ପୃଷ୍ଠା:Bikalpa Biswa.pdf/୨୬୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏ ମଧ୍ୟରୁ କେତେକ କବାଟ କିଳି ଘରେ ରହୁଛନ୍ତି । ଅନ୍ୟ ବିରୋଧୀମାନେ ଏଇ ଦିନଟିକୁ ‘ସିଙ୍ଗଲ୍ ଆୱେରନେସ୍ ଡେ’ ବା ‘କୁମାର ଚେତନା ଦିବସ’ ରୂପେ ପାଳନ କରୁଛନ୍ତି । ଏ ଦିନ ଅବିବାହିତ ଚିରକୁମାର-କୁମାରୀଙ୍କ ଜୀବନର ସାର୍ଥକତା ଓ ଆବଶ୍ୟକତା ଉପରେ ଚର୍ଚ୍ଚା କରାଯାଉଛି । ଏ ଦିନକୁ ‘ଲଭର୍ସ୍ ହଲି ଡେ’ ନ କରି ‘ସିଙ୍ଗଲସ୍ ହଲି ଡେ’ ବୋଲି ଘୋଷଣାପାଇଁ ଏମାନେ ଦାବି କଲେଣି । ଏ ଦିନ ସାରା ବିଶ୍ୱରେ ଯେତିକି ଅପବ୍ୟୟ ହୁଏ ସେତିକି ପଇସାରେ ଆଫ୍ରିକା ମହାଦେଶର ଅଧେ ଦେଶରୁ ନିରକ୍ଷରତା ଓ ପୁଷ୍ଟିହୀନତା ଦୂର କରାଯାଇ ପାରିବ । ଭାରତୀୟ ମହାନଗରୀମାନଙ୍କରେ ଫେବ୍ରୁଆରି ୧୪ ଦିନ ୩୦ ହଜାର ବାହାଘର ହୁଏ । ଡିଜେ, ବ୍ୟାଣ୍ଡ ପାର୍ଟି, ମଣ୍ଡପ, ଗେଷ୍ଟହାଉସ୍, ଉପହାର ଓ ଡିନର୍ ପାଇଁ ଖର୍ଚ୍ଚ ହୁଏ ପ୍ରାୟ ଦଶ ହଜାର କୋଟି ଟଙ୍କା ।

ପୁରୁଷ-ସ୍ତ୍ରୀ ଓ ବିଶେଷ କରି ଯୁବକ-ଯୁବତୀଙ୍କର ପରସ୍ପର ସ୍ନେହ ପ୍ରେମ ଓ ଆନ୍ତରିକ ଭାବନା ପ୍ରଦର୍ଶନ ଏକ ପ୍ରକୃତିଦତ୍ତ ପ୍ରବୃତ୍ତି । ଏହି ପ୍ରବୃତ୍ତିକୁ ଶୃଙ୍ଖଳିତ କରିବା ପାଇଁ ସମାଜ ସୃଷ୍ଟି କରିଥିଲା ବିବାହ ବନ୍ଧନ । ରୋମ୍ ସମ୍ରାଟ୍ ଯୁବ ବର୍ଗଙ୍କ ବିବାହ ବନ୍ଦ ଆଦେଶ ଦେବାରୁ ଜନ୍ମ ନେଲା ଭାଲେଣ୍ଟାଇନ୍‌ଙ୍କ ବିରୋଧ ଓ ଜନପ୍ରିୟତା । ଭାଲେଣ୍ଟାଇନ୍ ବିରୋଧୀ ଲଣ୍ଡନବାସୀ ମୁଲ୍ଲା ଅଂଜିମ୍ ନିଜେ ତାଙ୍କ ଯୁବାବସ୍ଥାରେ ସୁରା ଓ ସାକୀର ରସିକ ଥିଲେ । ପୃଥିବୀ ପ୍ରସିଦ୍ଧ ସବୁ ମହାକାବ୍ୟ ପୁରୁଷ-ସ୍ତ୍ରୀ ପ୍ରେମ କାହାଣୀ ଉପରେ ଆଧାରିତ । ବିଶ୍ୱାମିତ୍ର, ପରାଶରଙ୍କ ଭଳି ମୁନିଋଷିମାନେ ବି ଏଥିରୁ ବର୍ତ୍ତି ନାହାନ୍ତି । କିନ୍ତୁ ଏହାର ପରିପ୍ରକାଶ ଶୈଳୀକୁ ନେଇ ବିରୋଧ ହେଉଛି । ଅତ୍ୟନ୍ତ ବ୍ୟକ୍ତିଗତ ଭାବନା ଓ ସମ୍ପର୍କକୁ ରାସ୍ତାଘାଟ ବଜାରରେ ନଗ୍ନ ପ୍ରଦର୍ଶନ କରିବାର କୌଣସି ଆବଶ୍ୟକତା ନାହିଁ । ଏହା ଯୌନ ବିକାରଗ୍ରସ୍ତ ବା ପ୍ରେମପାଗଳଙ୍କ ଦିନ ନୁହେଁ । ଭାଲେଣ୍ଟାଇନ୍ ନିଜେ ଲଙ୍ଗଳା ସଂସ୍କୃତିର ବିରୋଧୀ ଥିଲେ ଓ ପ୍ରେମମୟ ବୈବାହିକ ଜୀବନ ସମର୍ଥନରେ ବିଦ୍ରୋହ କରିଥିଲେ । ବାର୍‌ରେ ମଦ ପିଇ ହାତରେ ଗୋଲାପ ଫୁଲ ଧରି ମାତାଲ୍ ହୋଇ ଝିଅ ପୁଅଙ୍କ ପଛରେ ନ ଗୋଡ଼ାଇ ଯୁବ ବର୍ଗ ଆଜିର ଦିବସକୁ ଭାରତର ଓ ପୃଥିବୀର ମହାନ୍ ପ୍ରେମିକମାନଙ୍କ ସ୍ମୃତିରେ ପାଳନ କରନ୍ତୁ । ଭାରତ ଇତିହାସ ଭଲ ପାଇବାର ଉଚ୍ଚତମ ଆଦର୍ଶରେ ପରିପୂର୍ଣ୍ଣ । ଭାଲେଣ୍ଟାଇନ୍ ନାଁପାଇଁ ଆପତ୍ତି ଥିଲେ କୃଷ୍ଣ, ରାଧା, ବାତ୍ସାୟନ, କେଦାର ଗୌରୀ ବା ପ୍ରଜାପତିଙ୍କ ନାମ ରଖାଯାଇପାରିବ ।

ସେହିପରି ଭାଲେଣ୍ଟାଇନ୍ ବିରୋଧୀମାନେ ମନେ ରଖନ୍ତୁ ଯେ ହିଂସା ଓ ଘୃଣା ପ୍ରେମର ବିକଳ୍ପ ନୁହେଁ । ଅପସଂସ୍କୃତି ବିରୋଧରେ ପ୍ରଚାର ସଭ୍ୟ, ମାର୍ଜିତ ଓ ଅଧିକ

୨୬୮ ବିକଳ୍ପ ବିଶ୍ୱ