ପୃଷ୍ଠା:Bikalpa Biswa.pdf/୨୬୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏ ସବୁ ସତ୍ତ୍ୱେ, ଏ ବର୍ଷ ପ୍ରେମିକି-ପ୍ରେମିକାିଙ୍କ ପକ୍ଷ ନେବେ ଭାରତର ରେଳମନ୍ତ୍ରୀ, ଲାଲୁ ପ୍ରସାଦ ଯାଦବ । ‘ଭାଲେଣ୍ଟାଇନ୍ସ୍ ଡେ’ ଦିନ ସେ ‘ଆଇ ଲଭ୍ ଇୟୁ’ କହିବେ ତାଙ୍କ ନ’ସନ୍ତାନର ଜନନୀ ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କୁ । ଏହା ଛଡ଼ା ଲାଲୁଙ୍କୁ ୱେବ୍‌ସାଇଟ୍ ବ୍ଲଗ୍ ଜରିଆରେ ନିକାଞ୍ଚନରେ ଭେଟିବା ପାଇଁ ଅନୁରୋଧ କରିଥିବା ଜଣେ ମହିଳା ଫ୍ୟାନ୍‌ଙ୍କୁ ମଧ୍ୟ ଲାଲୁ ‘ଆଇ ଲଭ୍ ଇୟୁ’ ବା ‘ଇଲୁ’ କହିବେ ବୋଲି ଗଣମାଧ୍ୟମକୁ ଆଗରୁ ଜଣାଇ ସାରିଛନ୍ତି । ସେ କହନ୍ତି ‘ଭାଲେଣ୍ଟାଇନ୍‌ସ୍ ଡେ’ର ଭଲ ପାଇବାକୁ ବ୍ୟାପକ ଅର୍ଥରେ ନିଆଯାଉ । ଅଟଳ ବିହାରୀ ଓ ନବୀନ ପଟ୍ଟନାୟକ, ମାୟାବତୀ, ମମତା, ଜୟଲଳିତା କାହାକୁ ‘ଇଲୁ’ କହିବେ ? ଏବେ ତ ସମାଜରେ ଏମାନଙ୍କ ସଂଖ୍ୟା ବଢ଼ୁଛି ।

‘ଭାଲେଣ୍ଟାଇନ୍‌ସ୍ ଡେ’ ବିଷୟରେ ଆମ ଦେଶରେ ବିବାଦ ଲାଗି ରହିଛି, କିନ୍ତୁ ବିତର୍କ ଆରମ୍ଭ ହୋଇନାହିଁ । ଏହା ନିଶ୍ଚିତ ଭାବରେ ଏକ ବିଦେଶୀ ପରମ୍ପରା, ଯେପରି ହାପି ବାର୍ଥ ଡେ, ସଣ୍ଡେ, ଗୁଡ୍ ନାଇଟ୍, ଗୁଡ୍ ମର୍ଣ୍ଣିଂ, ଟାଟା, ବାଏ ବାଏ, ନୂଆବର୍ଷ ଓ ଖ୍ରୀଷ୍ଟମାସ୍ । ନିଜେ ଭାଲେଣ୍ଟାଇନ୍ ଜଣେ ଖ୍ରୀଷ୍ଟିୟାନ୍ ସନ୍ଥ । କାଥଲିକ୍ ଚର୍ଚ୍ଚ ପରମ୍ପରାରେ ତିନି ଜଣ ସନ୍ଥଙ୍କର ଏକ ନାଁ - ଭାଲେଣ୍ଟାଇନ୍ ଏବଂ ତିନିଜଣ ଯାକ ନିଜ ନିଜ ବିଶ୍ୱାସପାଇଁ ଶହୀଦ ହୋଇଥିଲେ । ଆଉ ଏକ କିମ୍ବଦନ୍ତୀ ଅନୁସାରେ ପ୍ରକୃତ ଭାଲେଣ୍ଟାଇନ୍ ତୃତୀୟ ଶତାବ୍ଦୀରେ ରୋମ୍ ସମ୍ରାଟ୍ କ୍ଲଡିଅସ୍-୨ଙ୍କ ଅମଳର ଲୋକ । ସମ୍ରାଟ କ୍ଲଡିଅସ୍‌ଙ୍କ ଧାରଣା ଥିଲା ଅବିବାହିତ ପୁରୁଷମାନେ ହିଁ ଉତ୍ତମ ଯୋଦ୍ଧା ହୋଇପାରିବେ । ତେଣୁ ସେ ରୋମ୍ ସାମ୍ରାଜ୍ୟରେ ଯୁବକମାନଙ୍କ ବିବାହକୁ ଅବୈଧ ଘୋଷଣା କରିଥିଲେ । ସନ୍ଥ ଭାଲେଣ୍ଟାଇନ୍ ଏହାକୁ ବିରୋଧ କରି ଯୁବକ ଯୁବତୀ ମାନଙ୍କର ଗୁପ୍ତ ବିବାହ ନିଜ ଚର୍ଚ୍ଚରେ କରାଉଥିବାରୁ ପ୍ରାଣଦଣ୍ଡ ପାଇଥିଲେ ।

ଆଉ ଏକ କିମ୍ବଦନ୍ତୀ ଅନୁସାରେ ସନ୍ଥ ଭାଲେଣ୍ଟାଇନ୍ ଜେଲ୍ ଭୋଗୁଥିବା ବେଳେ ଜେଲର୍‌ଙ୍କ ସୁନ୍ଦରୀ ଝିଅଙ୍କ ପ୍ରେମରେ ପଡ଼ି ପ୍ରେମିକାଙ୍କୁ ଯେଉଁ ପ୍ରେମ ପତ୍ର ପଠାଉଥିଲେ ତା ତଳେ ଲେଖୁଥିଲେ ‘ତୁମର ପ୍ରିୟ ଭାଲେଣ୍ଟାଇନ୍’ । ଶେଷରେ ପ୍ରେମିକାଙ୍କୁ ଧରି ଜେଲ୍‌ରୁ ପଳାୟନ କରିଥିଲେ ସେ । ଆଉ କେତେକଙ୍କ ମତରେ ଖ୍ରୀଷ୍ଟଧର୍ମର ବହୁ ପୂର୍ବରୁ ରୋମାନ୍‌ମାନେ ଫେବ୍ରୁଆରି ମାସକୁ ଋତୁରାଜ ବସନ୍ତଙ୍କ ପୂଜା ଓ ପରସ୍ପର ପ୍ରେମ ନିବେଦନର ସମୟ ଭାବରେ ପାଳନ କରୁଥିଲେ । ଏଇ ଉତ୍ସବର ନାମ ଥିଲା ଲୁପରଜାଲିଆ । ଫେବ୍ରୁଆରି ପନ୍ଦର ତାରିଖରେ ପ୍ରାଚୀନ ରୋମ୍‌ରେ କୃଷି ଉତ୍ସବ ପାଳନ କରାଯାଉଥିଲା ଓ ପୃଥିବୀର ଉତ୍ପାଦିକା ଶକ୍ତି ବଢାଇବାପାଇଁ କୃଷି ଦେବତା ‘ଫନ୍ସ’ଙ୍କ

୨୬୬ ବିକଳ୍ପ ବିଶ୍ୱ