ପୃଷ୍ଠା:Bikalpa Biswa.pdf/୨୫୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁର୍ଭାଗ୍ୟର କଥା ଯେ ଆମ ରାଜ୍ୟରେ କ୍ରିୟା ଅପେକ୍ଷା ପ୍ରତିକ୍ରିୟାରେ ଅଧିକ ସମୟ ନଷ୍ଟ ହୁଏ । ମତ ଅଭିମତ ମନ୍ତବ୍ୟ ପୂର୍ବରୁ ପ୍ରତ୍ୟେକ ବିଷୟରେ ଗଭୀର ଆଲୋଚନା ଓ ଗବେଷଣା ଆବଶ୍ୟକ । ବିନା ବେଦାନ୍ତ ବା ବିଦେଶୀ ସହାୟତାରେ ଆମେ ନିଜ ସମ୍ବଳରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ନିର୍ମାଣ କରିପାରିବା । ବିରୋଧ ସାଙ୍ଗରେ ବିକଳ୍ପର ରାସ୍ତା ନ ଦେଖାଇଲେ ବିରୋଧ ଅର୍ଥହୀନ ହୋଇଯାଏ । କେବଳ ଜିନ୍ଦାବାଦ, ମୁର୍ଦ୍ଧାବାଦ, ନେତିବାଦ, ପ୍ରତିବାଦର କୋଳାହଳରେ ପ୍ରଗତିବାଦ ପଛକୁ ଠେଲି ହୋଇଯାଏ । ଆଶାବାଦୀ, ଶୁଭଦର୍ଶୀ କର୍ମୀମାନେ ନୀରବ ଓ ନିରୁତ୍ସାହିତ ହୋଇଯାନ୍ତି । ଏପରି ଅଭ୍ୟାସ ନ ଛାଡ଼ିଲେ ଆମେ ଅନ୍ୟ ଉନ୍ନତ ରାଜ୍ୟମାନଙ୍କ ସମକକ୍ଷ ହୋଇପାରିବା ନାହିଁ । ଆମ ପିଲାଏ ଶେଷରେ ରାଜ୍ୟ ଓ ଦେଶ ଛାଡ଼ି ଚାଲିଯିବେ । ଗାନ୍ଧିଜୀ କୌଣସି ଶକ୍ତି ବିରୁଦ୍ଧରେ ଆନ୍ଦୋଳନ କଲାବେଳେ ତା’ର ବିକଳ୍ପ ଲୋକଙ୍କ ସମ୍ମୁଖରେ ରଖୁଥିଲେ ।

ପଡ଼ୋଶୀ ରାଜ୍ୟ ବିହାର ଏହା ଅଙ୍ଗେ ଲିଭାଇଛି । ଏଠି ଉଚ୍ଚଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାରୁ ଓ ନିଯୁକ୍ତି ସୁଯୋଗ ସଂକୁଚିତ ହୋଇଯିବାରୁ ପିଲାଏ ରାଜ୍ୟ ବାହାରକୁ ପଢ଼ିବାକୁ ଓ କାମପାଇଁ ଚାଲିଗଲେ । ଏ ସମସ୍ୟାର ସମାଧାନ ବେଦାନ୍ତ ବା ବିଦେଶୀଙ୍କ ହାତରେ ନାହିଁ । ଜନମତ ଭିତ୍ତିରେ ସମଗ୍ର ରାଜ୍ୟର ଶିକ୍ଷା ଓ ତାଲିମ ବ୍ୟବସ୍ଥାର ପୁନରୁଦ୍ଧାର, ପୁନର୍ଗଠନ ଓ ସଶକ୍ତୀକରଣ ହିଁ ସମାଧାନର ଏକମାତ୍ର ସୂତ୍ର ।

୨୯ ଜାନୁଆରୀ, ୨୦୦୯

ବିକଳ୍ପ ବିଶ୍ୱ ୨୫୯