ପୃଷ୍ଠା:Bikalpa Biswa.pdf/୨୪୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜୋତାର ଆଶ୍ରୟ ନେବା ପୂର୍ବରୁ ସାମ୍ବାଦିକତା ଛାଡି ଦେବା ଜର୍ନେଲ୍‌ଙ୍କ ପକ୍ଷରେ ଶ୍ରେୟସ୍କର ହୋଇଥାନ୍ତା । ଏପରି ଆଚରଣ ଫଳରେ ଭବିଷ୍ୟତରେ ଅନ୍ୟ ସାମ୍ବାଦିକମାନେ ଅସୁବିଧାର ସମ୍ମୁଖୀନ ହେବେ । ଜୋତାର ସାମୟିକ ପଦୋନ୍ନତି ହୋଇପାରେ, କିନ୍ତୁ କଲମର ନିଶ୍ଚିତ ରୂପେ ସମ୍ମାନ ହାନି ହେବ ।

ସମାଜର ବିଭିନ୍ନ ସ୍ତରରେ ଜୋତାମାନେ ଅନୁପ୍ରବେଶ କରିସାରିଲେଣି । ଫୁଲମାଳ ବଳରେ କେତେକ କ୍ଷେତ୍ରରେ ଜୋତା ମାଳ ଦିଆଗଲାଣି । ଯୌନ ନିର୍ଯ୍ୟାତନା ବିରୋଧରେ ମହିଳାମାନେ ଚପଲକୁ ଅସ୍ତ୍ର ଭାବରେ ବ୍ୟବହାର କଲେଣି । ଦାମ୍ପତ୍ୟ କଳହରେ ମଧ୍ୟ ଏବେ ଜୋତା, ଚପଲ, ସାଣ୍ଡାଲ୍‌ର ବହୁଳ ବ୍ୟବହାର ହେଉଛି । ଅନ୍ୟକୁ ନୀଚା ଦେଖାଇବାକୁ ହିନ୍ଦୀଭାଷୀ ଅଞ୍ଚଳରେ କହନ୍ତି ‘ତୁ ମେରି ପୈରକୀ ଜୁତୀ’ । ବହିଷ୍କୃତ ଲୋକଙ୍କୁ ଇଂରାଜୀରେ କହନ୍ତି ‘ବୁଟେଡ୍ ଆଉଟ୍’ । ରାଜନୀତିରେ ଜୋତାର ପ୍ରଭାବ ବେଶୀ । ଲୋକସଭା, ବିଧାନସଭାରେ ପାଟିତୁଣ୍ଡ ବେଳେ ଜୋତାମାନେ ପାଦ ତଳୁ ହାତକୁ ଆସିଯାନ୍ତି । ତାମିଲନାଡ଼ୁର ଜୟଲଳିତା ଓ ଫିଲିପାଇନ୍ସର ଇମେଲ୍ଡା ମାର୍କସଙ୍କ ଜୋତା ପ୍ରୀତି ବହୁ ବର୍ଷ ଧରି ଚର୍ଚ୍ଚାରେ ଥିଲା । ମୁମ୍ବାଇରେ ଜୋତାଘର ପର୍ଯ୍ୟଟକଙ୍କପାଇଁ ଏକ ବିଶେଷ ଆକର୍ଷଣ । ପଣ୍ଡିତ ମନମୋହନ ମାଲବ୍ୟ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ମୁଷ୍ଟି ଭିକ୍ଷା ଓ ଦାନ ସଂଗ୍ରହ କରୁଥିଲା ବେଳେ ହାଇଦ୍ରାବାଦ ନିଜାମଙ୍କ ପାଖରେ ପହଞ୍ଚିଥିଲେ । ନିଜାମ ଦାନ ବଦଳରେ ମାଲବ୍ୟଙ୍କ ଆଡ଼କୁ ଲକ୍ଷ୍ୟ କରି ନିଜ ଗୋଡ଼ରୁ ପଟେ ଜୋତା କାଢ଼ି ଫିଙ୍ଗିଥିଲେ । ମାଲବ୍ୟ ଏହାକୁ ସମ୍ମାନ ସହ ଗାମୁଛାରେ ରଖି ବଜାରରେ ନିଲାମ ଡାକି ବିପୁଳ ଅର୍ଥ ସଂଗ୍ରହ କରିଥିଲେ ।

ଜୋତାକୁ ମାନବ ଇତିହାସରେ କେବଳ ଗୋଟିଏ ଥର ପ୍ରକୃତ ସମ୍ମାନ ମିଳିଥିଲା । ଭ୍ରାତୃପ୍ରେମୀ ଭରତ ଅଗ୍ରଜ ଶ୍ରୀରାମଙ୍କ ପାଦୁକାକୁ ମୁଣ୍ଡରେ ବୋହି ଆଣି ଅଯୋଧ୍ୟା ରାଜସିଂହାସନରେ ଚଉଦବର୍ଷ ବସାଇ ରାଜାର ସମ୍ମାନ ଦେଇଥିଲେ । ରଘୁପତି ରାଘବ ରାଜା ରାମଙ୍କ ଅନୁଗାମୀ ଗାନ୍ଧୀଙ୍କ ୭୦ ବର୍ଷର ପୁରୁଣା ଚପଲ ଏବେ ବଜାରରେ ନିଲାମ ହେଲା । ତାକୁ କିଣିଲେ ଜଣେ ମଦ ବେପାରୀ ।

ପାଦ ଓ ପ୍ରତିବାଦପାଇଁ ପେଟେଣ୍ଟ ମେଡିସିନ୍ ଭାବରେ ବ୍ୟବହୃତ ପାଦୁକା ବା ଜୋତାର ଜନ୍ମ ତାରିଖ ଜଣା ନାହିଁ । ପ୍ରାକ୍ ଐତିହାସିକ ଯୁଗରେ ମଣିଷ ବରଫାବୃତ ଅଞ୍ଚଳ, ଉତ୍ତପ୍ତ ମରୁଭୂମି ଓ ଜଙ୍ଗଲର କଣ୍ଟାଝଟାରୁ ପାକୁ ରକ୍ଷା କରିବାପାଇଁ ପ୍ରଥମେ ତାଳ ପତର ଓ ପରେ ହାଡ଼, ଚମଡ଼ା, ଛେଲିି ଇତ୍ୟାଦିକୁ ପାଦରେ ବାନ୍ଧି ଚାଲୁଥିଲା ବୋଲି କୁହାଯାଏ । ପ୍ରାୟ ଦଶ ହଜାର ବର୍ଷ ପୂର୍ବର ପର୍ବତ ଗୁହାରେ ଅଙ୍କିତ ଚିତ୍ରରେ

ବିକଳ୍ପ ବିଶ୍ୱ ୨୪୧