ପୃଷ୍ଠା:Bikalpa Biswa.pdf/୨୭୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ନିଜ ନିଜ ନାମରୁ ସଂଜ୍ଞା କାଟି ଦେଇଥିଲେ । ସେତେବେଳର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିବେଦନ କରିଥିଲେ, ନିଜ ସଂଜ୍ଞା ପ୍ରଥମେ ହଟାନ୍ତୁ ଓ ପ୍ରାଇମେରି ସ୍କୁଲରେ ପ୍ରଥମ ଆଡ୍‌ମିସନ୍ ବେଳେ ପ୍ରତ୍ୟେକ ପିଲାଙ୍କ ନାମରୁ ଜାତିସୂଚକ ସଂଜ୍ଞା କାଟି ଦେବାପାଇଁ ଶିକ୍ଷା ବିଭାଗ ତରଫରୁ ସର୍କୁଲାର ଜାରି କରିବାପାଇଁ ନିର୍ଦ୍ଦେଶ ଦିଅନ୍ତୁ । ତା’ହେଲେ ପିଲାମାନେ ଶିକ୍ଷା ଜୀବନ ଆରମ୍ଭରୁ ପରସ୍ପରକୁ ସମଦୃଷ୍ଟିରେ ଦେଖିବେ । ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମନରୁ ଜାତିଗତ ଭାବନା କ୍ରମେ ଦୂର ହେବ ଓ ଶେଷରେ ଏହା ଏକ ଜାତିମୁକ୍ତ ସମାଜ ସୃଷ୍ଟିରେ ସାହାଯ୍ୟ କରିବ ।

ବିହାରର ତ‌ତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ୍ନାଥ ମିଶ୍ରଙ୍କୁ ମଧ୍ୟ ଏକ ନିବେଦନ ପତ୍ର ପଠାଇଥିଲେ । ସେ ମହାଶୟ ଅଳ୍ପ ସମୟପାଇଁ ‘ମିଶ୍ର’ ସାଙ୍ଗିଆ ହଟାଇ ଦେଇଥିଲେ । ସେତେବେଳେ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରୀୟ ସେବା ଯୋଜନା ଦାୟିତ୍ୱରେ ଥାଏ । ସେତେବେଳର କୁଳପତି ଡକ୍ଟର ମହେନ୍ଦ୍ର ରାଉତ ଏହି ଉଦ୍ୟମକୁ ସମର୍ଥନ ଦେବାରୁ ଆମେ ଓଡିଶାର ବିଭିନ୍ନ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଏନ୍ଏସ୍ଏସ୍ ଜରିଆରେ ଏହାର ପ୍ରଚାର, ପ୍ରସାରପାଇଁ ଅନୁରୋଧ କରିଥିଲୁ । ତା’ପୂର୍ବରୁ ମୁଁ ଭୁବନେଶ୍ୱର କୋର୍ଟରେ ଆଫିଡେଭିଟ୍ କରି ପ୍ରଥମେ ନିଜ ନାମରୁ ଜାତିସୂଚକ ସାଙ୍ଗିଆ ହଟାଇ ଦେଇଥିଲି । କିନ୍ତୁ ଅଫିସ୍ ରେକର୍ଡରୁ ସରନେମ୍ ସାଫ୍ କରିବାକୁ ମତେ ଲାଗିଥିଲା ଦୀର୍ଘ ଦଶ ବର୍ଷ । ଆଫିଡେଭିଟ୍‌ରେ ଦସ୍ତଖତ ପୂର୍ବରୁ ବିଚାରପତି ପଚାରିଥିଲେ କାହିଁକି ଏପରି କରୁଛ । କହିଲି, କାରଣଟି ଆଫିଡେଭିଟ୍‌ରେ ଲେଖିଛି । ତାଙ୍କ ସାଙ୍ଗିଆ ଓ ମୋ ସାଙ୍ଗିଆ ଏକା ଥିଲା । ହସି କହିଲେ ଆମ ସଂଖ୍ୟା କମିଯିବ । ମୁଁ ଉତ୍ତର ଦେଇ କହିଥିଲି ‘ଦେଶପାଇଁ ଏହା ଶୁଭ ଖବର ହେବ । ଆପଣ ବି ସାଙ୍ଗିଆ କାଟନ୍ତୁ । କିନ୍ତୁ କେବଳ ସାଙ୍ଗିଆ କାଟିଲେ ଜାତି ହଟିବ ନାହିଁ - ଏହା ଏକ ଆରମ୍ଭ ଓ ଏଥିପାଇଁ ସଂଗଠିତ ଆନ୍ଦୋଳନ ଆବଶ୍ୟକ ।

ସାଙ୍ଗିଆ କେବଳ ବଂଶଗତ ଉପାଧି, କୁଳ ନାମ ବା ପିତା, ପତିଙ୍କ ନାମର ଅଂଶ ନୁହେଁ । ଏହା ଏକ ସାମାଜିକ ସମସ୍ୟା । ଦଶ ହଜାର ବର୍ଷ ପୁରୁଣା ମାନବ ସଭ୍ୟତା ଓ ସଂସ୍କୃତିର ସାଙ୍ଗିଆର ବୟସ ଦୁଇ ହଜାର ବର୍ଷରୁ କମ୍ । ୟୁରୋପରେ ଦ୍ୱାଦଶ ଶତାବ୍ଦୀରେ ସାଙ୍ଗିଆ ବ୍ୟବହାର ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ କାଳରେ ଏକ ନାମଧାରୀ ବ୍ୟକ୍ତିଙ୍କ ମଧ୍ୟରେ ଫରକ ଦର୍ଶାଇବାକୁ ସରନେମ୍ ବ୍ୟବହାର ବଢିଲା । ତ୍ରୟୋଦଶ ଶତାବ୍ଦୀରେ ଅଧିକାଂଶ ଲୋକଙ୍କ ନାଁ ଥିଲା ଉଇଲିୟମ୍, ରିଚାର୍ଡ, ଜନ୍, ଆଣ୍ଡୃ, ରବିନ୍ ଓ ଥୋମାସ୍ । ନାଁ ଅଭାବରୁ ଉଇଲିୟମ୍ଙ୍କ ପୁଅ ନାଁ ହେଲା ଉଇଲିୟମସନ୍, ରିଚାର୍ଡଙ୍କ ପୁଅ ନାଁ ରିଚାର୍ଡସନ୍, ଆଣ୍ଡୃଙ୍କ ପୁତ୍ର ହେଲେ ଆଣ୍ଡରସନ୍, ଜନ୍‌ଙ୍କ ପୁଅ ଜନ୍‌ସନ୍, ଥୋମସ୍‌‌ଙ୍କ ପୁଅ ଥମସନ୍ ଓ ରବିନଙ୍କ ପୁତ୍ର

ବିକଳ୍ପ ବିଶ୍ୱ ୨୭୧