ପୃଷ୍ଠା:Bikalpa Biswa.pdf/୨୨୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଷ୍ଟ୍ରପତି ଓ ସବୁ ତୁର୍କିମେନିସ୍ତାନୀଙ୍କର ଅମର ନେତା ଘୋଷଣା କରି ଷ୍ଟାଲିନ୍, ଲେନିନ୍ ଓ ମାର୍କ୍ସଙ୍କର ପ୍ରତିମୂର୍ତ୍ତି ଭାଙ୍ଗି ନିଜ ମୂର୍ତ୍ତି ସ୍ଥାପନ କରିଛନ୍ତି । ଦେଶର ସ୍କୁଲ, କଲେଜ, ଏୟାରପୋର୍ଟ ଓ ବିଭିନ୍ନ ସହରକୁ ନିଜ ନାମରେ ନାମିତ କରିଛନ୍ତି । ଚୀନ୍‌ର ଅଭନ୍ତଗାର୍ଡ ସ୍ଥପତି ଗାଓ ଝେନ୍ ଓ ଗାଓ କିଆଙ୍ଗ୍ - ଦୁଇଭାଇ ମାଓଙ୍କ ମୁଣ୍ଡ ଓ ଗଣ୍ଡି ଦୁଇ ଭାଗ କରି ଗଢ଼ିଛନ୍ତି ଏକ ବିଭକ୍ତ ମୂର୍ତ୍ତି ଏବଂ ନାମ ରଖିଛନ୍ତି ‘ମାଓଙ୍କ ଅପରାଧ’ । ଚୀନ୍‌ରେ ସାଂସ୍କୃତିକ ବିପ୍ଳବ ସମୟରେ ଏମାନଙ୍କ ପିତାଙ୍କୁ ଶ୍ରେଣୀ ଶତ୍ରୁ କହି ମାରି ଦିଆଯାଇଥିଲା । ମୂର୍ତ୍ତିଟିରେ ମାଓ ନିଜ ଦୋଷପାଇଁ ନିଜ କଟା ମୁଣ୍ଡଟି ଧରି କ୍ଷମା ମାଗୁଥିବା ଦର୍ଶାଯାଇଛି । ଚୀନ୍ ସରକାର ଏହାକୁ ନିଷିଦ୍ଧ କରିଛନ୍ତି ଏବଂ ହୁନାନ୍‌ର ଚାଙ୍ଗସା ସହରରେ ମାଓଙ୍କର ୧୦୫ ଫୁଟ ଉଚ୍ଚ ମୂର୍ତ୍ତି ଗଢ଼ିଛନ୍ତି ।

ଏବେ କିନ୍ତୁ ପ୍ରତିମୂର୍ତ୍ତିର ବିଶ୍ୱକର୍ମା ହେଉଛନ୍ତି ମାଡାମ୍ ତୁଷାଡ଼ । ଜୀବିତ ଓ ମୃତ ସେଲିବ୍ରିଟିଙ୍କ ମୂର୍ତ୍ତି ନିଖୁଣ ଭାବରେ ତିଆରି କରି ସେ ଆଜି ବିଶ୍ୱ ପ୍ରସିଦ୍ଧ । ଲଣ୍ଡନ, ବର୍ଲିନ୍ ଓ ପୃଥିବୀର ବଡ଼ ବଡ଼ ନଗରୀରେ ତାଙ୍କ ନିର୍ମିତ ମହମ ପ୍ରତିମୂର୍ତ୍ତି ମ୍ୟୁଜିୟମ୍ ଦେଖିବାକୁ ସଦାବେଳେ ଟୁରିଷ୍ଟଙ୍କ ଭିଡ଼ । ପ୍ରତିମୂର୍ତ୍ତିପାଇଁ ମଣିଷର ଦୁର୍ବଳତାର କାରଣ ହେଲା ଆତ୍ମ-ପ୍ରେମ-ପ୍ରବଣତା ବା ନିଜ ପ୍ରତି ଅସାଧରଣ ଅନୁରାଗ । ଗ୍ରୀସୀୟ କିମ୍ବଦନ୍ତୀର ଚରିତ୍ର ନାର୍ସିସସ୍ ଜଳରେ ନିଜ ପ୍ରତଛବି ଦେଖି ଆତ୍ମବିଭୋର ହୋଇ ପଡ଼ୁଥିଲେ । ସେହି ମାୟାରେ ଏବେ ଆମର ଅନେକ ନେତା ନେତ୍ରୀ ବିଭୋର । କାଳେ ମୃତ୍ୟୁ ପରେ ଲୋକେ ତାଙ୍କୁ ଭୁଲିଯିବେ, ତେଣୁ ଜୀଇଁ ଥାଉ ଥାଉ ନିଜ ସ୍ମୃତି ପାଇଁ ପ୍ରତିମୂର୍ତ୍ତି ପୁଣି ସରକାରୀ ଖର୍ଚ୍ଚରେ । ନିଜକୁ ପ୍ରତିମୂର୍ତ୍ତି ମାଧ୍ୟମରେ ଅମର କରି ରଖିବାର ନିଷ୍ଫଳ, ନିର୍ଲଜ ଉଦ୍ୟମ । ଯେଉଁ ଗତିରେ ମୂର୍ତ୍ତି-ପ୍ରତିମୂର୍ତ୍ତି ସଂଖ୍ୟା ବଢ଼ିବାରେ ଲାଗିଛି, କିଛିିଦିନ ପରେ ରାସ୍ତା, ଘାଟ, ଗଳି, ଛକ, ପାର୍କଗୁଡିକରେ ପ୍ରତିମା ପ୍ରତିଷ୍ଠା ପାଇଁ ପ୍ରବଳ ପ୍ରତିଯୋଗିତା ଆରମ୍ଭ ହୋଇଯିବ । ତେଣୁ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ପାର୍ଲିଆମେଣ୍ଟରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା ବିଷୟରେ ନୂଆ ନୀତି ଓ ଆଇନ୍ ତିଆରି ହେବା ଦରକାର । ଏହାର ଉଦାହରଣ ଅନ୍ୟ ଦେଶମାନଙ୍କରେ ଅଛି । ନ ହେଲେ ପ୍ରତିମୂର୍ତ୍ତିଙ୍କ ସଂଖ୍ୟା ଏତେ ବଢ଼ିଯିବ ଯେ ଶେଷରେ ଏଗୁଡିକୁ ହଟିବାପାଇଁ ବୁଲ୍‌ଡୋଜରର ଆବଶ୍ୟକତା ପଡ଼ିବ ।

୧୬ ଜୁଲାଇ, ୨୦୦୯