ପୃଷ୍ଠା:Bikalpa Biswa.pdf/୨୩୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇହୁଦୀ କିନ୍ତୁ ଇସ୍ରାଏଲର ନାଗରିକତ୍ୱ ଓ ରାଷ୍ଟ୍ରପତି ପଦ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । କାରଣ ସେ ଧର୍ମ, ସମ୍ପ୍ରଦାୟ ଓ ବର୍ଣ୍ଣ, ଜାତି ଭିତ୍ତିକ ରାଷ୍ଟ୍ର ଗଠନର ବିରୋଧୀ ଥିଲେ । ସ୍ୱାମୀ ବିବେକାନନ୍ଦ ଧର୍ମକୁ ‘ଚେତନା ବିଜ୍ଞାନ’ ବୋଲି କହୁଥିଲେ ଓ ଏହାକୁ ଆନୁଷ୍ଠାନିକ ବିଧି ବିଧାନ, କର୍ମକାଣ୍ଡ ଓ ପ୍ରଥାରେ ବାନ୍ଧି ଦେଇଥିବା ପଣ୍ଡିତମାନଙ୍କର ଘୋର ବିରୋଧ କରୁଥିଲେ । ହିନ୍ଦୁ ଧର୍ମରେ ଅଦ୍ୱୈତ, ଏକେଶ୍ୱରବାଦକୁ ପୁନଃ ପ୍ରତିଷ୍ଠା କରିଥିବା ଆଦି ଶଙ୍କରାଚାର୍ଯ୍ୟ କହୁଥିଲେ ଧର୍ମର ପ୍ରକୃତ ଅର୍ଥ ହେଉଛି ଆତ୍ମଦର୍ଶନ । ସ୍ୱାମୀ ଦୟାନନ୍ଦ ହିନ୍ଦୁ ଧର୍ମରେ ପଶିଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ସାରା ଜୀବନ ଲଢ଼ିଥିଲେ । ପରିବର୍ତ୍ତନର ଏହି ଧାରା ଏବେ ଦୁର୍ବଳ ହୋଇଗଲାଣି । ଆତ୍ମଦର୍ଶନ ପରିବର୍ତ୍ତେ ଧର୍ମ ଧ୍ୱଜା ଦର୍ଶନ ବେଶୀ ହେଉଛି ।

ଆଜିକାର ଧର୍ମ ଓ ବିଶ୍ୱାସ ବଜାରର ଲୋଭୀ ବଣିକଙ୍କୁ ଏକଥା କିଏ କହିବ ? କିଏ ବୁଝାଇବ ? ଭାରତର ପୂର୍ବତନ ଦାର୍ଶନିକ ରାଷ୍ଟ୍ରପତି ରାଧାକୃଷ୍ଣନ୍ ଥରେ କହିଥିଲେ, ଯେଉଁମାନେ ଈଶ୍ୱରଙ୍କୁ ଅନୁଭବ କରିନାହାନ୍ତି ଓ ନିଜେ ଧର୍ମାନ୍ଧ, ସେମାନଙ୍କ ଧର୍ମବଜାର ଓ ଧର୍ମ ପ୍ରଚାର, ଜଣେ ଅନ୍ଧ ଆଉ ଜଣେ ଅନ୍ଧକୁ ବାଟ ଖୋଇବା ସଦୃଶ । ଗୌତମ ବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗର ପ୍ରଥମ ମାର୍ଗ ଥିଲା ‘ବିଶ୍ୱାସ’ । ସିଦ୍ଧାର୍ଥଙ୍କୁ ବୋଧେ ଜଣା ନଥିଲା କି ଦିନେ ‘ବିଶ୍ୱାସ’ ଖୋଲା ବଜାରରେ ବିକ୍ରି ହେବ; ବନ୍ଧୁକ, ବନ୍ଧକ ଓ ଧର୍ମ ବେପାରୀ, ବିଶ୍ୱାସର ସଂଜ୍ଞା ନିରୂପଣ କରିବେ । ଧର୍ମ ରାଜନୀତିର ଅଙ୍କୁଶ ନ ହୋଇ ଘୋଡ଼ା ହୋଇଯିବ ।

୨୧ ମେ, ୨୦୦୯

ବିକଳ୍ପ ବିଶ୍ୱ ୨୩୯