ପୃଷ୍ଠା:Bikalpa Biswa.pdf/୨୬୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସନ୍ଥ ଭାଲେଣ୍ଟାଇନ୍‌ଙ୍କ ଭାରତୀୟ ଚେଲାମାନେ

କିଛିବର୍ଷ ତଳେ ବରିଷ୍ଠ ନାଗରିକମାନଙ୍କ ପାରିବାରିକ ସମସ୍ୟାକୁ ନେଇ ନିର୍ମିତ ‘ବାଗ୍‌ବାନ୍’ ଚଳଚ୍ଚିତ୍ରରେ ବୟସ୍କ ନାୟକ ଅମିତାଭ ବଚ୍ଚନ ନାୟିକା ହେମାମାଳିନୀଙ୍କୁ ଭାଲେଣ୍ଟାଇନ୍ ଶୁଭେଚ୍ଛା ଦେବାର ଦୃଶ୍ୟ ବେଶ୍ ଉପଭୋଗ୍ୟ ଥିଲା । କିନ୍ତୁ ବିଗତ ବର୍ଷଟି ଭାରତୀୟ ଭାଲେଣ୍ଟାଇନ୍ ଭକ୍ତ ଓ ପ୍ରେମ ପାଗଳମାନଙ୍କପାଇଁ ଥିଲା ଘଟଣା-ଦୁର୍ଘଟଣାର ବର୍ଷ । ଗୁଜୁରାଟ, ମୁମ୍ବାଇ, ମାଙ୍ଗାଲୋର, ଜୟପୁର, ଭୋପାଳ ସମେତ ଅନେକ ଜାଗାରେ ଏମାନେ ଆକ୍ରମଣର ଶିକାର ହୋଇଥିଲେ । ଏହା ପୂର୍ବରୁ ଭୁବନେଶ୍ୱରରେ ଏକ ପାର୍କରୁ ଅବିବାହିତ ପ୍ରେମୀ ଯୁଗଳଙ୍କୁ ଘଉଡ଼ାଇବାପାଇଁ ସଦଳବଳେ ଉଭା ହୋଇଥିଲେ ସ୍ୱୟଂ ମହିଳା କମିଶନ ଅଧ୍ୟକ୍ଷା । ଏବେ ରାଜସ୍ଥାନର କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ କର୍ଣ୍ଣାଟକର ବିଜେପି ମୁଖ୍ୟମନ୍ତ୍ରୀ ଉଭୟେ ରାସ୍ତାଘାଟରେ ମୁକ୍ତ ପ୍ରେମ ନିବେଦନକୁ ନାପସନ୍ଦ କରି ବିବୃତ୍ତି ଦେଇଛନ୍ତି । ଶିବସେନା, ରାମସେନା ଓ କେତେକ ମହିଳା ସଂଗଠନ ଭାରତରେ ‘ଭାଲେଣ୍ଟାଇନ୍’ ଅପସଂସ୍କୃତିର ଘୋର ବିରୋଧ କରୁଛନ୍ତି । ଏ ମାସରେ ସୁପ୍ରିମ୍ କୋର୍ଟ କେବଳ ବିବାହିତ ପତି-ପତ୍ନୀଙ୍କୁ ସର୍ବସାଧାରଣ ଜାଗାରେ ଚୁମ୍ବନ କରିବାର ଅଧିକାର ଦେଇଛନ୍ତି । ଅପରପକ୍ଷରେ ଉତ୍ତରପ୍ରଦେଶ ମଦ୍ରାସା ଏଡୁକେସନ୍ ବୋର୍ଡ ପୁଅ-ଝିଅଙ୍କ ସହ ଶିକ୍ଷାକୁ ସାରିଆତ୍ ବିରୋଧୀ ବୋଲି ଘୋଷଣା କରିବା ପରେ ମୁସଲିମ୍ ସମ୍ପ୍ରଦାୟରେ ହଇଚଇ ସୃଷ୍ଟି ହୋଇଛି । ଏବେ ଲଣ୍ଡନବାସୀ ମୁଲ୍ଲା ଅଂଜିମ ଚୌଧୁରୀ ‘ଭାଲେଣ୍ଟାଇନ୍‌ସ୍ ଡେ’ ପାଳୁଥିବା ଯୁବକ ଯୁବତୀ ନର୍କରେ ପଡ଼ିବେ ବୋଲି ଘୋଷଣା କରି କେବଳ ଆଲ୍ଲାଙ୍କୁ ଭଲ ପାଇବାକୁ ଆଦେଶ ଦେଇଛନ୍ତି ।

ବିକଳ୍ପ ବିଶ୍ୱ ୨୬୫