ପୃଷ୍ଠା:Bikalpa Biswa.pdf/୨୬୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୂଜା, ଅର୍ଚ୍ଚନା ହେଉଥିଲା ଏବଂ ଏହି କାରଣରୁ ସ୍ତ୍ରୀମାନଙ୍କୁ ପ୍ରଜନନ ଶକ୍ତିର ଅଧିକାରିଣୀ ରୂପେ ସମ୍ମାନ କରାଯାଉଥିଲା । ଏବଂ ଉତ୍ସବ ସମୟରେ ପୁଅ ପିଲାମାନେ ଛେଳି ହାଡ଼ରେ ଝିଅମାନଙ୍କୁ ସ୍ପର୍ଶ କରୁଥିଲେ । ବିଶ୍ୱାସ କରାଯାଉଥିଲା ଏହାଦ୍ୱାରା ଯୁବତୀମାନେ ସନ୍ତାନ ଉତ୍ପାଦିକା ଶକ୍ତିଯୁକ୍ତା ହେବେ । ଏହା ପରେ କୁମାରମାନେ କୁମାରୀଙ୍କୁ ପ୍ରେମ ନିବେଦନ କରି ବିବାହ କରୁଥିଲେ । ୪୯୮ ମସିହାରେ ପୋପ୍ ଗେଲାସିଅସ୍ ଏହାକୁ ଖ୍ରୀଷ୍ଟିୟାନ୍ ପରମ୍ପରାରେ ଯୋଡ଼ି ଫେବୃଆରି ୧୪ ତାରିଖକୁ ‘ଭାଲେଣ୍ଟାଇନ୍‌ସ୍ ଡେ’ ନାମ ଦେଲେ ।

ଇଂଲଣ୍ଡରେ ‘ଭାଲେଣ୍ଟାଇନ୍‌ସ୍ ଡେ’ ପହଞ୍ଚିଲା ବାରଶହ ବର୍ଷ ପରେ ୧୭୦୦ ମସିହାରେ । ପ୍ରାୟ ଶହେ ବର୍ଷ ଭିତରେ ବନ୍ଧୁ, ବାନ୍ଧବୀ, ପ୍ରେମ ପ୍ରବଣ ଲୋକେ ଚିଠି, ଫୁଲ ଉପହାର ଜରିଆରେ ନିଜର ଭାବନା ବ୍ୟକ୍ତ କରିବା ଆରମ୍ଭ କରିଦେଲେ । ଫ୍ରାନ୍‌ସ୍ ଓ ଇଂଲଣ୍ଡର ଲୋକେ ସେତେବେଳେ ବିଶ୍ୱାସ କରୁଥିଲେ ଯେ ଫେବୃଆରି ପକ୍ଷୀମାନଙ୍କର ମିଳନ ମାସ ଓ ତେଣୁ ସ୍ତ୍ରୀ-ପୁରୁଷଙ୍କର ବି ଭାଲେଣ୍ଟାଇନ୍ ଋତୁ । ଖ୍ରୀଷ୍ଟମାସ ପରେ ‘ଭାଲେଣ୍ଟାଇନ୍‌ସ୍ ଡେ’ରେ ସବୁଠାରୁ ଅଧିକ ଗ୍ରୀଟିଙ୍ଗ୍‌ସ୍ କାର୍ଡ଼ ବିକ୍ରି ହୁଏ - ପ୍ରାୟ ଶହେ କୋଟି କାର୍ଡ ଏବଂ ପାଶ୍ଚାତ୍ୟ ଦେଶମାନଙ୍କରେ ଶତକଡା ୮୫ଭାଗ କାର୍ଡ଼ ଯୁବତୀମାନେ କିଣନ୍ତି । ଏହି କାର୍ଡ଼ରେ ପ୍ରେମ ସମ୍ପର୍କରେ ମହାପୁରୁଷଙ୍କ ବାଣୀ ଉଦ୍ଧୃତ ହୋଇଥାଏ । ଆରିଷ୍ଟୋଟଲ୍‌ଙ୍କ ଯେଉଁ ବାକ୍ୟଟି ବାରମ୍ବାର ବ୍ୟବହୃତ ହୁଏ ସେଇଟି ହେଲା-’ଲଭ୍ ଇଜ୍ କମ୍ପୋଜ୍‌ଡ ଅଫ୍ ଏ ସିଙ୍ଗଲ୍ ସୋଲ୍ ଇନ୍‌ହାବିଟିଙ୍ଗ୍ ଇନ୍ ଟୁ ବଡିଜ୍’ । ଦୁଇଟି ଶରୀରରେ ରହୁଥିବା ଗୋଟିଏ ଆତ୍ମାର ନାଁ ହେଲା ପ୍ରେମ ।

କିନ୍ତୁ ‘ପ୍ରେମ ନିବେଦନ’ର ଖୋଲାଖୋଲି ବ୍ୟବସାୟୀକରଣ ପରେ ‘ଭାଲେଣ୍ଟାଇନ୍‌ସ୍ ଡେ’ ଅନେକଙ୍କ ମନକୁ ବିକ୍ଷୁବ୍ଧ କରିଥାଏ । ଭାରତରେ ସହରାଞ୍ଚଳର ଅବିବାହିତ କିଶୋରୀମାନେ ଅଯାଚିତ ପ୍ରେମର ପ୍ରେସର୍ ନେଇ ପାରନ୍ତି ନାହିଁ । ଏବେ ଭାଲେଣ୍ଟାଇନ୍ ବିଶାରଦମାନେ ଏ ଦିନକୁ ଭଲ ଭାବରେ ପାଳନ କରାଯିବା ଉପରେ ଗାଇଡ୍ ବହି ଲେଖିଲେଣି । ଚୀନ୍ ସରକାର ଏବେ ଜେବ୍ରା ଛକରେ ଦୁଇଟି ଲାଲ୍ ହୃତ୍‌ପିଣ୍ଡ ଛବି ଉପରେ ‘ଆଇ ଲଭ୍ ୟୁ’ ଲେଖିବାକୁ ସ୍ଥିର କରିଛନ୍ତି, ଡ୍ରାଇଭରମାନଙ୍କୁ ଏକ ରୋମାଣ୍ଟିକ୍ ଅନୁଭୂତି ଦେଇ ବେଗ କମାଇବାକୁ, ଜୀବନର ମୂଲ୍ୟ ବୁଝାଇବାକୁ । କିନ୍ତୁ ଏବେ ‘ଭାଲେଣ୍ଟାଇନ୍‌ସ୍ ଡେ’ର ଅତି ମାତ୍ରାରେ ପ୍ରେମ କୋଳାହଳରୁ ବର୍ତ୍ତିବା ପାଇଁ ବହୁ ଅବିବାହିତ ଏବଂ ଏକଲା ରହୁଥିବା ବ୍ୟକ୍ତି ମିଶି ଫେବ୍ରୁଆରି ୧୪ ତାରିଖକୁ ‘ଆଣ୍ଟି ଭାଲେଣ୍ଟାଇନ୍‌ସ୍ ଡେ’ ବା ଭାଲେଣ୍ଟାଇନ୍ ବିରୋଧୀ ଦିବସ ଭାବେ ପାଳନ କରୁଛନ୍ତି ।

ବିକଳ୍ପ ବିଶ୍ୱ ୨୬୭