ପୃଷ୍ଠା:Bikalpa Biswa.pdf/୨୫୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଂଖ୍ୟାକୁ ବଢାଇ ୭୩୫ କରିବାକୁ ସୁପାରିଶ କରିଛନ୍ତି । ଶାମ୍ ପିଟ୍ରୋଡାଙ୍କ ଅଧ୍ୟକ୍ଷତାରେ ଗଠିତ ‘ନାସ୍ନାଲ୍ ନଲେଜ କମିଶନ’ (ଏନ୍.କେ.ସି.) ଆସନ୍ତା ଦଶବର୍ଷ ମଧ୍ୟରେ ଦେଶରେ ୧୫୦୦ଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଓ ଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି । ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ପ୍ରାୟ ସତୁରିଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଓ ସେଥିପାଇଁ ଅତି କମ୍‌‌ରେ ୭୦ ହଜାର ଏକର ଜାଗା ଦରକାର ହେବ । ଜନସଂଖ୍ୟା ଭିତ୍ତିରେ କେବଳ ପୁରୀ ଜିଲ୍ଲାରେ ଆଉ ଚାରିଟି ବିଶ୍ୱବିଦ୍ୟାଳୟ ଖୋଲିବ । ପ୍ରତ୍ୟେକ ଜିଲ୍ଲାରେ ଅତି କମ୍‌ରେ ଗୋଟିଏରୁ ଦୁଇଟି ବିଶ୍ୱବିଦ୍ୟାଳୟ ରହିବ । ତେଣୁ ଓଡ଼ିଶା ସରକାର ଏବେଠୁ ପ୍ରସ୍ତୁତ ହୁଅନ୍ତୁ । ପ୍ରତି ବିଶ୍ୱବିଦ୍ୟାଳୟପାଇଁ ଅତି କମ୍‌ରେ ୧୦୦୦ ଏକର ଲେଖାଏଁ ଜାଗା ଚିହ୍ନଟ କରି ଆଜିଠୁ ରଖନ୍ତୁ । ଏବେ ଆମର ସମୁଦାୟ ଏଗାରଟି ବିଶ୍ୱବିଦ୍ୟାଳୟର ଜାଗା ଯେତିକି, ଏକା ବେଦାନ୍ତ ମାଗୁଚି ତା’ଠୁ ଅଧିକ । ବିରୋଧ ସ୍ୱାଭାବିକ । ତେଣୁ ଭବିଷ୍ୟତର ଆବଶ୍ୟକତାକୁ ଆଖି ଆଗରେ ରଖି, ଲୋକଙ୍କୁ ପଚାରି ବୁଝି ବିଚାରି ସିଦ୍ଧାନ୍ତ ନିଆଗଲେ ଭଲ । ଶିକ୍ଷାବିତ୍ ଓ ସିଭିଲ୍ ସୋସାଇଟିକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଉ । ଅକ୍ସଫୋର୍ଡ ଭଳି ବିଶ୍ୱର ଅନେକ ପ୍ରସିଦ୍ଧ ବିଶ୍ୱବି୍ୟାଳୟର ଆୟତନ ୫୦୦ ଏକରରୁ ଅଧିକ ନୁହେଁ ଏବଂ ଆମ ଦେଶରେ ମୁଣ୍ଡ ପିଛା ଜମିର ପରିମାଣ ଅଧ ଏକରରୁ କମ୍ । ଏହାଛଡା ଆସନ୍ତା ଦଶ ବର୍ଷ ଭିତରେ ଦେଶରେ ୧୮୦୦୦ କଲେଜ, ୫୦,୦୦୦ ରୁ ଅଧିକ ସେକେଣ୍ଡାରି ସ୍କୁଲ, ୨୪ଟି ନୂଆ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ, ୧୬୦୦ ଆଇଟିଆଇ ଓ ପଲିଟେକ୍ନିକ୍, ୧୦,୦୦୦ ନୂଆ ଭୋକେସନାଲ୍ ସ୍କୁଲ ଓ ୫୦,୦୦୦ ନୂଆ ଜ୍ଞାନ-କୌଶଳ କେନ୍ଦ୍ର ଖୋଲିବାର ପ୍ରସ୍ତାବ ରହିଛି । ଆମ ରାଜ୍ୟର ଶିକ୍ଷା ବିଭାଗ ଏଥିପାଇଁ ଆଜିଠୁ ପ୍ରସ୍ତୁତ ରହନ୍ତୁ । ଉଦାହରଣ ସ୍ୱରୂପ ୨୦୦୭ ସୁଦ୍ଧା ତାମିଲନାଡ଼ୁ ରାଜ୍ୟରେ ଥିବା ୧୬୦୦ ଇଞ୍ଜିନିୟରିଂ କଲେଜର ସଂଖ୍ୟା ୨୦୦୮ ସୁଦ୍ଧା, ବର୍ଷକ ଭିତରେ ବଢ଼ି ହେଲାଣି ୨୩୦୦ । ବିଶ୍ୱ ଜ୍ଞାନ-କୌଶଳ ମାନଚିତ୍ରରେ ଓଡ଼ିଶା ଅପେକ୍ଷା ଅନ୍ୟ ରାଜ୍ୟମାନେ ଆଗରେ । ଆସନ୍ତା ପାଞ୍ଚବର୍ଷ ଭିତରେ ଜ୍ଞାନ-କୌଶଳ ଉଦ୍ୟୋଗ ଜରିଆରେ ଭାରତରେ ଛଅ କୋଟି କର୍ମନିଯୁକ୍ତି ସୃଷ୍ଟି ହେବ । ଏହାଛଡା ଓଡ଼ିଶା ଚାରିପଟେ ଥିବା ରାଜ୍ୟମାନଙ୍କରେ ୫୦ରୁ ଅଧିକ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍ଇଜେଡ୍) ପାଇଁ କେନ୍ଦ୍ର ମଞ୍ଜୁରୀ ମିଳିସାରିଲାଣି । ଆମର ବିତର୍କ ଚାଲିଛି, ବିକଳ୍ପ ଖୋଜା ହେଉନାହିଁ । ଶେଷରେ ଆମ ପିଲାଏ ଚାକିରିପାଇଁ ସେଇ ରାଜ୍ୟ ସବୁକୁ ଉଡ଼ିବେ ଏବଂ ସେଠାକାର ଲୋକେ ଆମ ପିଲାଙ୍କୁ ଘଉଡ଼େଇବେ । ଆମେ ତାଙ୍କ ବ୍ୟବସାୟ ଶିଳ୍ପପାଇଁ କେବଳ କଞ୍ଚାମାଲ ପଠାଉଥିବା ରାଜ୍ୟ ହୋଇ ରହିଯିବା ।

୨୫୮ ବିକଳ୍ପ ବିଶ୍ୱ