ପୃଷ୍ଠା:Bikalpa Biswa.pdf/୨୨୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତେଣୁ ନୀତୀଶ କୁମାର ତାଙ୍କ ଦସ୍ତାବିଜ୍‌ରେ ରାଜ୍ୟର ଦୁର୍ବଳ ଅର୍ଥନୈତିକ ଅବସ୍ଥା, ମୁଣ୍ଡପିଛା ଆୟ ଓ ବ୍ୟୟ ଏବଂ ଜଣପିଛା ସମ୍ବଳ ବିନିଯୋଗର ପରିମାଣ ଓ ହାରକୁ ମହତ୍ତ୍ୱ ଓ ପ୍ରାଥମିକତା ଦେଇଛନ୍ତି । ବିହାରରେ ମୁଣ୍ଡପିଛା ସମ୍ବଳ ବିନିଯୋଗ ବାର୍ଷିକ ୨୭୮୬ ଟଙ୍କା ଏବଂ ଜାତୀୟ ସ୍ତରରେ ଏହା ୪୮୩୪ ଟଙ୍କା । ତେଣୁ ନୀତୀଶଙ୍କ ହିସାବ ଅନୁସାରେ ଆଜିର ଜାତୀୟ ହାରରେ ପହଞ୍ଚିବାକୁ ବିହାରକୁ ଲାଗିବ ୩୦ ବର୍ଷ ଏବଂ ଓଡ଼ିଶାକୁ ଲାଗିବ ୪୦ ବର୍ଷ । ବିକାଶପାଇଁ ଉର୍ଜାର ଆବଶ୍ୟକତା ସବୁଠୁ ବେଶୀ । ବିହାର ଓ ଓଡ଼ିଶାରେ ମୁଣ୍ଡପିଛା ବିଜୁଳି ଖର୍ଚ୍ଚ ୬୦ରୁ ୮୦ ୟୁନିଟ୍ ଥିଲା ବେଳେ ବିକଶିତ ରାଜ୍ୟମାନଙ୍କରେ ଏହା ୬୭୦ ୟୁନିଟ୍ । ଓଡ଼ିଶାରେ ଜଣେ ଲୋକର ଖର୍ଚ୍ଚ କରିବା ଶକ୍ତି ଦିନକୁ ୧୨ ରୁ ୧୫ ଟଙ୍କା । ସ୍ୱତନ୍ତ୍ର ପାହ୍ୟା ପାଇଥିବା ରାଜ୍ୟମାନଙ୍କରେ ଏହା ୫ ଗୁଣ ଅଧିକ । ଏପରିକି ପଡୋଶୀ ପଶ୍ଚିମବଙ୍ଗ ଆମଠୁ ୪୦ ଗୁଣ ଅଧିକ ଅନୁଦାନ ପାଏ ।

ଏବେ ଯୋଜନା ଆୟୋଗ ମଧ୍ୟ ବିଶେଷ ରାଜ୍ୟ ଦର୍ଜାପାଇଁ ଏକ ନୂଆ ମାନ‌ଦଣ୍ଡ ତିଆରି କରିଛନ୍ତି । ଅର୍ଥନୈତିକ ଓ ଶିଳ୍ପ ଦୃଷ୍ଟିରୁ ଯେଉଁ ରାଜ୍ୟମାନେ ପଛୁଆ ସେମାନଙ୍କୁ ସାହାଯ୍ୟ କରିବାପାଇଁ ନୀତି ନିର୍ଦ୍ଧାରଣ ହୋଇଛି । ଗୃହ ମନ୍ତ୍ରାଳୟପାଇଁ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟିରେ ଏ ବିଷୟରେ ଆଲୋଚନା ବି ହେଲାଣି । ଦ୍ୱାଦଶ ଓ ତ୍ରୟୋଦଶ ଫାଇନାନ୍‌ସ କମିଶନ ଆଗରେ ଏ ପ୍ରସଙ୍ଗ ଉଠିଛି । ଶିଳ୍ପ ଅନୁନ୍ନତ ରାଜ୍ୟମାନେ ଏକାଠି ହୋଇ ଥରେ ଅଧେ ଏକଥା ଉଠାଇଲେଣି । କିନ୍ତୁ ଏ ପଦ୍ଧତିରେ କାମ ହେବ ନାହିଁ । ଗୃହ ମନ୍ତ୍ରାଳୟ ଉପରେ ପ୍ରଥମେ ମାନ‌ଦଣ୍ଡ ପରିବର୍ତ୍ତନପାଇଁ ଚାପ ପ୍ରୟୋଗ ଆବଶ୍ୟକ । ସବୁ ରାଜନୈତିକ ଦଳ ଏକାଠି ହୋଇ ରାଜ୍ୟର ସ୍ୱାର୍ଥପାଇଁ କାମ କରିବା ଦରକାର । କେନ୍ଦ୍ରରେ ଓଡ଼ିଶାରୁ ଜଣେ ହେଲେ କ୍ୟାବିନେଟ୍ ମନ୍ତ୍ରୀ ନାହାନ୍ତି । ତାମିଲନାଡ଼ୁର ଅଛନ୍ତି ଦଶ ଜଣ ମନ୍ତ୍ରୀ । ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ, ଓଡ଼ିଶାର ଜଣେ ହେଲେ ସାଂସଦ କେନ୍ଦ୍ର କ୍ୟାବିନେଟ୍‌ରେ କୌଣସି ଗୋଟିଏ ହେଲେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ୍ ପାହ୍ୟା ପାଇନାହାନ୍ତି । ଓଡ଼ିଶାପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ଏହି ବିଭାଗ ବା ମନ୍ତ୍ରଣାଳୟ ଗୁଡ଼ିକ ହେଲା, ରେଳବାଇ, ସଫ୍ଟ‌ୱେ ଟ୍ରାନ୍ସପୋର୍ଟ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ରୁରାଲ୍ ଡେଭେଲପ୍‌ମେଣ୍ଟ ଓ ପଞ୍ଚାୟତିରାଜ, ଆଇଟି, ଶିଳ୍ପ, କୃଷି, ବାଣିଜ୍ୟ ଇତ୍ୟାଦି । ତେଣୁ ଆମକୁ ସବୁ କଥାରେ ହାରି, ହୁରି, ଗୁହାରି କରିବାକୁ ପଡ଼ୁଛି । ଇଂରାଜୀରେ ଏପରି ସ୍ୱଭାବକୁ କୁହାଯାଏ କ୍ରାଏ ବେବି ସିଣ୍ଡ୍ରମ୍ । ଛୋଟ ପିଲାଏ ଯେମିତି କାନ୍ଦଣାକୁ ଅସ୍ତ୍ର କରି ବାପ ମା’ଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ବାଳାନାଂ ରୋଦନଂ ବଳମ୍ । କିନ୍ତୁ ଅତ୍ୟଧିକ କ୍ରନ୍ଦନରେ ଶ୍ୱାସରୁଦ୍ଧ ହୋଇ ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ । ଚାରି କୋଟି ଲୋକ

୨୨୮ ବିକଳ୍ପ ବିଶ୍ୱ