ପୃଷ୍ଠା:Bikalpa Biswa.pdf/୨୫୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶୁଣାଇବାପାଇଁ ଆସିଥିଲେ, ଶୁଣିବାପାଇଁ ଆଦୌ ପ୍ରସ୍ତୁତ ନ ଥିଲେ । ଉଭୟ ପକ୍ଷ ହସ୍ତାହସ୍ତିପାଇଁ ତିଆର ହୋଇ ଯାଇଥିଲେ । ଆମେ ଦେଶୀ ଗଣତନ୍ତ୍ରର ଆଉ ଏକ ନମୁନା ଦେଖିଲୁ ।

କିନ୍ତୁ ଅପରାହ୍ନର ଅନୁଭୂତି ଥିଲା ସମ୍ପୂର୍ଣ୍ଣ ନିଆରା । ଡ୍ରପ୍ଆଉଟ୍‌ଙ୍କ ପାଇଁ ସ୍ୱେଚ୍ଛାସେବୀ ସଂଗଠନ ‘ତପୋଭୂମି’ର ‘ଆନନ୍ଦ ପାଠଶାଳା’ରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ବଡ଼ ବଡ଼ ସ୍ୱପ୍ନ ନ ଥିଲା । ଥିଲା ବସ୍ତି ଓ ଗାଁରେ ନୂଆ ଢଙ୍ଗରେ ଲୋକ ଶିକ୍ଷା ପ୍ରସାର ଇଚ୍ଛା । ଲୋକଙ୍କ ସାଙ୍ଗରେ ବସି, ମିଶି କାମ କରିବାର ଆଗ୍ରହ । ଶିକ୍ଷାକୁ ଆନନ୍ଦମୟ କରିବାପାଇଁ ପ୍ରଚେଷ୍ଟା । ଏଠାରେ ଯାହାଙ୍କୁ ଭେଟିଲୁ ସେ ସମସ୍ତେ ଆସିଥିଲେ ଦରିଦ୍ର ଓ ଦଳିତ ପରିବାରରୁ । ଓଡିଶାର ଯେଉଁ ୪୦ ଭାଗ ପିଲା ପଞ୍ଚମ ଶ୍ରେଣୀ ପହଞ୍ଚିବା ଆଗରୁ ପାଠପଢ଼ ଛାଡ଼ି ଦେଇଥାନ୍ତି, ସେଇମାନଙ୍କ ସମ୍ପ୍ରଦାୟ । ତଳେ ସିମେଣ୍ଟ ଅଖା ଉପରେ ବସିଥିଲେ ପୁଣି ଥରେ ପାଠ ପଢ଼ିବାପାଇଁ, ଛୋଟ ଛୋଟ ସ୍ୱପ୍ନକୁ ନେଇ । ସ୍ୱାଧୀନ ଭାବରେ ଛୋଟ ଛୋଟ ଧନ୍ଦା କରି ଶିକ୍ଷାରୁ ସନ୍ତୋଷ ଓ ଆନନ୍ଦ ନେବାପାଇଁ । ଏମାନଙ୍କୁ ଶିକ୍ଷା ଦେଉଥିବା ସ୍ୱେଚ୍ଛାସେବୀମାନଙ୍କର ଆଗ୍ରହ ଓ ଉତ୍ସାହ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ସମାଜ ପରିବର୍ତ୍ତନର ସଚ୍ଚା ସୈନିକ । ଓଡ଼ିଶାରେ ଏପରି ବହୁ ଅନୁଷ୍ଠାନଙ୍କର ନିଷ୍ଠାପର ସେବା ସରକାରଙ୍କ ଅଗୋଚରରେ ଚାଲୁ ରହିଚି । ବିଶ୍ୱସ୍ତରୀୟ ଶିକ୍ଷା ନିଶ୍ଚୟ ଆବଶ୍ୟକ, କିନ୍ତୁ ତା’ଠାରୁ ଅଧିକ ଆବଶ୍ୟକ ନିଃସ୍ୱ ସ୍ତରୀୟଙ୍କପାଇଁ ଶିକ୍ଷା ବ୍ୟବସ୍ଥା । ସର୍ବଶିକ୍ଷା ଅଭିଯାନ ଏବେ ବି ଏଇ ସ୍ତରରେ ପହଞ୍ଚି ପାରି ନାହିଁ । ବିଶ୍ୱ ସ୍ତରୀୟ ଅନୁଷ୍ଠାନରୁ ପାସ୍ କରୁଥିବା ପିଲାଏ ଗାଁ ଓ ଦେଶ ଛାଡ଼ି ବିଦେଶକୁ ଚାଲିଯାନ୍ତି । ଆନନ୍ଦ ପାଠଶାଳା ଏହାର ବିପରୀତ ପରୀକ୍ଷା । ସମ୍ବଲପୁର ଓ କନ୍ଧମାଳରେ ‘ବିଶ୍ୱ’ ଓ ‘ପ୍ରଥମ’ ମଧ୍ୟ ଏପରି ଶିକ୍ଷା ପରୀକ୍ଷା ଚଳାଇଛନ୍ତି ।

ଆମ ଯୋଜନାରେ ଶିକ୍ଷାପାଇଁ ସମ୍ବଳର ଅଭାବ ନାହିଁ । ଏକାଦଶ ପଞ୍ଚବାର୍ଷିକ ଯୋଜନାରେ ଶତକଡା ୧୯ ଭାଗ ଅର୍ଥ ଶିକ୍ଷାପାଇଁ ରଖାଯାଇଛି । କେବଳ ଉଚ୍ଚ ଶିକ୍ଷା ପାଇଁ ପ୍ରାୟ ଲକ୍ଷେ କୋଟି ଟଙ୍କା । ଏହାବାଦ ପୁଣି ଦୁଇ ଲକ୍ଷ ଛସ୍ତରି ହଜାର କୋଟି ଟଙ୍କା ସ୍କୁଲ ଶିକ୍ଷାପାଇଁ । ତେଣୁ ରାଷ୍ଟ୍ରୀୟ ପଞ୍ଚବାର୍ଷିକ ଯୋଜନାକୁ ଏବେ କୁହା ଯାଉଛି ‘ରାଷ୍ଟ୍ରୀୟ ଶିକ୍ଷା ଯୋଜନା’, କାରଣ ଶିକ୍ଷାପାଇଁ ଦଶମ ପଞ୍ଚବାର୍ଷିକ ଯୋଜନାରେ ଯେଉଁ ଅର୍ଥ ବ୍ୟବସ୍ଥା କରାଯାଇଥିଲା ଏହା ତା’ଠାରୁ ପାଞ୍ଚଗୁଣ ଅଧିକ । ଆମ ଦେଶରେ ଏବେ ୪୧୯ଟି ବିଶ୍ୱବିଦ୍ୟାଳୟ ଅଛି । ୟୁଜିସି ଶିକ୍ଷା କମିଟି ଏହି

ବିକଳ୍ପ ବିଶ୍ୱ ୨୫୭