ପୃଷ୍ଠା:Bikalpa Biswa.pdf/୨୪୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏପରି ଘୃଶ୍ୟ ବର୍ଣ୍ଣନା କରାଯାଇଛି । ସେତେବେଳର ମଣିଷ ଦିନକୁ ୧୬ ଘଣ୍ଟା ଖାଦ୍ୟ ଅନ୍ୱେଷଣ ଓ ସଂଗ୍ରହରେ କାଟୁଥିଲା । ଇଜିପ୍ଟର ନୀଳ ନ‌ଦୀ ଓ ମରୁଭୂମି ଅଞ୍ଚଳରେ ରହୁଥିବା ଉଭୟ ପୁରୁଷ ଓ ସ୍ତ୍ରୀ ପାଦକୁ ମୁଣିରେ ବାନ୍ଧି କାମକୁ ଯାଉଥିଲେ । ଖଜୁରି, ଭୂର୍ଜପତ୍ର, ତାଳପତ୍ରରୁ ଏ ମୁଣି ତିଆରି ହେଉଥିଲା । ଜୋତାମାନେ ବି ଜାତିବାଦ ମୁକ୍ତ ନଥିଲେ । ରାଜା ଓ ପାରିଷଦ ଚମଡ଼ା, କାଠ ନିର୍ମିତ ସାଣ୍ଡାଲ ପିନ୍ଧୁଥିଲେ । ରାଜାଙ୍କ ସାଣ୍ଡାଲରେ ସୁନା, ରୁପା, ମୋତି ଲାଗୁଥଲା । ପାରିଷଦଙ୍କ ପାଦୁକାରେ ହାଲୁକା ସୂକ୍ଷ୍ମ ରଙ୍ଗ ଲାଗୁଥିଲା । ମଧ୍ୟବିତ୍ତ ଲୋକେ ନାଲି ଓ ହଳଦିଆ ରଙ୍ଗର ସାଣ୍ଡାଲ୍ ପିନ୍ଧୁଥିଲେ । ଏହା ତଳକୁ ଥିବା ସାଧାରଣ ଲୋକଙ୍କୁ ପାଦୁକା ପିନ୍ଧିବା ମନା ଥିଲା । ଏହି ସମୟରେ ଭାରତରେ କଠଉ ବ୍ୟବହାର ହେଉଥିଲା ।

ପ୍ରାକ୍ତନ ଗ୍ରୀକ୍ ଓ ରୋମାନ୍ ସଭ୍ୟତାରେ ମଧ୍ୟ ସମାଜର ବିଭିନ୍ନ ସ୍ତରର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ପାଦୁକା ବ୍ୟବହୃତ ହେଉଥିଲା ପ୍ରାୟ ୩୦୦୦ ବର୍ଷ ତଳେ । ସମ୍ରାଟଙ୍କ ଜୋତା ଥିଲା ରକ୍ତ ରଙ୍ଗର, ସିନେଟର୍‌ମାନେ କଳା ଓ ଧଳା ରଙ୍ଗର ଜୋତା ପିନ୍ଧୁଥିଲେ । ଧନପତି, ବଣିକମାନେ ଧୂସର ରଙ୍ଗର, ସାଧାରଣ ଲୋକେ ସାଦା ଚପଲ ଓ କ୍ରୀତଦାସମାନେ ଖାଲିପାଦରେ ଚାଲୁଥିଲେ । ରୋମାନ୍ ଲୋକେ ଘର ବାହାର ଓ ଭିତରପାଇଁ ଅଲଗା ଅଲଗା ପାଦୁକା ବ୍ୟବହାର କରୁଥିଲେ । ଘର ଭିତରେ ପାଦୁକା ନାଁ ଥିଲା ‘ସୋଲି’ ଓ ଏହାକୁ କ୍ରୀତଦାସମାନେ ମାଲିକଙ୍କୁ ପିନ୍ଧାଇ ଦେଉଥିଲେ । ଅଭିନେତା, ଧର୍ମଯାଜକ ଓ ବରକନ୍ୟାଙ୍କପାଇଁ ଅଲଗା ଅଲଗା ପ୍ରକାର ଜୋତା ନିର୍ଦ୍ଧାରିତ ଥିଲା ।

ମଧ୍ୟଯୁଗରେ ସାମନ୍ତ ଓ ସମ୍ଭ୍ରାନ୍ତ ଶ୍ରେଣୀର ଉଭୟ ପୁରୁଷ ଓ ସ୍ତ୍ରୀମାନେ ଜୋତାରେ ପ୍ରଥମେ ଭେଲ୍‌ଭେଟ୍ ଓ ରେଶମ ଲଗାଇଲେ । ରାଜାଙ୍କ ଜୋତାର ଅଗ୍ରଭାଗ ଲମ୍ବା ଓ ମୁନିଆ ବା ପଏଣ୍ଟେଡ୍ ରହୁଥିଲା । ମୁନିଆ ଅଂଶ ଯେତେ ଲମ୍ବି ଓଲଟୁଥିଲା ସେ ରାଜା ସେତିକି ଶକ୍ତିଶାଳୀ ଓ ସମ୍ଭ୍ରାନ୍ତ ବୋଲି ଗଣା ହେଉଥିଲେ । ସେତେବେଳେ ଏସିଆ, ଆଫ୍ରିକା ଓ ୟୁରୋପ୍‌ରେ ଜମିଦାରମାନେ ବିଭିନ୍ନ ରଙ୍ଗ, ଢଙ୍ଗର ଜୋତା ପିନ୍ଧି ନିଜର ଗାରିମା ପ୍ରକାଶ କରୁଥିଲେ । ସ୍ତ୍ରୀମାନେ ପୁରୁଷଙ୍କ ଉଚ୍ଚତାର ସମକକ୍ଷ ହେବାପାଇଁ ଲମ୍ବା ଓ ଡେଙ୍ଗା ପାଦୁକା ବ୍ୟବହାର କରୁଥିଲେ ଏବଂ ସେଥିରେ ଝୁମୁକା ବାନ୍ଧୁଥିଲେ । ଏପରି ଫେସନଯୋଗୁଁ ସେମାନଙ୍କୁ ଚାଲିବାରେ କଷ୍ଟ ହେଉଥିଲା - ପଡ଼ି ଆଣ୍ଠୁ ଗଣ୍ଠି ଭାଙ୍ଗୁଥିଲା । ଏ ଦୃଶ୍ୟ ଦେଖି ଚର୍ଚ୍ଚର ପାଦ୍ରୀମାନେ ଖୁସି ହେଉଥିଲେ - କାରଣ ମଧ୍ୟଯୁଗରେ ରକ୍ଷଣଶୀଳ ଧର୍ମଗୁଡିକ ସ୍ତ୍ରୀମାନଙ୍କର ଫେସନ୍ ପ୍ରେମକୁ ପସନ୍ଦ କରୁ ନଥିଲେ ।

ଏହି ସମୟରେ ଚାଇନାରେ ଛୋଟ ପାଦର ଝିଅପିଲାଙ୍କୁ ଅଧିକ ସୁନ୍ଦରୀ ବୋଲି

୨୪୨ ବିକଳ୍ପ ବିଶ୍ୱ