାଜୁଙ୍କର ବିଶାଳ ମୂର୍ତ୍ତି ନିର୍ମାଣ କରିବା ଯୋଜନା ନେଇ ମାଲେସିଆରେ ବିବାଦ ସୃଷ୍ଟି ହୋଇଛି । କାନାଡାରେ ‘ମେତି’ ସମ୍ପ୍ରଦାୟ ଲୋକଙ୍କ ଦ୍ୱାରା ସେମାନଙ୍କ ନେତା ଲୁଇରିଲ୍‌ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉଦ୍ୟମ ଅନ୍ୟ ସମ୍ପଦାୟର ଲୋକମାନେ ବିରୋଧ କରୁଛନ୍ତି । ସେହିପରି ସେଠାରେ ଏକ କୁଖ୍ୟାତ ଜଳଦସ୍ୟୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଉଦ୍ୟମକୁ କାଥଲିକ୍ ଧର୍ମଗୁରୁମାନେ ବିରୋଧ କରୁଛନ୍ତି । ଏବେ ଜଣେ ସ୍ଥପତି ଗାୟିକା, ଅଭିନେତ୍ରୀ ଓ ମଡେଲ୍ ବ୍ରିଟ୍‌ନି ସ୍ପିଅର୍ସଙ୍କ ପ୍ରସବାବସ୍ଥାର ଷ୍ଟାଚ୍ୟୁ ନିର୍ମାଣ କରି ବିବାଦୀୟ ହୋଇ ପଡ଼ିଛନ୍ତି । ସେହିପରି ଡାଏନାଙ୍କ ପୁତ୍ର ରାଜକୁମାର ହ୍ୟାରିଙ୍କୁ ଇରାକ୍ ଯୁଦ୍ଧରେ ଯୋଗ ଦେବାକୁ ମନା କରିବାରୁ ଜଣେ ସ୍ଥପତି ତାଙ୍କ ହାତରେ ଅଫୁଟା ବନ୍ଧୁକ ଧରାଇ ‘ମୃତ ହ୍ୟାରି’ ନାମରେ ଏକ ପ୍ରତିମୂର୍ତ୍ତି ନିର୍ମାଣ ପରେ ଇଂଲଣ୍ଡରେ ଚହଳ ପଡ଼ିଗଲାଣି । ଆମ ଓଡ଼ିଶାର ସୁଦର୍ଶନ ପଟ୍ଟନାୟକ ବିଭିନ୍ନ ଘଟଣାର ଦୃଶ୍ୟର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ବାଲୁକା କଳାର ପ୍ରଚାର, ପ୍ରସାର ଓ ଲୋକପ୍ରିୟତା ବଢ଼ାଇ ବିଶ୍ୱପ୍ରସିଦ୍ଧ ହେଲେଣି । ଜର୍ମାନୀରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କିନ୍ତୁ ବର୍ମୁଡାରେ ଦାସ ପ୍ରଥା ବିରୋଧରେ ଲଢ଼ି ସହିଦ ହୋଇଥିବା କୃଷ୍ଣକାୟ ଶାଲିଙ୍କ ପ୍ରତିମୂର୍ତ୍ତି ଗୋରାଙ୍କ ବିରୋଧ ଯୋଗୁଁ ପ୍ରତିଷ୍ଠା କରାଯାଇ ପାରୁନାହିଁ । ତୁର୍କିମେନିସ୍ତାନର ସାପରମୁରତ ଆତାୟେଭିଚ୍ ନିୟାଜୋଭ୍ ନିଜକୁ ଦେଶର ଆଜୀବନ

ବିକଳ୍ପ ବିଶ୍ୱ ୨୨୩