ପୃଷ୍ଠା:Bikalpa Biswa.pdf/୨୩୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅନ୍ଧଗଳିରେ ବନ୍ଦ କଏଦୀମାନେ

ଓଡ଼ିଶା ରାଜ୍ୟ ସଚିବାଳୟରୁ ଆରମ୍ଭ କରି ଗାଁ ପୁଲିସ୍ ଥାନା ପର୍ଯ୍ୟନ୍ତ ଅଫିସ୍ ଭିତରେ ବିଭିନ୍ନ ହୋମ, ଯଜ୍ଞ, ମୂର୍ତ୍ତି ପୂଜା, ଆଳତି, ଖଞ୍ଜଣି ମାଡ଼, ଗୁଣିଆ, ଜ୍ୟୋତିଷଙ୍କ ଗହଳି ଓ ଧାର୍ମିକ କୋଳାହଳ ଦେଖିଲେ ଆମେ ଏକ ଧର୍ମନିରପେକ୍ଷ ଦେଶରେ ଅଛେ ବୋଲି ବିଶ୍ୱାସ ହୁଏ ନାହିଁ । କାଳ୍ପନିକ ଭୂତପ୍ରେତ ଡାହାଣୀ, ଚିରୁଗୁଣି, ପିଶାଚିନୀ, ରକ୍ତଖିଆ, ଖଣ୍ଡିଆ ମାଦଳଙ୍କ କୁପ୍ରଭାବରୁ ରକ୍ଷା ପାଇବାପାଇଁ ଝୁଣା, ପଣା ଓ ଏପରିକି ବଳିର ଖବର ଶୁଣିଲେ ମନେ ହୁଏ, ଆମେ ଯେପରି ଏକବିଂଶ ଶତାବ୍ଦୀରେ ବି ମଧ୍ୟଯୁଗୀୟ ଅନ୍ଧବିଶ୍ୱାସର ବନ୍ଦ ଗଳି ଭିତରେ ବାନ୍ଧି ହୋଇ ରହିଛେ । ନେତା, ଅଭିନେତା, ହାକିମ, ଅଧ୍ୟାପକ, ବୈଜ୍ଞାନିକ, ଅମଲା, ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରିଧାରୀଙ୍କ ମଧ୍ୟରୁ ଅନେକ ଏ ଜାଲରୁ ମୁକୁଳି ପାରୁନାହାନ୍ତି । ସାଧାରଣ, ନିରକ୍ଷରଙ୍କୁ କିଏ ବୁଝାଇବ ?

ନିର୍ବାଚନ ଫଳ ପ୍ରକାଶର ପୂର୍ବ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ମୁଣ୍ଡରେ ଝିଟିପିଟି ପଡ଼ିବା ଶୁଣି ତାଙ୍କର ପରାଜୟ ସୁନିଶ୍ଚିତ ବୋଲି କୁହାଗଲା । କିନ୍ତୁ ତଥାକଥିତ ଅଶୁଭ ପଲ୍ଲୀପତନ ପରେ ସେ ହାଟ୍ରିକ୍ କଲେ । ଆଉ ଜଣେ ପ୍ରାର୍ଥୀଙ୍କ ବାଟ ବିରାଡି କାଟିଲା ସାତ ଥର, ଅଥଚ ସେ ୭୦ ହଜାରରୁ ଅଧିକ ଭୋଟ୍‌ରେ ଜିଣିଲେ । ଲାଲକୃଷ୍ଣ ଆଡଭାନୀଙ୍କ ଜ୍ୟୋତିଷ, ଏଥର ତାଙ୍କର ରାଜଯୋଗ ହାତମୁଠାରେ କହିଲା ପରେ ତାଙ୍କର ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ଚୂରମାର ହୋଇଗଲା । ଏବେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦକୁ ମଙ୍ଗଳ ଦୋଷ ଲାଗିଛି ବୋଲି ଚର୍ଚ୍ଚା ଚାଲିଛି । ଏହା ପୂର୍ବରୁ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କୁ ‘ମଙ୍ଗନୀ’ କହି ସେ ବାହା ହୋଇ ପାରିବେନି ବୋଲି କୁହାଯାଉଥିଲା । ସେହିପରି ଅତୀତରେ କେତେକ ଅନ୍ଧବିଶ୍ୱାସୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭାବେ ପୂର୍ବ ନିର୍ଦ୍ଧାରିତ ଶପଥ ଗ୍ରହଣ ଉତ୍ସବର ସମୟ ବଦଳାଇ ଦେଇଥିବାର ଉଦାହରଣ ରହିଛି । କିନ୍ତୁ

୨୩୦ ବିକଳ୍ପ ବିଶ୍ୱ