ପୃଷ୍ଠା:Bikalpa Biswa.pdf/୨୩୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖୋଲା ବଜାରକୁ ଛଡ଼ାଯାଉ ଓ ଷ୍ଟକ୍ ଏକ୍ସଚେଞ୍ଜ୍ ଏବଂ ସେଆର୍ ବଜାରରେ ଲଗାଯାଉ । ଧନୀ ଧର୍ମଗୁଡିକ ଅଳ୍ପ ଦାମ୍‌ରେ ଏହାକୁ ଗରିବ ଧର୍ମଙ୍କୁ ବିକି ପାରିବେ ବା ଗରିବମାନେ ତାଙ୍କ ଧର୍ମ ଓ ବିଶ୍ୱାସକୁ ବେଶି ପଇସାରେ ଧନୀଙ୍କୁ ବିକି ପାରିବେ । ସ୍ୱର୍ଗ, ନର୍କ, ନିର୍ବାଣ, ପୁନର୍ଜନ୍ମକୁ ଆଳୁ ବାଇଗଣ ଭଳି ଦୋକାନରୁ କିଣାଯାଇପାରିବ । ଜଣେ ବ୍ୟକ୍ତି ପନ୍ଦର ଦିନପାଇଁ ଖ୍ରୀଷ୍ଟିୟାନ୍ ଅନୁଭୂତି କିଣି, ଆଉ ପନ୍ଦର ଦିନପାଇଁ ହିନ୍ଦୁ ବା ଅନ୍ୟ ଧାର୍ମିକ ଅନୁଭୂତି ବଜାରରୁ କିଣିପାରିବେ । ୱେଷ୍ଟ ଇଣ୍ଡିଜ୍‌ରେ ଏବେ ବଜାରରୁ ଗୁଣିଆ, ଡାଆଣୀ ଏବଂ ଜ୍ୟୋତିଷ କିଣାଯାଇ ପାରୁଛି । ଭାରତୀୟ ସହରମାନଙ୍କରେ ରାସ୍ତା କଡ଼ରେ ବସିଥିବା ଜ୍ୟୋତିଷ ଓ ଶୁଆ ଶାରୀମାନଙ୍କଠାରେ ପଇସା ଦେଇ ସୁଖ ଦୁଃଖ, ଭବିଷ୍ୟବାଣୀ କିଣାଯାଏ, ତେଲ ଢାଳି ଶନିଙ୍କୁ ଓ ଅଟାଗୁଣ୍ଡ ଦେଇ ଜନ୍ଦା ପିମ୍ପୁଡି, ପୋକ, ଜୋକଙ୍କୁ ଶାନ୍ତ କରାଯାଏ । ବିଶ୍ୱାସର ସହସ୍ର ରୂପ । ମୋ ଘର ପାଖରେ ଧର୍ମପତ୍ନୀ ଦୁଇଟି ବର ଓ ଓସ୍ତ ଗଛ ଲଗାଇଥିଲେ । ଅତିଭକ୍ତିଆ ମାନେ ତା’ଚାରିପଟେ ଏତେ ପରିମାଣ ଅନ୍ଧବିଶ୍ୱାସର ବଳିତା ଜାଳିଲେ ଯେ ଦିନେ ନିଆଁ ଲାଗି ଦୁଇଟି ଯାକ ବୃକ୍ଷଙ୍କର ଦେହାନ୍ତ ହୋଇଗଲା ।

ଆଦାମ୍ ସ୍ମିଥ୍ ତାଙ୍କ ପ୍ରସିଦ୍ଧ ପୁସ୍ତକ ‘ୱେଲଥ ଅଫ୍ ନେସନ୍ସ’ରେ ଲେଖିଛନ୍ତି ଧାର୍ମିକ ନେତାଙ୍କ ଧର୍ମ ପ୍ରଚାରପାଇଁ ଅତ୍ୟଧିକ ଉତ୍ସାହ ମାନବ ସମାଜ ପ୍ରତି ଅତ୍ୟନ୍ତ ବିପଜ୍ଜନକ । ଏଥିରୁ ରକ୍ଷା ପାଇବାପାଇଁ ଧର୍ମର ସଂଖ୍ୟା ବେଶିରୁ ବେଶି ଓ ଏହାର ଅନୁଗାମୀଙ୍କ ସଂଖ୍ୟା କମ୍‌ରୁ କମ୍ ହେଲେ ସେମାନଙ୍କର ପରସ୍ପର ବିରୋଧରେ ଲଢ଼ିବା ସଂଖ୍ୟା ଓ ଶକ୍ତି ହ୍ରାସ ପାଇବ । ଧାର୍ମିକ ହିଂସା ଓ ହତ୍ୟା ସଂଖ୍ୟା କମିଯିବ । ଅସହିଷ୍ଣୁତା ଦୁର୍ବଳ ହୋଇଯିବ । ସେହି ହିସାବରେ ଏବେକାର ୪ ହଜାର ବିଶ୍ୱାସ ବଢ଼ ୪୦ ହଜାର ହେଲେ ଆହୁରି ଭଲ ।

ମହାତ୍ମାଗାନ୍ଧୀ କହୁଥିଲେ ମୁଁ ଈଶ୍ୱର ବିଶ୍ୱାସୀ, କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ ପାଇ ନାହିଁ ଏବଂ ପୁଣି କହୁଥିଲେ ଯେଉଁ ଧର୍ମ ସଂକୀର୍ଣ୍ଣତା ଉପରେ ଆଧାରିତ ତା’ର ଭବିଷ୍ୟତ ଅନ୍ଧକାର । ୧୯୨୮ ଜାନୁଆରୀ ୧୯ ତାରିଖରେ ‘ୟଙ୍ଗ୍ ଇଣ୍ଡିଆ’ରେ ଗାନ୍ଧୀ ଲେଖିଥିଲେ ‘ସମ୍ମାନର ସହ ପୃଥିବୀର ବିଭିନ୍ନ ଧର୍ମ ଶାସ୍ତ୍ର ଅଧ୍ୟୟନ କଲା ପରେ ମୋର ହୃଦ୍‌ବୋଧ ହୋଇଛି ଯେ କୌଣସି ଧର୍ମାବଲମ୍ବୀଙ୍କୁ ନିଜ ଧର୍ମ ପରିବର୍ତ୍ତନପାଇଁ କହିବା ଅଯୌକ୍ତିକ ।’ ୧୯୫୪ ମସିହା ଜାନୁଆରି ୩ ତାରିଖରେ ଦାର୍ଶନିକ ଏରିକ୍ ଗୁଟ୍‌କିଣ୍ଡଙ୍କୁ ଏକ ପତ୍ର ଲେଖି ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନ୍‌ସ୍ଟାଇନ୍ ବଡ଼ ବଡ଼ ଧର୍ମନେତାଙ୍କ ଆଚରଣକୁ ପିଲାଳିଆମି ଓ ଅନ୍ଧବିଶ୍ୱାସ ଉପରେ ଆଧାରିତ ବୋଲି ଉଲ୍ଲେଖ କରିଥିଲେ । ସେ ନିଜେ

୨୩୮ ବିକଳ୍ପ ବିଶ୍ୱ