ପୃଷ୍ଠା:Bikalpa Biswa.pdf/୨୬୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଓଡ଼ିଶାରେ ଜୀବନ ଓ ଜୀବିକା : ଗତି ଓ ସ୍ଥିତିି

ପ୍ରାୟ ଦେଢ଼ବର୍ଷ ତଳର ଘଟଣା । କୋରାପୁଟ ଜିଲ୍ଲା ତଳ କଇଁପର ଗାଁର ୧୩ ବର୍ଷିଆ ଗର୍ଭବତୀ କିଶୋରୀ ‘ଅର୍ଣ ହିକାକା’ଙ୍କର ଯେତେବେଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହେଲା, ତାଙ୍କ ପରିବାର ଲୋକେ ୫୫ ବର୍ଷ ବୟସ୍କା ସିନ୍ଦେ ହିକାକାଙ୍କୁ ଡକାଇ ଡେଲିଭରି କରାଇଲେ । ସିନ୍ଦେ ଡାକ୍ତର କି ନର୍ସ ନୁହଁନ୍ତି, ପାଠ ପଢି ନାହାନ୍ତି, ଯନ୍ତ୍ରପାତି ନାହିଁ, ନିଜ ହାତରେ ସେ ଅଞ୍ଚଳର ପ୍ରାୟ ସବୁ ଗର୍ଭବତୀ ମହିଳାଙ୍କ ଡେଲିଭରି କରାନ୍ତି । ଏଠାରେ କୌଣସି ମହିଳା ଡାକ୍ତରଖାନା ଯା’ନ୍ତି ନାହିଁ । ଅର୍ଣ ହିକାକାଙ୍କ ଘରଠାରୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରର ଦୂରତା ମାତ୍ର ଦୁଇଶହ ଫୁଟ ଏବଂ ଲକ୍ଷ୍ମୀପୁର ସରକାରୀ ଡାକ୍ତରଖାନା ପାଞ୍ଚ କିଲୋମିଟର । ଗାଁ ଧାଇ ସିନ୍ଦେ ଏକ ଅନ୍ଥରା ପରିବା କଟା ଛୁରୀ ଓ ଧାରୁଆ ପଥର ସାହାଯ୍ୟରେ ନବଜାତକର ଲାହି କାଟନ୍ତି । ଭୂତାଣୁ ବା କୀଟାଣୁଜନିତ ରୋଗ ସଂକ୍ରମଣ ବିଷୟରେ ସେ ଜାଣନ୍ତି ନାହିଁ ।

ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର କମାଇବାପାଇଁ ଦେଶରେ ଓ ରାଜ୍ୟରେ ପ୍ରଚାରର ଅଭାବ ନାହିଁ । ଏହା ସତ୍ତ୍ୱେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଆମ ରାଜ୍ୟରେ ମୃତ୍ୟୁ ହାର କମୁନାହିଁ । ଜନନୀ ସୁରକ୍ଷା ଯୋଜନା ଅନୁସାରେ ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସପିଟାଲରେ ଡେଲିଭରିପାଇଁଁ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ଚଉଦ ଶହ ଟଙ୍କା ପ୍ରୋତ୍ସାହନ ବ୍ୟବସ୍ଥା ଅଛି, ମାଗଣା ଲୌହ ଓ କ୍ୟାଲ୍ସିଅମ୍ ବଟିକା, ଟିକାକରଣ ବ୍ୟବସ୍ଥା ବି ଅଛି, କିନ୍ତୁ ଅଧିକାଂଶ ମହିଳା ଏ ସୁବିଧା ବିଷୟରେ ଜାଣନ୍ତି ନାହିଁ । ଅଠର ବର୍ଷରୁ କମ୍ ବୟସରେ ବାଳିକା ବିବାହ ବେଆଇନ୍ । କିନ୍ତୁ ଓଡିଶାରେ ପ୍ରତି ଶହେରେ ଅଠତିରିଶ ଜଣ ନାବାଳିକାଙ୍କ ବିବାହ ହୁଏ, ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳରେ ।

୨୬୦ ବିକଳ୍ପ ବିଶ୍ୱ