ପୃଷ୍ଠା:Bikalpa Biswa.pdf/୨୩୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
‘ବିଶ୍ୱାସ’ର ବଜାରୀକରଣ

୨୦୦୮, ନଭେମ୍ବର ୨୬ ଦିନ ତିନି ଶହ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିବା ଅଜମଲ କସାବ ଓ ତାଙ୍କର ୯ ଜଣ ସହଯୋଗୀ ବିଶ୍ୱାସ କରୁଥିଲେ ଯେ ଏହି ‘ପୁଣ୍ୟ’ କାର୍ଯ୍ୟଦ୍ୱାରା ସେମାନେ ସୁନ୍ଦରୀ ଅପସରାଙ୍କ ଗହଣରେ ସ୍ୱର୍ଣ୍ଣ ରଥରେ ବସି ସ୍ୱର୍ଗକୁ ଯିବେ ଓ ଅଖଣ୍ଡ ସୁଖରେ କାଳାତିପାତ କରିବେ । ପୃଥିବୀର ଧର୍ମ ବଜାରରେ ଧର୍ମାନ୍ଧ ବ୍ୟକ୍ତିମାନେ ଯୁଗ ଯୁଗ ଧରି ଏପରି ବିଷାକ୍ତ ‘ବିଶ୍ୱାସ’କୁ ଧର୍ମ ନାମ ଦେଇ ବିକି ଆସୁଛନ୍ତି । ଶିକାର ହେଉଛନ୍ତି ସରଳ ଅଳ୍ପ ବୟସ୍କ କିଶୋର ଓ ଯୁବପିଢ଼ି, ଅଜମଲ ଏ କଥା ବୁଝି ପାରି ଏବେ ଅନୁତପ୍ତ, କିନ୍ତୁ ତାଙ୍କର ଅନ୍ୟ ୯ ଜଣ ସାଥୀ ବୁଝିବା ଆଗରୁ ବିଶ୍ୱାସ ବଜାରରେ ବଳି ପଡିଛନ୍ତି । ଆମ ଦେଶରେ ଓ ରାଜ୍ୟରେ ଅନ୍ଧବିଶ୍ୱାସ ଏବେ ଶିକ୍ଷିତ ସମାଜରେ ବ୍ୟାପିଲାଣି ।

ଆଜକୁ ପ୍ରାୟ ୧୨ ହଜାର ବର୍ଷ ପୂର୍ବ ପର୍ଯ୍ୟନ୍ତ ପଶୁ ପକ୍ଷୀ ଶିକାର ଓ ଫଳମୂଳ ସଂଗ୍ରହ କରି ବଞ୍ଚୁଥିଲା ବାରବୁଲା ମଣିଷ । ରାତିର ଅନ୍ଧାର ଭୟରୁ ସୃଷ୍ଟି ହେଲେ ଅଂଶୁମାନ, ଦିବାକର ସୂର୍ଯ୍ୟଦେବ ଓ ହିଂସ୍ର ପଶୁଙ୍କଠାରୁ ରକ୍ଷା ପାଇ ଆସିଲେ ପଶୁପତି ନାଥ । ଅନ୍ନ, ଜଳ, ବାୟୁ ହେଲେ ଅନ୍ନପୂର୍ଣ୍ଣା, ବରୁଣ, ଇନ୍ଦ୍ର, ମରୁତ ଦେବତା ଓ ପ୍ରକୃତି ମାତା । କ୍ରମେ ମଣିଷ ଜାଣିଗଲା କୃଷିଦ୍ୱାରା ଖାଦ୍ୟ ଉତ୍ପାଦନ ଓ ପଶୁପାଳନର କୌଶଳ । କୃଷିରୁ ସୃଷ୍ଟି ହେଲା ସମ୍ପତ୍ତି, ପରିବାର, ଗ୍ରାମ, ନଗର, ରାଜା, ରାଜ୍ୟାଧିକାର, କଳହ, ହିଂସା, ହତ୍ୟା ଓ ଯୁଦ୍ଧ । ସ୍ୱାର୍ଥପାଇଁ ମଣିଷଙ୍କଠାରୁ ମଣିଷ ଅଲଗା ହୋଇଯାଉଥିବାରୁ ସେମାନଙ୍କୁ ଶୃଙ୍ଖଳିତ ଓ ଏକାଠି କରିବାପାଇଁ, ମଣିଷ ସୃଷ୍ଟି କଲା ଧର୍ମବିଶ୍ୱାସ । କ୍ରମେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିଶ୍ୱାସ ଜନ୍ମ ନେଲା ଓ ଭିନ୍ନ ଭିନ୍ନ ଦେବଦେବୀ ସୃଷ୍ଟି ହେଲେ । ପ୍ରଫେଟ୍‌ମାନେ ବିଶ୍ୱାସକୁ ରଙ୍ଗ ରୂପ ଦେଇ ପାଣ୍ଡିତ୍ୟପୂର୍ଣ୍ଣ ପ୍ରଚାର କଲେ ଓ ଶିଷ୍ୟ ବା ଅନୁଗାମୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ବଳ

ବିକଳ୍ପ ବିଶ୍ୱ ୨୩୫