ପୃଷ୍ଠା:Bikalpa Biswa.pdf/୨୨୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନୁଦାନ ଦେଇଥାଏ । ଏହାଛଡ଼ା ଏହି ସବୁ ରାଜ୍ୟରେ ଶିଳ୍ପ, ବାଣିଜ୍ୟ, ଉଦ୍ୟୋଗପାଇଁ ଶତକଡା ଶହେ ଭାଗ ଟିକସ ରିହାତି ମିଳିଥାଏ ।

ସେହିପରି ଏ ରାଜ୍ୟମାନଙ୍କର ଚାଷୀମାନେ ଅଧିକ ସବ୍‌ସିଡି ପାଇଥାନ୍ତି । ଋଣ ପାଇଁ କମ୍ ସୁଧ ଦିଅନ୍ତି । ଖାଉଟି ସାମଗ୍ରୀ କମ୍ ମୂଲ୍ୟରେ କିଣନ୍ତି । ଏ ରାଜ୍ୟମାନଙ୍କରେ ଥିବା ଛାତ୍ର, ଛାତ୍ରୀ, ବରିଷ୍ଠ ନାଗରିକ, ଗରିବ ମହିଳା ଓ ଭିନ୍ନକ୍ଷମମାନେ କେନ୍ଦ୍ରରୁ ସ୍ୱତନ୍ତ୍ର ଅନୁଦାନ ପାଇଥାନ୍ତି । ଯୁବ ଉଦ୍ୟୋଗୀମାନେ ସହଜରେ ଓ ନାମମାତ୍ର ସୁଧରେ ଋଣ ପାଇଥାନ୍ତି । ଉଦାହରଣ ସ୍ୱରୂପ ୩୫୦୦ ଟଙ୍କା ମୂଲ୍ୟର ଏକ ସୋଲାର (ସୌର) ଲଣ୍ଠନପାଇଁ ୭୦ ଭାଗ ସବ୍‌ସିଡି ମିଳୁଥିବା ବେଳେ ଅନ୍ୟ ରାଜ୍ୟପାଇଁ ସବ୍‌ସିଡି ପରିମାଣ ୭୦୦ ଟଙ୍କା । ସ୍ୱତନ୍ତ୍ର ପାହ୍ୟା ରାଜ୍ୟରେ ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ଓ ବିଶେଷ କରି ଝିଅମାନଙ୍କୁ ଏହି ଲଣ୍ଠନ ମାଗଣା ମିଳେ । ଏହିପରି ଅନେକ ସୁବିଧା ମିଳିଥାଏ । ଏବଂ ଏହି କାରଣରୁ ପଛୁଆ ଓ ଆଗୁଆ ଉଭୟ ପ୍ରକାରର ରାଜ୍ୟ ଏବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରୁଛନ୍ତି । ଏହି ଦାବିଦାରଙ୍କ ମଧ୍ୟରେ ଥିବା ଗୋଆ ରାଜ୍ୟ ଗତବର୍ଷ ଦେଶର ସବୁ ରାଜ୍ୟଙ୍କଠାରୁ ପ୍ରଗତିରେ ଆଗୁଆ ଥାଇ ମଧ୍ୟ ସ୍ୱତନ୍ତ୍ର ପାହ୍ୟା ମାଗୁଛି ।

କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାପାଇଁ ଏକ ମାପଦଣ୍ଡ ତିଆରି କରିଛନ୍ତି । ଏହି ମାପଦଣ୍ଡର ପରିମାପକ ଗୁଡ଼ିକ ହେଲା - ଭୌଗୋଳିକ ବିଚ୍ଛିନ୍ନତା ବା ଜିଓଗ୍ରାଫିକାଲ୍ ଆଇସୋଲେସନ୍, ଅଗମ୍ୟ ଓ ପ୍ରାକୃତିକ ବୈଶିଷ୍ଟ୍ୟ ଥିବା ଭୂଭାଗ, ଦୁର୍ବଳ ସାମୂହିକ ସମ୍ପଦ ଏବଂ ସଙ୍କୁଚିତ ଓ ଅବିକଶିତ ଭିତ୍ତିଭୂମି । ଏହାଛଡ଼ା କେତେକ ସ୍ପର୍ଶକାତର ସୀମାନ୍ତ ଅଞ୍ଚଳକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଦାବିପାଇଁ ଉପରୋକ୍ତ ନିର୍ଣ୍ଣାୟକ ନୀତି ବା ମାନ‌ଦଣ୍ଡରୁ ଅନେକ ଲାଗୁ ହେବ ନାହିଁ । ଆମେ ଅନେକ ସମୟରେ ଯୁକ୍ତିକରୁ ଯେ ଆମର ୪୮୦ କିମି ସମୁଦ୍ର ଉପକୂଳ, ସମଗ୍ର ଦେଶର ଖଣିଜ ସମ୍ପଦରୁ ୨୧ ଭାଗ ଆମର, ଜଳସମ୍ପଦ ଶତକଡା ୧୨ ଭାଗ, ସାମୁଦ୍ରିକ ସମ୍ପଦ ଶତକଡା ୮ ଭାଗ, ଶ୍ରମିକ ଶକ୍ତି ୧୮ ଭାଗ, ଲୋକସଂଖ୍ୟା ତୁଳନାରେ ଜମି ପରିମାଣ ବେଶି ଏବଂ ଏହି ଜମି ତଳେ ଭରପୂର ପ୍ରାକୃତିକ ସମ୍ପଦ ଇତ୍ୟାଦି । ଆମେ ଆଜି କାହିଁକି ଦରିଦ୍ରତମ ରାଜ୍ୟ - ଏ ବିଷୟରେ ଆତ୍ମ ସମୀକ୍ଷାପାଇଁ ଉକ୍ତ ତଥ୍ୟ ଓ ସର୍ବସ୍ୱୀକୃତ ସତ୍ୟ ଜାଣିବା ଆବଶ୍ୟକ । କିନ୍ତୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ସ୍ୱୀକୃତିପାଇଁ ଏହି ତଥ୍ୟ ଆମକୁ ଆଦୌ ସାହାଯ୍ୟ କରିବ ନାହିଁ ବରଂ ଆମ ଯୁକ୍ତିକୁ ଦୁର୍ବଳ କରିବେ ।

ବିକଳ୍ପ ବିଶ୍ୱ ୨୨୭