ପୃଷ୍ଠା:Bikalpa Biswa.pdf/୨୩୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରବର୍ତ୍ତୀ କାଳରେ ଏସବୁ ବିଶ୍ୱାସ ଓ ଉଉ୍ୟମ ନିଷ୍ଫଳ ଓ ନିରାଧାର ପ୍ରମାଣିତ ହୋଇଛି ।

ଏବେ ଆଡ଼ପଥର ଗାଁର ରାଜେଶ ହେମ୍ବ୍ରମ୍ ନାମକ ବ୍ୟକ୍ତି ଜଣେ ଗୁଣିଆଙ୍କ କଥାରେ ବିଶ୍ୱାସ କରି ନିଜର ନଅ ବର୍ଷର ନାତୁଣୀର ଗଳା କାଟି ସେ ରକ୍ତରେ ବିହନକୁ ଗୋଳାଇ ଅଧିକ ଫସଲ ପାଇବା ବିଶ୍ୱାସର ଶିକାର ହୋଇଛି । କୋରାପୁଟ ବନ୍ଧୁଗାଁ ବ୍ଲକ୍‌ର ଜଣେ ଆଦିବାସୀ ମହିଳାଙ୍କୁ ଡାହାଣୀ ସନ୍ଦେହ କରି ମାରି ଦିଆଯାଇଛି । ବାରଙ୍ଗ ଅଞ୍ଚଳର ଅଶୀ-ବର୍ଷୀୟ ବୃଦ୍ଧ ବାଇଧର ସିଂଙ୍କୁ ଗୁଣିଗାରେଡ଼ି କରୁଥିବା ଅଭିଯୋଗରେ ଗଳାକାଟି ହତ୍ୟା କରାଯାଇଥିବା ଖବର ପ୍ରକାଶ ପାଇଛି । ସେହିପରି ଝାରସୁଗୁଡ଼ା ଅଞ୍ଚଳର ପତି ପରିତ୍ୟକ୍ତା ସୁମିତ୍ରାଙ୍କୁ ଡାହାଣୀ କହି ଭୂତ ଛଡ଼ାଇବାପାଇଁ ଜଣେ ଗୁଣିଆଙ୍କ ପ୍ରରୋଚନାରେ ପିଟି ପିଟି ମାରି ଦିଆଯାଇଛି । (ସମ୍ବାଦ ୧୯/୦୩/୨୦୦୯) ସେ ଅସୁସ୍ଥ ରହୁଥିବାରୁ ତାଙ୍କ ଶରୀରରେ ଭୂତ, ପ୍ରେତ ପ୍ରବେଶ କରିଛି ବୋଲି ଗୁଣିଆ କହୁଥିଲା । ତେଣୁ ତାଙ୍କୁ ନିସ୍ତୁକ ପିଟିଲେ ଯାଇ ପ୍ରେତ ଦେହ ଛାଡ଼ି ପଳାଇବ ବୋଲି ପ୍ରଚାର କରାଯାଇଥିଲା । ପ୍ରାୟ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଏପରି ଖବର ବାହାରୁଛି ।

ଏବେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ସର୍ପ ଦଂଶନରେ ମୃତ ଜଣେ ଶିକ୍ଷକଙ୍କୁ ମନ୍ତ୍ର ଫୁଙ୍କି ବଞ୍ଚାଇ ଦେବେ ବୋଲି କହି ଜଣେ ତାନ୍ତ୍ରିକଙ୍କ ନାଟକବାଜି ବାରମ୍ବାର ବ୍ୟର୍ଥ ହେବା ପରେ ତାନ୍ତ୍ରିକ ମହାଶୟ ସ୍ଥାନ ତ୍ୟାଗ କରିଛନ୍ତି । ବସନ୍ତ, ହାଡ଼ଫୁଟି, ମିଳିମିଳା, ହଇଜାରୁ ବଞ୍ଚେଇବାପାଇଁ ଠାକୁରାଣୀଙ୍କ ନିକଟରେ ପଣା ଯାଚିବାର ବ୍ୟବସ୍ଥାକୁ ଚିକତ୍ସା ବିଜ୍ଞାନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହଟାଇ ପାରି ନାହିଁ । ନାଗନାଡ଼ି, ରାହୁକେତୁ, ଶନିଦୃଷ୍ଟି, ନରରାକ୍ଷସ, ଷଡ଼ାଷ୍ଟକ ଓ ମଙ୍ଗଳ ଦୋଷଯୋଗୁଁ ପୁଅ ଝିଅଙ୍କ ବାହାଘର ହୋଇ ପାରୁନାହିଁ, ବୟସ ବଢ଼ି ଯିବାରୁ ସେମାନଙ୍କୁ ଯୋଗ୍ୟ ପାତ୍ର ପାତ୍ରୀ ମିଳୁ ନାହାନ୍ତି । ଅପର ପକ୍ଷରେ ରାଜଯୋଟକ ଓ ଦଶମେଳକ ଶୁଝାଇ ବାହା ହୋଇଥିବା ସ୍ୱାମୀ, ସ୍ତ୍ରୀ ଭିତରେ ଝଗଡ଼ାଝାଟି ମାରପିଟ ଓ ଛାଡପତ୍ର ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ଭଞ୍ଜନଗର ଅଞ୍ଚଳରେ ଜଣେ ଭଣ୍ଡ ବାବାଜୀ ମନ୍ତ୍ରଦ୍ୱାରା ବନ୍ଧ୍ୟା ଦୋଷ ଦୂର କରିବା ନାମରେ ସମ୍ପୃକ୍ତ ମହିଳାଙ୍କୁ ଧର୍ଷଣ ଚେଷ୍ଟାରେ ଧରା ପଡ଼ି ଗିରଫ ହୋଇଛନ୍ତି (ସମ୍ବାଦ-୧୪.୦୬.୦୯) । ଅତୀତରେ ନାମକରା ବୈଜ୍ଞାନିକମାନେ ବିଶ୍ୱାସ ଓ ବାସ୍ତବତା ମଧ୍ୟରେ ଫରକ ଦର୍ଶାଇବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି ।

ବିକଳ୍ପ ବିଶ୍ୱ ୨୩୧